ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଗୁପ୍ତେଶ୍ୱର ପାହାଡ଼ରେ ଥିବା ଗୁପ୍ତେଶ୍ୱର ଗୁମ୍ଫା । ଗୁମ୍ଫାର ଅନ୍ଧକାର ଭିତରେ ଅବସ୍ଥାନ କରୁଛନ୍ତି ଦେବାଧିଦେବ ଆଶୁତୋଷ ଶଙ୍କର । ପାହାଡ଼ର ଶୀର୍ଷ ଦେଶର ଏକ ଗୁମ୍ଫା ମଧ୍ୟରେ ରହିଥିବା ବାବା ଗୁପ୍ତେଶ୍ୱରଙ୍କ ରହିଛି ଭିନ୍ନ ମାହାତ୍ମ୍ୟ । ପୌରାଣିକ ତଥ୍ୟ ଅନୂଯାୟୀ ଏହି ଶୈବପୀଠର ରହିଛି ଅନେକ କାହାଣୀ । ତେବେ ଆସନ୍ତୁ ଜାଣିବା ଏହି ଶୈବ ପୀଠର ଅଲୌକିକତା ଏବଂ ତାହା ସହ ଜାଣିବା ବାବା ଗୁପ୍ତେଶ୍ୱରଙ୍କ ମହାତ୍ମ୍ୟ ବିଷୟରେ ।
କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ନିକଟରେ ଏହି ଅଲୌକିକ ଶୈବପୀଠ ଅବସ୍ଥିତ । ୩ ଫୁଟ ଉଚ୍ଚତା ଓ ୧୦ ପରିଧି ବିଶିଷ୍ଟ ଏହି ଗୁପ୍ତେଶ୍ୱର ଶିବଲିଙ୍ଗ ପ୍ରତି ବର୍ଷ ଆକାରରେ ବଢିଥାଏ ବୋଲି ବିଶ୍ୱାସ ରହିଛି । ଏହି ଗୁମ୍ଫାରେ କାମଧେନୁ ଗାଈର କ୍ଷୀର ପାହାଡ଼ ଉପରୁ ଝରିଥିବାର ଲୋକକଥା ମଧ୍ୟ ରହିଛି । ଏହି ପବିତ୍ର କ୍ଷୀରକୁ ସଂଗ୍ରହ କରିବା ପାଇଁ ଶ୍ରଦ୍ଧାଳୁମାନେ ଅନେକ ସମୟ ଧରି ଅପେକ୍ଷା କରରହିଥାନ୍ତି ।
ବାବାଙ୍କୁ ଗୁପ୍ତେଶ୍ୱରଙ୍କୁ ନେଇ ଆଉ ଏକ କିମ୍ବଦନ୍ତୀ ମଧ୍ୟ ରହିଛି । କୁହାଯାଏ ପ୍ରଭୁ ଶ୍ରୀରାମ ବନବାସ ସମୟରେ ମା’ ସୀତା ଓ ଲକ୍ଷ୍ମଣଙ୍କ ସହ ଏହି ଦଣ୍ଡକାରଣ୍ୟରେ ରହୁଥିଲେ । ଭଗବାନ ରାମ ଜଙ୍ଗଲ ଭିତରେ ଥିବା ଏହି ଶିବ ଲିଙ୍ଗକୁ ଝୁଣ୍ଟି ପଡ଼ିଥିଲେ । ପରେ ପୁରୁଷୋତ୍ତମ ଶ୍ରୀରାମ ଅନୁଭବ କଲେ ଗୁମ୍ଫାରେ ଥିବା ଏହି ଶିବ ଲିଙ୍ଗ ଅତ୍ୟନ୍ତ ବିରଳ ସହ ଅସାଧାରଣ ଏବଂ ଶିବ ଲିଙ୍ଗକୁ ପୂଜା କରିବା ଆରମ୍ଭ କରି ଦେଇଥିଲେ । ଏହି ଶିବ ଲିଙ୍ଗ ଗୁପ୍ତରେ ଥିବାରୁ ଶ୍ରୀରାମ ଏହି ଶିବଲିଙ୍ଗର ନାମ ଗୁପ୍ତେଶ୍ୱର ରଖିଥିଲେ । ସେହିପରି ଏହି ଗୁମ୍ଫା ନିକଟରେ ରାମକୁଣ୍ଡ ଓ ସୀତାକୁଣ୍ଡ ରହିଛି । ଲୋକକଥା ଅନୁସାରେ ଏହି କୁଣ୍ଡରେ ରାମ ଓ ସୀତା ସ୍ନାନ କରୁଥିଲେ ।
