fbpx

ଆଜି ରିଲିଜ ହେଉଛି ‘KALKI 2898 AD’ : ବକ୍ସ ଅଫିସରେ ରେକର୍ଡ ଭାଙ୍ଗିବ ପ୍ରଭାସଙ୍କ ଏହି ସିନେମା…

ଓଡ଼ିଶା ଭାସ୍କର: ଆଜି ସାରା ଭାରତରେ ପ୍ରେକ୍ଷାଳୟକୁ ଆସୁଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘କଳକୀ ୨୮୯୮ ଏଡି’ । ଫିଲ୍ମର ଶୀର୍ଷକ ଘୋଷଣା, ସୁଟିଂ ଆରମ୍ଭରୁ ହିଁ ଏ ସିନେମା ସମ୍ପର୍କରେ ଢେର୍ ଚର୍ଚ୍ଚା ଆଲୋଚନା ଚାଲିଛି ସିନେପ୍ରେମୀଙ୍କ ମଧ୍ୟରେ । ଏହାରି ମଧ୍ୟରେ ‘କଳକୀ ୨୮୯୮ ଏଡି’ ର ଟ୍ରେଲର, ଟିଜର୍ ରିଲିଜ୍ ହୋଇ ବେଶ୍ ଦର୍ଶକୀୟ ପ୍ରଶଂସା ସାଉଁଟିଛି । ୬୦୦ କୋଟି ଟଙ୍କା ବଜେଟ୍ରେ ନିର୍ମିତ ଏ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରି ପୂର୍ବ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି । ‘ବାହୁବଳି’ ଚଳଚ୍ଚିତ୍ରରେ ଅଭିନୟ କରି କେବଳ ଭାରତବର୍ଷ ନୁହେଁ, ବରଂ ବିଦେଶରେ ମଧ୍ୟ ଖୁବ୍ ନାଁ କରିଛନ୍ତି ଅଭିନେତା ପ୍ରଭାସ ।

ବାହୁବଳି ଫେମ୍ ପ୍ରଭାସଙ୍କ ଏହି ଫିଲ୍ମ ‘କଳକୀ ୨୮୯୮ ଏଡି’ କୁ ନେଇ ସେ ପୁଣି ଚର୍ଚ୍ଚାରେ ରହିଛନ୍ତି । ଏଥିରେ ପ୍ରଭାସଙ୍କ ସହିତ ବଲିଉଡ ସୁନ୍ଦରୀ ଦୀପିକା ପାଦୁକୋନ, କମଲ ହାସନ ଓ ଅମିତାଭ ବଚ୍ଚନଙ୍କ ଭଳି ଲୋକପ୍ରିୟ କଳାକାର ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବେ । ଏ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନାଗ ଅଶ୍ୱିନ । ବର୍ତ୍ତମାନ ସୁଦ୍ଧା ଅଶ୍ୱୀନ ୨ଟି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ତନ୍ମଧ୍ୟରୁ ଗୋଟିଏ ଆଭରେଜ୍ ଏବଂ ଅନ୍ୟଟି ସୁପରହିଟ୍ ସାବ୍ୟସ୍ତ ହୋଇଥିଲା । ନାଗ ଅଶ୍ୱିନ ଓ ପ୍ରଭାସଙ୍କ ଫିଲ୍ମ ‘କଳକୀ ୨୮୯୮ ଏଡି’ ରିଲିଜ୍ ପୂର୍ବରୁ ହିଁ ଇତିହାସ ସୃଷ୍ଟି କରିସାରିଲାଣି । ବର୍ତ୍ତମାନ ସୁଦ୍ଧା ଏହି ଫିଲ୍ମ ଭାରତର ସବୁଠୁ ମହଙ୍ଗା ଫିଲ୍ମ ବୋଲି ଚର୍ଚ୍ଚା ହେଉଛି । ବହୁ ସଂଖ୍ୟରେ ଦର୍ଶକ ଅଗ୍ରୀମ ଟିକେଟ ମଧ୍ୟ ବୁକ୍ କରି ସାରିଛନ୍ତି । ବିଶେଷକରି ଏ ଫିଲ୍ମର ତେଲୁଗୁ ଭର୍ସନ୍ ଦେଖିବାକୁ ୯୦ ହଜାରରୁ ଅଧିକ ଟିକେଟ ବୁକିଂ ହୋଇସାରିଛି । ଫିଲ୍ମ ରିଲିଜର କାଉଣ୍ଟ ଡାଉନ୍ ଆରମ୍ଭ ହୋଇଗଲାଣି । ରିଲିଜ୍ ପୂର୍ବରୁ ହିଁ ଅଷ୍ଟ୍ରେଲିଆ ଓ ଉତ୍ତର ଆମେରିକାରେ ହଜାର ହଜାର ସଂଖ୍ୟାରେ ଟିକେଟ ଆଡଭାନ୍ସ ବୁକିଂ ହୋଇଛି । ଫିଲ୍ମ ରିଲିଜ୍ ତାରିଖର ସପ୍ତାହେ ପୂର୍ବରୁ ଏଭଳି ସ୍ଥିତି ଦେଖିବାକୁ ମିଳୁଛି । ଫିଲ୍ମ ରିଲିଜ୍ ତାରିଖ ଯେତେ ପାଖେଇ ଆସୁଛି, ଆଡଭାନ୍ସ ଟିକେଟ ବୁକିଂ ସେହି ଅନୁସାରେ ବଢ଼ୁଛି । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ, ଉଦ୍ଦୀପନା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇବାରେ ଲାଗିଛି ।

