fbpx

୧୯ ଝିଅଙ୍କୁ ଫସାଇ ୭ଜଣଙ୍କୁ ବାହା ହୋଇଛି କଶ୍ମୀରୀ ସନ୍ଦିଗ୍ଧ ଈଶାନ ବୁଖାରୀର: ଗୁଇନ୍ଦା ବ୍ୟୁରୋ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସନ୍ଦିଗ୍ଧ ଈଶାନ ବୁଖାରୀକୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁର ଅଞ୍ଚଳରୁ ଗିରଫ କରିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଟିମ୍ ବୁଖାରୀକୁ ଜେରା କରିବା ସମୟରେ ଈଶାନ କାଶ୍ମୀର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ଓଡ଼ିଶାରେ ୭ରୁ ଅଧିକ ଯୁବତୀଙ୍କୁ ବିବାହ କରିଥିବା ଜାଣିବାକୁ ପାଇଛି। ସେ ବିଭିନ୍ନ ଡେଟିଂ ୱେବସାଇଟ୍ ଓ ଆପ୍ଲିକେସନରେ ସକ୍ରିୟ ରହୁଥିବା ବେଳେ ଯୁବତୀଙ୍କ ସହିତ ଅନ୍ତରଙ୍ଗ ସମ୍ପର୍କ ସୃଷ୍ଟି କରୁଥିଲା। ଆହୁରି ୧୦ରୁ ୧୨ ଯୁବତୀଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲା। ଯାହାର ପ୍ରମାଣ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ପାଖରେ ରହିଛି।

ଏବେ ଫେରାର ଈଶାନ ଧରାପଡ଼ିବା ପରେ ତାକୁ ପଞ୍ଜାବ, କେରଳ, କାଶ୍ମୀର ସମେତ ଏନଆଇଏ ଓ ଗୁଇନ୍ଦା ବ୍ୟୁରୋର ବରିଷ୍ଠ ଅଧିକାରୀ ଓଡ଼ିଶା ଆସି ଜେରା କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ନେଉଳପୁର ଭଡ଼ା ଘର ଯାଞ୍ଚ ସମୟରେ ଏସ୍‌ଟିଏଫ୍ ଟିମ୍ ୧୦୦ଟି କାଗଜପତ୍ର ଜବତ କରିଛି। ତା’ ନିକଟରୁ ଆମେରିକାର କୋରନେଲ୍ ବିଶ୍ବବିଦ୍ୟାଳୟ, କାନାଡିଆନ୍ ହେଲଥ ସର୍ଭିସ ଇନଷ୍ଟିଚ୍ୟୁଟ୍‌, ଖ୍ରୀଷ୍ଟିୟାନ ମେଡିକାଲ୍ କଲେଜ ଭେଲୋରର ଡାକ୍ତରୀ ଡିଗ୍ରି ସାର୍ଟିଫିକେଟ ଜବତ କରାଯାଇଛି। ଏହା ସହିତ ଆଫିଡେଭିଟ୍, ବଣ୍ଡ୍‌, ଏକାଧିକ ପରିଚୟପତ୍ର, ଏଟିଏମ୍ କାର୍ଡ, ଚେକ୍ ବୁକ୍‌, ଆଧାର କାର୍ଡ, ଭିଜିଟିଂ କାର୍ଡ ଇତ୍ୟାଦି ଜବତ ହୋଇଛି। ଈଶାନ ନିଜକୁ ସ୍ନାୟୁ ରୋଗ ବିଶେଷଜ୍ଞ, ଆର୍ମି ଡାକ୍ତର, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ, ଏନ୍‌ଆଇଏର ଉଚ୍ଚସ୍ତରୀୟ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ବୋଲି ବିଭିନ୍ନ ସ୍ଥାନରେ ପରିଚୟ ଦେଉଥିବା ଜଣାପଡ଼ିଛି।

Get real time updates directly on you device, subscribe now.