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ଏହି ଗୁମ୍ଫା ଓ ଶିବଲିଙ୍ଗ ବର୍ଷ ବର୍ଷ ପର୍ଯ୍ୟନ୍ତ ଲୁଚି ରହିଥିଲା । କୁହାଯାଏ ଥରେ ରାଜା ବିକ୍ରମ ହରିଣର ଶିକାର କରିବା ପାଇଁ ଏହି ଗୁମ୍ଫା ନିକଟରେ ପହଞ୍ଚିଥିଲେ । ଗୁମ୍ଫାର ପ୍ରବେଶ ଦ୍ୱାରରେ ଜଗି ରହିଥିବା ଶିକାରୀକୁ ରାଜା ପଚାରିବାରୁ ଶିକାରୀ ଜଣକ କୌଣସି ହରିଣ ଦେଖିନଥିବା କହିଥିଲେ । ରାଜା ନିରାଶ ହୋଇ ଗୁମ୍ଫା ନିକଟରେ ଥିବା ଏକ ଜଳ ପ୍ରପାତରୁ ଶୋଷ ମେଣ୍ଟାଇ ଗୁମ୍ଫାରେ ଶୋଇ ପଡ଼ିଥିଲେ । ଶୋଇଥିବା ସମୟରେ ହିଁ ଭଗବାନ ଶଙ୍କର ରାଜା ବିକ୍ରମଙ୍କ ସ୍ୱପ୍ନରେ ଆସି ଗୁମ୍ଫା ଭିତରେ ତାଙ୍କର ଉପସ୍ଥିତି ପ୍ରକାଶ କରିଥିଲେ ।
ରାଜା ବିକ୍ରମ ଜାଗ୍ରତ ହୋଇ ଦେଖିଲେ ପୂର୍ବରୁ ଗୁମ୍ଫା ଦ୍ୱାରଦେଶରେ ଥିବା ଶିକାରୀ ଜଣକ ନଥିଲେ । ରାଜା ଗୁମ୍ଫା ଭିତରକୁ ପ୍ରବେଶ କରିଥିଲେ କିନ୍ତୁ ସେଠାରେ କୌଣସି ଶିବ ଲିଙ୍ଗ ନଥିଲା । ରାଜା ଦୁଖିତଃ ହୋଇ ଗୁମ୍ଫାର ଶୀତଳ ଚଟାଣରେ ପ୍ରଣାମ କରିବା କ୍ଷଣି ଅନୁଭବ କଲେ ଶିକାରୀ ଜଣକ ସ୍ୱୟଂ ଶିବ । ଏହି ଘଟଣା ପରଠାରୁ ଗୁପ୍ତ ଶିବଲିଙ୍ଗଙ୍କ ମହିମା ସର୍ବଦିଗରେ ବ୍ୟାପିଥିଲା । ରାଜା ବିକ୍ରମ ମଧ୍ୟ ଶ୍ରାବଣ ମାସରେ ଶିବଦର୍ଶନ ପାଇଁ ଚାଲି ଚାଲି ଏହି ଗୁମ୍ଫାକୁ ଆସୁଥିବାର ଲୋକକଥା ରହିଛି । ସେହିପରି ମହାକବି କାଳିଦାସଙ୍କ ରଚିତ ପୁସ୍ତକ ମେଘଦୂତମରେ ଏହି ଜଙ୍ଗଲର ସୌନ୍ଦର୍ଯ୍ୟ ବିଷୟରେ ବର୍ଣ୍ଣନା ହୋଇଥିବା ଦେଖିବାକୁ ମିଳେ ।
ମହା ଶିବରାତ୍ରୀ, ଶ୍ରାବଣ ମାସ ଏବଂ ପୂର୍ଣ୍ଣିମା ସମୟରେ ଏଠାକୁ ଭକ୍ତଙ୍କ ଭିଡ଼ ଲାଗି ରହିଥାଏ । ଗୁମ୍ଫା ଭିତରେ ଗୁପ୍ତ ଭାବରେ ଶିବଲିଙ୍ଗ ରହିଥିବାରୁ ଏହି ଶୈବପୀଠକୁ ଗୁପ୍ତେଶ୍ୱର ଶୈବପୀଠ ଭାବେ ଅଭିହିତ କରାଯାଇଛି ।