ଏବର୍ଷ ଆରମ୍ଭ ହେବ କୈଳାଶ ମାନସରୋବର ଯାତ୍ରା, 2019 ମସିହାରୁ ଥିଲା ବନ୍ଦ
ପୁଣି ଥରେ ଆରମ୍ଭ ହେଉଛି ପ୍ରସିଦ୍ଧ କୈଳାଶ ମାନସରୋବର ଯାତ୍ରା । ଏଥର ଭାରତରୁ 750 ଜଣ ତୀର୍ଥଯାତ୍ରୀଙ୍କୁ ଏହି ଯାତ୍ରା ପାଇଁ କରାଯାଇଛି ଚୟନ ।
ନୂଆଦିଲ୍ଲୀ: ଦୀର୍ଘ ପାଞ୍ଚ ବର୍ଷ ପରେ ପୁଣି ଥରେ ଆରମ୍ଭ ହେଉଛି ପ୍ରସିଦ୍ଧ କୈଳାଶ ମାନସରୋବର ଯାତ୍ରା । ଚଳିତ ବର୍ଷ ଜୁନ୍ ମାସରୁ ଭାରତୀୟ ତୀର୍ଥଯାତ୍ରୀମାନେ ପୁଣି ଥରେ କୈଳାସ ମାନସରୋବର ପବିତ୍ର ଯାତ୍ରାରେ ଯାଇପାରିବେ। ଏଥର ଭାରତରୁ 750 ଜଣ ତୀର୍ଥଯାତ୍ରୀଙ୍କୁ ଏହି ଯାତ୍ରା ପାଇଁ ଚୟନ କରାଯାଇଛି । ମନୋନୀତ ଯାତ୍ରୀମାନଙ୍କୁ SMS ଏବଂ ଇମେଲ୍ ମାଧ୍ୟମରେ ସୂଚିତ କରାଯାଇଛି ।
ତେବେ 2020 ମସିହା କୋଭିଡ-19 ମହାମାରୀ ଏବଂ ଭାରତ-ଚୀନ୍ ସମ୍ପର୍କରେ ଉତ୍ତେଜନା ଯୋଗୁଁ 2019 ମସିହାରୁ କୈଳାସ ମାନସରୋବର ଯାତ୍ରା ସ୍ଥଗିତ ରଖାଯାଇଥିଲା। ।
ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଏବର୍ଷ ତୀର୍ଥଯାତ୍ରା ଜୁନରୁ ଆରମ୍ଭ ହୋଇ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ । ମୋଟ 15ଟି ବ୍ୟାଚ୍ ମାନସରୋବର ପାଇଁ ଯାତ୍ରା କରିବେ । ପ୍ରତ୍ୟେକ ବ୍ୟାଚ୍ ରେ 50 ଜଣ ତୀର୍ଥଯାତ୍ରୀ ରହିବେ।
ଏକ କାର୍ଯ୍ୟକ୍ରମରେ, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଲଟେରୀ ସିଷ୍ଟମ ମାଧ୍ୟମରେ ମନୋନୀତ ଯାତ୍ରୀଙ୍କ ନାମ ଘୋଷଣା କରିଥିଲେ। ବୈଦେଶିକ ମନ୍ତ୍ରଣାଳୟ ଏହା ବି କହିଛନ୍ତି ଯେ, ଏହି ଲଟେରୀ ସିଷ୍ଟମ ସମ୍ପୂର୍ଣ୍ଣ କମ୍ପ୍ୟୁଟର ଆଧାରିତ ଏବଂ ସ୍ୱଚ୍ଛ। ଏହି ବର୍ଷ, କୈଳାସ ମାନସରୋବର ଯାତ୍ରା ପାଇଁ ମୋଟ 5561 ଜଣ ତୀର୍ଥଯାତ୍ରୀ ପଞ୍ଜିକରଣ କରିଥିଲେ, ଯେଉଁଥିରେ 4024 ପୁରୁଷ ଏବଂ 1537 ମହିଳା ଥିଲେ। ଏଥିମଧ୍ୟରୁ 750 ଜଣ ଯାତ୍ରୀଙ୍କୁ ଚୟନ କରାଯାଇଛି।
ଏହି ଗସ୍ତକୁ ପୁନଃଆରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଅକ୍ଟୋବର 2024 ରେ ହୋଇଥିବା ବୈଠକ ସମୟରେ ସହମତି ହୋଇଥିଲା। ଏହାପରେ ଦୁଇ ନେତା ଏପ୍ରିଲ 2020 ରୁ ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ସମାପ୍ତ କରିବାକୁ ସହମତ ହୋଇଥିଲେ। ଏହା ପରେ, ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବୈଠକରେ କୈଳାସ ମାନସରୋବର ଯାତ୍ରା ପୁନଃଆରମ୍ଭ କରିବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା ।
ପ୍ରକାଶ ଥାଉକି, ସନାତନ ହିନ୍ଦୁ ଧର୍ମରେ କୈଳାଶ ମାନସରୋବରର ବିଶେଷ ମହତ୍ତ୍ବ ରହିଛି । ଏହା ଦେବାଧି ଦେବ ମହାଦେବଙ୍କ ବାସସ୍ଥାନ ବୋଲି ହିନ୍ଦୁମାନଙ୍କ ମଧ୍ୟରେ ବିଶ୍ବାସ ରହିଛି। ଶାସ୍ତ୍ରରେ ଏହାକୁ ମେରୁ ପର୍ବତ ଭାବେ ବର୍ଣ୍ଣନା କରାଯାଇଛି । ସେହିପରି ସନାତନ ଧର୍ମରେ ମାନସରୋବରର ବି ବିଶେଷ ମହତ୍ତ୍ବ ରହିଛି । ଏହା ବ୍ରହ୍ମାଙ୍କ ମାନସ (କଳ୍ପନା)ରୁ ସୃଷ୍ଟ ବୋଲି ଏହାର ନାଁ ମାନସରୋବର । ପୁଣି ଏହା ସିନ୍ଧୁ,ସତଲେଜ, ବ୍ରହ୍ମପୁତ୍ର ପରି ନଦୀର ଆରମ୍ଭ ସ୍ଥାନ । କେବଳ ହିନ୍ଦୁଧର୍ମ ନୁହେଁ, ବୌଦ୍ଧ ଧର୍ମ, ଜୈନ ଧର୍ମ ଓ ଚୀନର ପାରମ୍ପରିକ ବନ୍ ଧର୍ମରେ କୈଳାଶ ମାନସରୋବରର ବିଷେଷ ମହତ୍ତ୍ବ ରହିଛି ।