ଫିଲ୍ମର ବଜେଟ୍ ବହୁତ ବଡ଼ । ଏହା ପୂର୍ବରୁ କୌଣସି ଭାରତୀୟ ଫିଲ୍ମରେ ଏତେ ଟଙ୍କା ଖର୍ଚ୍ଚ ହୋଇନାହିଁ ବୋଲି କୁହାଯାଉଛି । ଫିଲ୍ମରେ ଅଭିନୟ କରୁଥିବା କଳାକାରମାନେ ମଧ୍ୟ ଏକକୁ ଆରେକ ବଳି ନାମୀ ଦାମୀ । ପ୍ରଭାସ, ଦୀପିକା, ସାଉଥ୍ର ଲୋକପ୍ରିୟ ଅଭିନେତା କମଲ୍ ହାସନ, ବିଗ୍ ବି ଅମିତାଭ ବଚ୍ଚନ । ବଡ଼ ବଜେଟ, ବଡ଼ ଷ୍ଟାରକାଷ୍ଟ । ତେଣୁ ‘କଳକୀ ୨୮୯୮ ଏଡି’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ, ରୋଜଗାର ସମ୍ବନ୍ଧିତ ପୂର୍ବ ରେକର୍ଡ ସବୁ ଭାଙ୍ଗି ଅଧିକ ରୋଜଗାର କରିବ ବୋଲି ଚର୍ଚ୍ଚା ହେବା ସ୍ୱାଭାବିକ କଥା । ‘କଲ୍କି ୨୮୯୮ ଏଡି’ ‘ଆର୍ ଆର୍ ଆର୍, ‘ଦଙ୍ଗଲ’, ‘ପଠାନ୍’, ‘ଜବାନ୍’ ‘କେଜିଏଫ୍ ୨’ ଓ ‘ବାହୁବଳି’ ଭଳି ଫିଲ୍ମର ରୋଜଗାର ରେକର୍ଡକୁ ପଛରେ ପକାଇ ଦେବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏ ସବୁ ଫିଲ୍ମ ବକ୍ସ ଅଫିସରେ ଝଡ଼ ସୃଷ୍ଟି କରିଥିଲେ । ଏହି ଭାରତୀୟ ଫିଲ୍ମଗୁଡ଼ିକ ବିଦେଶରେ ହଜାରେ କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଛନ୍ତି । ଏଗୁଡ଼ିକ ମଧ୍ୟରୁ କେବଳ ‘ଆର୍ ଆର୍ ଆର୍’ ର ବଜେଟ୍ ୫୫୦ କୋଟିରୁ ଅଧିକ ଥିଲା । ଅନ୍ୟ ଫିଲ୍ମଗୁଡ଼ିକର ବଜେଟ୍ ୩୦୦ କୋଟି ବା ତା’ଠାରୁ କମ୍ ଥିଲା ।

Get real time updates directly on you device, subscribe now.