fbpx

ଯୁଦ୍ଧର ନିୟମ ଭାଙ୍ଗିବା ହୋଇଥାଏ ଅପରାଧ: ଜାଣନ୍ତୁ କ’ଣ କହୁଛି ‘Law Of War’

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କୁହାଯାଏ ପ୍ରେମ ଏବଂ ଯୁଦ୍ଧରେ ସବୁକିଛି ସମ୍ଭବ । କିନ୍ତୁ ଯୁଦ୍ଧରେ ସବୁକିଛି ଯଥାର୍ଥ ନୁହେଁ । ଯୁଦ୍ଧର କିଛି ନିୟମ ରହିଛି । ଏହାର କିଛି କାନୁନ ରହିଛି । ଯାହାକୁ ନେଇ ଯୁଦ୍ଧ ଲଢ଼ିବାକୁ ହୋଇଥାଏ ଏବଂ ଜିତିବାକୁ ହୋଇଥାଏ । କିନ୍ତୁ ଯଦି କେହି ଯୁଦ୍ଧର ନିୟମକୁ ଭାଙ୍ଗିଥାନ୍ତି ଏହାକୁ ଅପରାଧ କୁହାଯାଏ ।

ବର୍ତ୍ତମାନ କରୋନା କବଳରୁ ମୁକ୍ତି ପାଇବାକୁ ଆରମ୍ଭ କରିଥିବା ବିଶ୍ୱବାସୀଙ୍କ ପାଇଁ ଏବେ ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଏକ ନୂଆ ସଂକଟ ଭାବରେ ଉଭା ହୋଇଛି । ୟୁକ୍ରେନ ଉପରେ ରୁଷ ଲଗାତାର ଭାବରେ ଆକ୍ରମଣ କରିଆସୁଛି । ଏମିତିକି ଦିନକୁ ଦିନ ଆକ୍ରମଣ ବଢ଼ିବାରେ ଲାଗିଛି । ଆକ୍ରମଣ ୭ ଦିନରେ ପହଞ୍ଚିଛି । ତଥାପି କୌଣସି ନିଷ୍କର୍ଷ ବାହାରି ନାହିଁ ।  ୟୁକ୍ରେନ ରାଜଧାନୀ କିଭ ଉପରେ କବ୍ଚା ପାଇଁ ଲଗାତାର ଚେଷ୍ଟା କରୁଛି ରୁଷ । ଏହା ସହ ଅନ୍ୟ ବଡ଼ ସହର ଖାରକିଭ ଉପରେ ମଧ୍ୟ ଲଗାତାର ଭାବରେ ଆକ୍ରମଣ ଜାରି ରଖିଛି ରୁଷ । ରିପୋର୍ଟ ଅନୁଯାୟୀ ରୁଷ ସୋମବାର ୟୁକ୍ରେନ ଉପରେ ୪୦୦ରୁ  ଅଧିକ ମିଶାଇଲ ମାଡ଼ କରିଛି । କିଭରେ ଏକ ଟିଭି ଟାୱାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ଏଥିରେ ୫ ସାଧାରଣ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି । ବୁଧବାର ମଧ୍ୟ ରୁଷର ମିଶାଇଲ ମାଡ଼ରେ ଖାରକିଭର ପୋଲିସ ଭବନରେ ବସ୍ପୋରଣରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଯୁଦ୍ଧକୁ ନେଇ ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ଯେ ‘ଯୁଦ୍ଧ ଅପରାଧ ଅଟେ’ । ସେ ଏହାକୁ ଆତଙ୍କୀ ସହ ତୁଳନା କରିଛନ୍ତି । ସେ ଆହୁରି କହିଛନ୍ତି କେହି ଏଥିପାଇଁ କେହି କ୍ଷମା କରିବେ ନାହିଁ ।

ତେବେ ଆସନ୍ତୁ ଜାଣିବା କ’ଣ ରହିଥାଏ ଯୁଦ୍ଧର ନିୟମ:

