ଆଦାନୀ ଗ୍ରୁପ୍ ସହ ସମସ୍ତ ଚୁକ୍ତି ରଦ୍ଦ କଲେ କେନିଆ ସରକାର

ନୂଆଦିଲ୍ଲୀ: କେନିଆ ସରକାର ଗୁରୁବାର ଆଦାନୀ ଗ୍ରୁପ୍ ସହ ହୋଇଥିବା ସମସ୍ତ ଚୁକ୍ତିକୁ ରଦ୍ଦ କରିବାକୁ ଘୋଷଣା କରିଛନ୍ତି । ଏଥିରେ ବିଦ୍ୟୁତ୍ ଟ୍ରାନ୍ସମିସନ୍ ଏବଂ ବିମାନବନ୍ଦର ସମ୍ପ୍ରସାରଣ ଭଳି ବଡ଼ ପ୍ରକଳ୍ପ ଅନ୍ତର୍ଭୁକ୍ତ ଥିଲା । ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ସମେତ ୮ ଜଣଙ୍କ ବିରୋଧରେ ଆମେରିକାରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ ଆସିବା ପରେ କେନିଆ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ରାଷ୍ଟ୍ରପତି ୱିଲିୟମ୍ ରୁଟୋ ସଂସଦରେ ତାଙ୍କ ଅଭିଭାଷଣରେ କହିଛନ୍ତି, ଆମ ସରକାର ସ୍ୱଚ୍ଛତା ଏବଂ ସଚ୍ଚୋଟତାର ନୀତି ଉପରେ କାମ କରନ୍ତି ଏବଂ ଦେଶର ଭାବମୂର୍ତ୍ତି ଏବଂ ସ୍ୱାର୍ଥ ବିରୁଦ୍ଧରେ ହୋଇଥିବା ଚୁକ୍ତିକୁ ଅନୁମୋଦନ କରିବେ ନାହିଁ । ଦେଶର ନୀତି ଓ ମୂଲ୍ୟବୋଧର ବିପରୀତ କୌଣସି ଚୁକ୍ତିକୁ ଆମେ ଗ୍ରହଣ କରିବୁ ନାହିଁ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଆମର ସହଯୋଗୀ ରାଷ୍ଟ୍ରମାନଙ୍କଠାରୁ ମିଳିଥିବା ସୂଚନା ଆଧାରରେ ମୁଁ ପରିବହନ ମନ୍ତ୍ରଣାଳୟ ଏବଂ ଶକ୍ତି ଓ ପେଟ୍ରୋଲିୟମ ମନ୍ତ୍ରଣାଳୟ ସହ ଜଡିତ ଏଜେନ୍ସିଗୁଡ଼ିକୁ ଜେକେଆଇ ବିମାନବନ୍ଦରସମ୍ପ୍ରସାରଣ ସମ୍ବନ୍ଧୀୟ ଚୁକ୍ତିକୁ ତୁରନ୍ତ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ।