fbpx

କୋରାପୁଟର ‘କଳାଜିରା’ ଧାନକୁ ମିଳିଲା ଜିଆଇ ଟ୍ୟାଗ୍

Advertisement

କୋରାପୁଟ: ଧାନ ଉତ୍ପାଦନ କ୍ଷେତ୍ରରେ ନୂଆ ପରିଚୟ ହାସଲ କଲା କୋରାପୁଟ ଜିଲ୍ଲା । ବିରଳ କିସମର ଧାନ ‘କଳାଜିରା’କୁ ମିଳିଛି ଜିଆଇ ଟ୍ୟାଗ । ଲୋପ ପାଉଥିବା ଏହି ସୁଗନ୍ଧ ଯୁକ୍ତ ଧାନକୁ ଭୌଗୋଳିକ ସଂକେତ (ଜିଆଇ ଟ୍ୟାଗ) ପ୍ରଦାନ ପାଇଁ ଜୈବିକ ଶ୍ରୀ ଫାର୍ମର ପଡ୍ୟୁସର କମ୍ପାନି ଆବେଦନ କରିଥିଲା । ଯାହାର ଅନୁସନ୍ଧାନ ପରେ ଚେନ୍ନାଇସ୍ଥିତ ପେଟେଣ୍ଟ, ଡିଜାଇନ ଏବଂ ବାଣିଜ୍ୟ ଚିହ୍ନର ନିୟନ୍ତ୍ରକ ଜେନେରାଲଙ୍କ ପକ୍ଷରୁ ଆବେଦନକୁ ସ୍ୱୀକୃତ ମିଳିଛି । କଳାଜିରା ଚାଉଳରେ ସ୍ୱତନ୍ତ୍ର ସ୍ୱାଦ ରହିଛି । ସେହିପରି ଔଷଧୀୟ ଗୁଣ ରହିଥିବାରୁ ମଧୁମେହ ରୋଗୀଙ୍କ ପାଇଁ ବିଶେଷ ଲାଭପ୍ରଦ ।

ତେବେ ବଜାର ବ୍ୟବସ୍ଥା ନଥିବା, ଉତ୍ପାଦନ ପାଇଁ ଅଧିକ ସମୟ ଲାଗିବା, ଅଳ୍ପ ଉତ୍ପାଦନ ହେବା ସହ ଖର୍ଚ୍ଚ ଅଧିକ ଯୋଗୁଁ ସମୟ କ୍ରମେ ଏହି ବିଶେଷ କିସମର ଧାନ ଚାଷ ପ୍ରତି ଚାଷୀ ବିମୁଖ ହୋଇଥିଲେ । ତଥାପି ବିଲୁପ୍ତ ଅବସ୍ଥାକୁ ଚାଲି ଆସିଥିବା ଏହି ଧାନ ବିହନକୁ ପଦ୍ମଶ୍ରୀ କମଳା ପୁଜାରି ଓ ତାଙ୍କ ପରିବାର ସାଇତି ରଖିଥିଲେ । ଜିଲ୍ଲା ତଥା ରାଜ୍ୟ ବାହାରକୁ ମଧ୍ୟ ବିହନ ପଠାଇଥିଲେ । କମଳାଙ୍କ ସହ ପ୍ରଗତି ଏନ୍ଜିଓ, ଜୈବିକଶ୍ରୀ ଫାର୍ମର ପ୍ରଡ୍ୟୁସର କମ୍ପାନି, ସ୍ୱାମୀନାଥନ ଗେବେଷଣା କେନ୍ଦ୍ର, ବିହନ ସଂଗ୍ରାହକ ନେତ୍ରାନନ୍ଦ ଲେଙ୍କା ଏବଂ ମନୋଜ ପାତ୍ର ପ୍ରମୁଖ ଏହାକୁ ଚାଷ କରି ଆସୁଛନ୍ତି ।

ଚାଷ ପରିମାଣ ବଢାଇବା ନିମନ୍ତେ ବିଭିନ୍ନ ସ୍ତରରେ ପ୍ରାୟସ ଜାରି ରହିଛି । ତେବେ ଗୋଟିଏ ଏକର ଜମିରୁ ମାତ୍ର ୫ରୁ ୧୦କୁଇଣ୍ଟାଲ ଧାନ ଅମଳ ହୋଇଥାଏ । ସେହିପରି ଉତ୍ପାଦନ ନିମନ୍ତେ ୧୪୦ ରୁ ୧୫୫ଦିନ ପର୍ଯ୍ୟନ୍ତ ସମୟ ଲାଗି ଯାଉଛି । ସାଧାରଣ ଚାଉଳ ଠାରୁ ମଧ୍ୟ ଏହାର ଦାମ୍ ଯଥେଷ୍ଟ ଅଧିକ । ଅନେକ ବିଶେଷତ୍ୱରେ ଭରପୁର ହୋଇଥିବାରୁ ଏହି ଧାନର ଅସ୍ତିତ୍ୱ ବଂଚାଇ ରଖିବାକୁ ଜୈବିକଶ୍ରୀ ଫାର୍ମର ପ୍ରଡ୍ୟୁସର କମ୍ପାନି ଉଦ୍ୟମ ଜାରି ରଖିଥିଲା ।

ତେଣୁ ୨୦୨୨ ମସିହା ଜାନୁଆରି ୧୧ତାରିଖରେ କମ୍ପାନି ପକ୍ଷରୁ ଜିଆଇ ଟ୍ୟାଗ୍ ନିମନ୍ତେ ଆବେଦନ କରାଯାଇଥିଲା । ଯାହାକୁ କ୍ଲାସ୍ -୩୦ ଭାବେ ପରିଚୟ ଦିଆଯାଇଛି ଏବଂ କାହାର କୌଣସି ଆପତି ରହିଥିଲେ ଜଣାଇବାକୁ ସୂଚନା ଦିଆଯାଇଛି ବୋଲି ସିଇଓ ମୁରଲୀଧର ଅଧିକାରୀ କହିଛନ୍ତି । ଏହା କୋରାପୁଟ ଜିଲ୍ଲା ପାଇଁ ବଡ ଉପଲବ୍ଧି ହୋଇଥିବାରୁ ଅଧିକରୁ ଅଧିକ ଚାଷୀ ଏହି ଧାନ ଚାଷ କରିବା ନିମନ୍ତେ ପ୍ରଶାସନ ଏବଂ ସରକାର ମଧ୍ୟ ପ୍ରୟାସ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବି ମହଲରେ ମତପ୍ରକାଶ
ପାଇଛି ।

Get real time updates directly on you device, subscribe now.