୧୯୪୩ ରୁ ୧୯୪୫ ପର୍ଯ୍ୟନ୍ତ ଦ୍ୱିତୀୟ ବିଶ୍ୱଯୁଦ୍ଧ ହୋଇଥିଲା । ଯାହାର ଫଳାଫଳ ଅତି ଭୟଙ୍କର ହୋଇଥିଲା । ପ୍ରାୟ ସାଢ଼େ ୫ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହି ବିଶ୍ୱ ଯୁଦ୍ଧରେ ପ୍ରଥମ ଥର ପରମାଣୁ ବୋମାର ମଧ୍ୟ ବ୍ୟବହାର ହୋଇଥିଲା । ତେବେ ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ହୋଇଥିବା ବିନାଶ ଯେପରି ପୁଣି ଥରେ ନହେଉ ଏଥିପାଇଁ ଏହାକୁ ରୋକିବା ପାଇଁ ୧୯୪୯ ରେ ବିଶ୍ୱର ସବୁ ଦେଶମାନେ ସୁଇଜରଲ୍ୟାଣ୍ଡର ଜେନିଭା ଠାରେ ଏକଜୁଟ ହୋଇଥିଲା । ଯାହାକୁ ଜେନିଭା ସମ୍ମିଳନୀ ବୋଲି ମଧ୍ୟ କୁହାଯାଏ । ଜେନିଭାରେ ଏକତ୍ରିତ ହୋଇଥିବା ସବୁ ଦେଶର ନେତାମାନେ ମିଶି ଯୁଦ୍ଧକୁ ନେଇ କିଛି ନିୟମ ତିଆରି କରିଥିଲେ । ଆଉ ଏହି ନିୟମକୁ ମାନିବାକୁ ସବୁ ଦେଶ ବାଧ୍ୟ ବୋଲି କୁହାଯାଇଥିଲା ।

ଏହି ନିୟମ ମଧ୍ୟରେ ଥିଲା କିପରି କୌଣସି ଯୁଦ୍ଧ ଲଢ଼ାଯିବ? ଯୁଦ୍ଧରେ କାହାକୁ ମାରିହେବ ଏବଂ କାହାକୁ ନୁହେଁ? କାହାକୁ ଟାର୍ଗେଟ କରାଯାଇପାରିବ ଏବଂ କାହାକୁ ନୁହେଁ? କେଉଁଭଳି ହତିଆରର ବ୍ୟବହାର କରାଯାଇପାରିବ?

ଜେନିଭା ସମ୍ମିଳନୀ ସମୟରେ ଯୁଦ୍ଧକୁ ନେଇ ଯେଉଁ ନିୟମ ହୋଇଥିଲା ତାହାକୁ ‘ଇଣ୍ଟରନାସନାଲ ହ୍ୟୁମାନିଟିରିୟନ ଲ’ ବା ‘ଲ ଅଫ୍ ୱାର’ ବୋଲି କୁହାଯାଏ । ଏଥିରେ ୧୬୧ ନିୟମ ରହିଛି । ଯାହାକୁ ବିଶ୍ୱର ସବ ଦେଶ ମାନିବାକୁ ବାଧ୍ୟ ।

ଏଥିରେ ଏହା ମଧ୍ୟ ଲେଖାଯାଇଛି ଯେ କେତେବେଳେ ଯୁଦ୍ଧ ସମୟରେ ‘ଲ ଅଫ୍ ୱାର’ ଲାଗୁହେବ । ଯଦି କୌଣସି ଯୁଦ୍ଧ ଗୋଟିଏ ଦେଶ ଭିତରେ ହେଉଛି ତେବେ ଏହି ନିୟମ ଲାଗୁହେବ ନାହିଁ । କିନ୍ତୁ ଯଦି ଦୁଇ ଦେଶ ମଧ୍ୟରେ ହେଉଛି ଏବଂ ସେଥିରେ ଅସ୍ତ୍ରଶସ୍ତ୍ରର ବ୍ୟବହାର ହେଉଛି ତେବେ ଏହି କାନୁନ ଲାଗୁହେବ । ଏହି ନିୟମକୁ କରିବାର ଉଦ୍ଦେଶ୍ୟ ଥିଲା ଯେ ଯେପରି ଯୁଦ୍ଧ ଲଢ଼ୁନଥିବା ଲୋକ କିମ୍ବା ଯେଉଁମାନେ ଯୁଦ୍ଧ ଲଢ଼ିବା ସ୍ଥିତିରେ ନାହାନ୍ତି ସେମାନଙ୍କର ସୁରକ୍ଷା କରିବା ।

କେଉଁଠାରେ ଆକ୍ରମଣ ହୋଇପାରିବ ଏବଂ କେଉଁଠାରେ ହୋଇପାରିବ ନାହିଁ:

ନିୟମ ଅନୁଯାୟୀ ଯୁଦ୍ଧ ସମୟରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଇପାରିବ ନାହିଁ । ଆବାସିକ ସ୍ଥାନ, ଆବାସିକ ବିଲ୍ଡିଂ, ଘର, ସ୍କୁଲ, କଲେଜକୁ ଟାର୍ଗେଟ କରାଯାଇପାରିବ ନାହିଁ । ସାଧାରଣ ଲୋକଙ୍କ ସହ ମେଡିକାଲ କର୍ମଚାରୀ, ଗଣମାଧ୍ୟମ ପ୍ରତିନଧି, ହସ୍ପିଟାଲ, ମେଡିକାଲ ୟୁନିଟ୍ ଙ୍କୁ ମଧ୍ୟ ଟାର୍ଗେଟ କରାଯାଇପାରିବ ନାହିଁ । ଏହାଛଡ଼ା ଐତିହ୍ୟ, ଧାର୍ମିକ, ସାଂସ୍କୃତିକ ସ୍ଥଳୀ, ସାଧାରଣ ନାଗରିକଙ୍କ ପାଇଁ ହୋଇଥିବା ଆଶ୍ରୟ ସ୍ଥଳୀ ଉପରେ ଏବଂ ସୈନ୍ୟ ନଥିବା ଅଞ୍ଚଳରେ ଆକ୍ରମଣ କରାଯାଇପାରିବ ନାହିଁ ।

ଏହାଛଡ଼ା କେହିବି ଆକ୍ରମଣ କରିବା ପୂର୍ବରୁ ପ୍ରଥମେ ଚେତାବନୀ ଦେବାକୁ ହେବ । ବିନା ଚେତାବନୀରେ କୌଣସି ଦେଶ ଅନ୍ୟ ଦେଶ ଉପରେ ଆକ୍ରମଣ କରିପାରିବ ନାହିଁ । ସେତିକି ନୁହେଁ ଯୁଦ୍ଧ ଦ୍ୱାରା ପ୍ରଭାବିତ ଅଞ୍ଚଳରୁ ସାଧାରଣ ଲୋକଙ୍କୁ ଉଦ୍ଧାର କରିବା ମଧ୍ୟ ଦେଶର ଦାୟିତ୍ୱ । ସାଧାରଣ ନାଗରିକକୁ ଢ଼ାଲ ଭାବରେ ବ୍ୟବହାର କରାଯାଇପାରିବନାହିଁ କିମ୍ବା ସେମାନଙ୍କୁ ସେଠାରେ ଯିବାକୁ କେହି ରୋକିପାରିବେ ନାହିଁ ।

ତେବେ ଯୁଦ୍ଧ ସମୟରେ ସୈନ୍ୟଙ୍କ ଠିକଣାକୁ ଟାର୍ଗେଟ କରିପାରିବେ । ଯୁଦ୍ଧ ସମୟରେ ଯଦି ଶତ୍ରୁ ଆତ୍ମସମର୍ପଣ କରୁଛନ୍ତି ତେବେ ତାଙ୍କ ସହ ଖରାପ ବ୍ୟବହାର କରାଯାଇପାରିବ ନାହିଁ । ସମ୍ମାନର ସହ ତାଙ୍କର ସାହଯ୍ୟ ମଧ୍ୟ କରାଯିବ ଏବଂ ଯଦି ଯୁଦ୍ଧ ବଦୀ କରାଯାଉଛି ତେବେ ତାଙ୍କ ସହ ମାନବୀୟ ବ୍ୟବହାର କରାଯିବ ।

ନିୟମ ଭାଙ୍ଗିଲେ ଅପରାଧ ବୋଲି କରାଯିବ ଗ୍ରହଣ:

ତେବେ ଯଦି କୌଣସି ଦେଶ ଏହି ନିୟମକୁ ଉଲ୍ଲଘଂନ କରୁଛନ୍ତି ତେବେ ତାଙ୍କୁ ଯୁଦ୍ଧ ଅପରାଧ ବୋଲି ଧରାଯାଏ । ଏମିତି ହେବା ଦ୍ୱାରା ସେହି ଦେଶ ବିରୋଧରେ ଅନ୍ତର୍ଜାତୀୟ କ୍ରିମିନାଲ କୋର୍ଟରେ ମାମଲା ରୁଜୁ ହୋଇଥାଏ । ସାଧାରଣ ନାଗରିକକୁ ଟାର୍ଗେଟ କରିବା, ସେମାନଙ୍କ ବନ୍ଦୀ କରିବା, ସମ୍ପତ୍ତି ଉପରେ କବ୍ଚା କରିବା, ଅମାନବୀୟ ବ୍ୟବହାର କରିବା, ନିର୍ଯ୍ୟାତନା ଦେବା, ଜାଣିଶୁଣି ହତ୍ୟା କରିବା, ଯୁଦ୍ଧବନ୍ଦୀଙ୍କୁ କୋର୍ଟରେ ମାମଲା ଲଢ଼ିବାକୁ ନଦେବା ଇତ୍ୟାଦିକୁ ଯୁଦ୍ଧ ଅପରାଧ ବୋଲି ଧରାଯାଏ ।

ଯଦି ସଡ଼କ, ବ୍ରିଜ୍, ପାୱାର ଷ୍ଟେସନ ଏବଂ ଫ୍ୟାକ୍ଟ୍ରିକୁ ସୈନ୍ୟବଳ ବ୍ୟବହାର କରୁଛନ୍ତି ତେବେ ତାହାକୁ ଟାର୍ଗେଟ କରାଯାଇପାରିବ ।

ସେନା ନଥିବା କୌଣସି ଗାଁ, ସହର, ବିଲ୍ଡିଂକୁ ଟାର୍ଗେଟ କରାଯାଇପାରିବ ନାହିଁ । ଏଠାରେ କୌଣସି ପ୍ରକାର ଆକ୍ରମଣ କଲେ ଏହାକୁ ଅପରାଧ ବୋଲି ଧରାଯିବ ।  ଧାର୍ମିକ, ଐତିହାସିକ, ସାଂସ୍କୃତିକ ସ୍ଥଳୀ, ସ୍କୁଲ , ହସ୍ପିଟାଲ ଉପରେ ଆକ୍ରମଣ କରାଗଲେ ଏହାକୁ ଯୁଦ୍ଧ ଅପରାଧ ବୋଲି ଧରାଯିବ । ସେହିଭଳି ଯଦି ଯୁଦ୍ଧ ସମୟରେ ହତ୍ୟା ହେଉଛି, ଦୁଷ୍କର୍ମ ହେଉଛି, ନିର୍ଯ୍ୟାତନା ହେଉଛି, ଲୋକଙ୍କୁ ଦାସ କରାଯାଉଛି, ବନ୍ଦୀ କରାଯାଉଛି ତେବେ ଏହା ଯୁଦ୍ଧ ନିୟମ ବିରୋଧୀ ।

Get real time updates directly on you device, subscribe now.