fbpx

କୋଲକାତାରେ କଙ୍ଗାରୁ କୋର୍ଟ; ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ପୂରା ଗାଁରେ ବୁଲାଇଲେ

କୋଲକାତା: ପଶ୍ଚିମବଙ୍ଗର ଅଲ୍ଲୀପୁରଦ୍ୱାର୍ ରୁ ଆସିଛି ଏକ ଲଜ୍ଜାଜନକ ଘଟଣା । ସେଠାରେ ଏକ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ପୂରା ଗାଁରେ ବୁଲିବାକୁ ବାଧ୍ୟ କରାଗଲା । ପ୍ରକୃତ ଘଟଣା ହେଲା ମହିଳା ଜଣକ ୬ ମାସ ପରେ ନିଜର ଶାଶୁ ଘରକୁ ଫେରିଥିଲେ । ଏତେ ଦିନ ପରେ ଫେରିଥିବାରୁ ତାଙ୍କ ଉପରେ ଆରୋପ ଲଗାଯାଇଥିଲା ଯେ, ସେ ଏହି ୬ ମାସ ନିଜ ପ୍ରେମିକ ପାଖରେ ବିତାଇ ଫେରିଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଅଲ୍ଲୀପୁରଦ୍ୱାର୍ କୁମାରଗ୍ରାମରେ ଏହି ଘଟଣା ଘଟିଥିବା ବେଳେ ମହିଳା ଜଣକ ୬ ମାସ ତଳେ ସ୍ୱାମୀ ସହିତ ଝଗଡା ହେବା ପରେ ତଥାକଥିକ ପ୍ରେମିକ ସହିତ ଚାଲିଯାଇଥିଲେ । ଆଉ ୬ ମାସ ପରେ ଫେରିବା ପରେ ସେ କେଉଁଠି ଥିଲେ ସେ ସମ୍ପର୍କରେ ପଚରାଉଚରା କରାଯାଇଥିଲା । କିନ୍ତୁ ମହିଳା ଜଣକ କିଛି ନ କହିବାରୁ ଗାଁରେ ବୈଠକ ବସାଯାଇଥିଲା । ଆଉ ସେଠାକୁ ଉକ୍ତ ମହିଳାଙ୍କୁ ଖୁବ୍ ଅତ୍ୟାଚାର ଦେଇ ଭିଡି ଭିଡି ନିଆଯାଇଥିଲା । ଆଉ ଉଲଗ୍ନ କରି ମାଡ ମାରି ପୂରା ଗାଁରେ ବୁଲାଯାଇଥିଲା । ଏଥିରେ ତାଙ୍କ ପରିବାର ସମେତ କିଛି ଗାଁ ଲୋକ ମଧ୍ୟ ସାମିଲ ଥିଲେ । ସେମାନେ ଏହି ସମୟର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ୍ କରିଥିଲେ । ତେବେ ଏହି ଘଟଣା ପରେ ମହିଳାଙ୍କ କୌଣସି ଖୋଜ୍ ଖବର ମିଳିନଥିଲା ।

ତେବେ ଏହି ଘଟଣା ଭିଡିଓ ସାମନାକୁ ଆସିବା ପରେ ଅଲ୍ଲୀପୁରଦ୍ୱାରର ଏସପି ଭୋଳାନାଥ ପାଣ୍ଡେଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ୍ ଉକ୍ତ ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ । ଏଥିସହିତ ଏହି ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟ ସମ୍ପୃକ୍ତ ଥିବା ଲୋକମାନଙ୍କୁ ଖୋଜାଚାଲିଛି ।

Get real time updates directly on you device, subscribe now.