fbpx

ବଢ଼ିଲା ବିବାଦ, ରାଜ୍ୟପାଳଙ୍କୁ କୁଳାଧିପତି ପଦରୁ ହଟାଇବା ପାଇଁ ଅଧ୍ୟାଦେଶ ଆଣିବେ କେରଳ ସରକାର

ନୂଆଦିଲ୍ଲୀ: କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏବଂ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଆହୁରି ଘନୀଭୂତ ହେବାରେ ଲାଗିଛି। ସ୍ଥିତି ଏମିତି ଉପଜୁଲାଣି ଯେ, ରାଜ୍ୟପାଳଙ୍କୁ ବିଶ୍ଵ ବିଦ୍ୟାଳୟର କୁଳାଧିପତି ପଦରୁ ହଟାଇବା ପାଇଁ କେରଳ ସରକାର ଅଧ୍ୟାଦେଶ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି। ତେବେ ଅଧ୍ୟାଦେଶ ଆଣିବା ପୂର୍ବରୁ ରାଜ୍ୟ ସରକାର ବିଶେଷଜ୍ଞଙ୍କ ପରାମର୍ଶ ନେବେ।

ସୂଚନା ଅନୁଯାୟୀ, ରାଜ୍ୟ କ୍ୟାବିନେଟ୍ ବୁଧବାର ବିଶ୍ଵ ବିଦ୍ୟାଳୟର କୁଳାଧିପତି ପଦରୁ ରାଜ୍ୟପାଳଙ୍କୁ ହଟାଇ ତାଙ୍କ ସ୍ଥାନରେ କୌଣସି ବିଶେଷଜ୍ଞଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ଏମିତି ମାମଲା ପଶ୍ଚିମବଙ୍ଗରେ ଉପୁଜିଥିଲା। ତତ୍କାଳୀନ ରାଜ୍ୟପାଳ ଜଗଦୀପ ଧନଖଡଙ୍କ ବିରୋଧରେ ମମତା ସରକାର ଅଧ୍ୟାଦେଶ ଆଣିବାକୁ ପ୍ରସ୍ତୁତି କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଅଧ୍ୟାଦେଶକୁ ମଞ୍ଜୁରୀ ଦେବା ପାଇଁ ସୁପାରିସ କରାଯିବ। ଏହି ଆଧାରରେ ବିଶ୍ଵ ବିଦ୍ୟାଳୟ ଆଇନରେ କୁଳାଧିପତିଙ୍କ ନିଯୁକ୍ତି ସମ୍ବନ୍ଧିତ ଧାରାକୁ ହଟାଯାଇ ପାରିବ। ଉକ୍ତ ଧାରା ଅନୁଯାୟୀ, ରାଜ୍ୟପାଳ କେରଳ ରାଜ୍ୟର ୧୪ ବିଶ୍ଵ ବିଦ୍ୟାଳୟର କୁଳାଧିପତି ରହିବେ।

ପାଲଟା ଜବାବ ଦେଲେ ରାଜ୍ୟପାଳ
କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ମଧ୍ୟ ମାମଲାରେ ରାଜ୍ୟ ସରକାରଙ୍କୁ ରୋକଠୋକ୍ ଜବାବ ଦେଇଛନ୍ତି। ସେ କହିଛନ୍ତି ରାଜ୍ୟ ବିଶ୍ଵ ବିଦ୍ୟାଳୟଗୁଡିକରେ କୁଳପତିଙ୍କ ନିଯୁକ୍ତି ଯୋଗ୍ୟତା ଆଧାରରେ କରାଯାଉ ନାହିଁ ବରଂ ସିପିଆଇଏମର ସୁପାରିସକ୍ରମେ ନିଯୁକ୍ତି ଦିଆଯାଉଛି। ଏଥିାପାଇଁ ଏଲଡିଏଫ ସେମାନଙ୍କୁ ନିୟନ୍ତ୍ରଣ କରୁଛନ୍ତି। ସେମାନେ ପ୍ରତିଟି ସମୟରେ ବିଶ୍ଵ ବିଦ୍ୟାଳୟ କାମରେ ହସ୍ତକ୍ଷେପ କରୁଛନ୍ତି। ଏହାକୁ ଦେଇ ମୁଁ ଅସନ୍ତୁଷ୍ଟ ହେବା ସ୍ଵାଭାବିକ। ହସ୍ତକ୍ଷେପ ବିଶ୍ଵ ବିଦ୍ୟାଳୟର ବିକାଶ ସହ ସମ୍ବନ୍ଧିତ ନଥିଲା। ଏହା ଅଧିକାଂଶ ବିଭିନ୍ନ ପଦରେ ବସିଥିବା ସିପିଆଇଏମ ନେତାଙ୍କ ସଂପର୍କୀୟଙ୍କ ବିଷୟରେ ଥିଲା। ତାଙ୍କର ସମସ୍ତ ରୁଚି ହିଁ ନିଯୁକ୍ତି ଉପରେ ଥିଲା ବୋଲି ରାଜ୍ୟପାଳ ଶାଣିତ ସ୍ଵରରେ କହିଛନ୍ତି।

ବିବାଦର କାରଣ
ରାଜ୍ୟପାଳ ନଅ ବିଶ୍ଵ ବିଦ୍ୟାଳୟର କୁଳପତିଙ୍କ ଇସ୍ତଫା ମାଗିବା ପରେ ରାଜ୍ୟ ସରକାରଙ୍କ ସହ ବିବାଦ ଆରମ୍ଭ ହୋଇଥିଲା। ରାଜଭବନ ପକ୍ଷରୁ ଚିଠି ଜାରି କରାଯାଇ ବିଶ୍ଵ ବିଦ୍ୟାଳୟର କୁଳପତିମାନଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା। ଏପରିକି ରାଜ୍ୟପାଳ ମହମ୍ମଦ ଆରିଫ ଖାନ ତିରୁଅନନ୍ତପୁରମର ଏପିଜେ ଅବଦୁଲ କଲାମ ଟେକ୍ନୋଲୋଜିକଲ ବିଶ୍ଵ ବିଦ୍ୟାଳୟର କୁଳପତି ଭାବେ ସିଜା ଥମାସଙ୍କୁ ନିଯୁକ୍ତ କରିଥିଲେ। ଏହି ଠାରୁ ହିଁ ରାଜ୍ୟ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି।

ହାଇକୋର୍ଟ ଗଲେ ସରକାର
ରାଜ୍ୟପାଳଙ୍କ ଦ୍ଵାରା କରାଯାଇଥିବା କୁଳପତିଙ୍କ ନିଯୁକ୍ତିକୁ ରାଜ୍ୟ ସରକାର ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଛନ୍ତି। ହେଲେ ଉଚ୍ଚ ନ୍ୟାୟାଳୟ ଏହି ନିଯୁକ୍ତି ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଛନ୍ତି। ଅନ୍ୟପକ୍ଷେ ରାଜ୍ୟପାଳଙ୍କ ଆଦେଶ ପରେ ବିଶ୍ଵ ବିଦ୍ୟାଳୟର କୁଳପତି ମଧ୍ୟ କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି।

Get real time updates directly on you device, subscribe now.