fbpx

ପୁଣି ଆସୁଛି କାଳବୈଶାଖୀ: ସତର୍କ କରାଇଲା ପାଣିପାଗ ବିଭାଗ

ଓଡ଼ିଶା ଭାସ୍କର: ସାରା ରାଜ୍ୟରେ ବଢୁଛି ତାତିର ପ୍ରକୋପ । ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ବର୍ତ୍ତମାନ ଉପର ମୁହାଁ ହେଉଛି ପାରଦ । ଫଳରେ ତାପମାତ୍ରା ବୃଦ୍ଧି ହେବାରେ ଲାଗିଛି । ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହରେ କୌଣସି ପରିବର୍ତ୍ତନ ନ ହେବାର ସମ୍ଭାବନା ଥିବା ବେଳେ ତାପମାତ୍ରା ୨-୩ ଡିଗ୍ରୀ ବୃଦ୍ଧି ପାଇପାରେ । ସେହିପରି ରାତିର ତାପମାତ୍ରା ମଧ୍ୟ ବୃଦ୍ଧି ପାଇବ । ଏ ନେଇ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଅନ୍ୟପଟେ ଚଳିତ ମାସ ୩୦ ରୁ ଏପ୍ରିଲ ପହିଲା ଯାଏଁ କାଳବୈଶାଖୀ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ବିଜୁଳି ଘଡ଼ଘଡ଼ି ଓ ବର୍ଷା ସହିତ ୩୦-୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ ବିଭାଗ ସୂଚନା ଅନୁସାରେ, ଆସନ୍ତା ୩୦ତାରିଖ ଦିନ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଏବଂ ୩୧ ତାରିଖରେ ବରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ ଓ ଝାରସୁଗୁଡ଼ା ଆଦି ଜିଲାରେ ସ୍ୱଳ୍ପ ଧରଣର ବର୍ଷା ହେବା ସହିତ କାଳବୈଶାଖୀ ହେବାର ଆଶଙ୍କା ରହିଛି। ଏସବୁ ଜିଲ୍ଲାରେ ଘଣ୍ଟାପ୍ରତି ପବନର ବେଗ ୩୦ରୁ ୪୦କିମି ବହିପାରେ। ତେଣୁ ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟରେ ୫ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ବା ତା’ ଉପରେ ରେକର୍ଡ କରାଯାଇଥିଲା। ଭବାନୀପାଟଣା, ବଲାଙ୍ଗିର ଓ ମାଲକାନଗିରିରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ନୟାଗଡ଼ରେ ୩୮.୨ ଓ ବୌଦ୍ଧରେ ୩୮.୫ ଡିଗ୍ରୀ ସେଲ୍‌ସିୟସ ରହିଥିଲା ଦିନର ସର୍ବୋଚ୍ଚ ତାପମାତ୍ରା। ସେହିପରି ଚାନ୍ଦବାଲିରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୩୭.୪, ସମ୍ବଲପୁରରେ ୩୭.୩, ସୁନ୍ଦରଗଡ଼ରେ ୩୭.୩, ତାଳଚେରରେ ୩୭.୮, ପାରଳାଖେମୁଣ୍ଡିରେ ୩୭.୬ ଓ ରାୟଗଡ଼ାରେ ୩୭ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିଲା।

 

 

Get real time updates directly on you device, subscribe now.