fbpx

ହୋଲି ଖେଳିବା ପୂର୍ବରୁ ଜାଣନ୍ତୁ ଗାଇଡ଼ଲାଇନ, ସୂଚନା ଦେଲେ DCP

ଭୁବନେଶ୍ୱର: ରଙ୍ଗର ପର୍ବ ହୋଲି ଆଜି ସମଗ୍ର ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି । ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ହୋଲି ଲୋକମାନଙ୍କ ମଧ୍ୟରେ ସଦ୍‍ଭାବନା ଆଣିଥାଏ । ହୋଲି ପର୍ବ ଲୋକମାନଙ୍କ ମଧ୍ୟରେ ପ୍ରେମ ଓ ଭ୍ରାତୃଭାବର ବିକାଶ କରିବ ବୋଲି ସେ କାମନା କରିଛନ୍ତି ।

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି, ହୋଲି ପର୍ବ ଭ୍ରାତୃଭାବର ବିକାଶ କରିବା ସହ ଲୋକମାନଙ୍କ ମଧ୍ୟରେ ପ୍ରେମ ଓ ଶ୍ରଦ୍ଧାର ପ୍ରଚାର କରିଥାଏ । ହୋଲି ପର୍ବ ଲୋକମାନଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣିଦେବ ବୋଲି ସେ କାମନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଲିର ଶୁଭକାମନା ଜଣାଇବା ସହ ଏହି ପାରମ୍ପରିକ ପର୍ବ ସମସ୍ତଙ୍କ ଜୀବନରେ ନୂଆ ଉତ୍ସାହ ନେଇ ଆସୁ ବୋଲି କହିଛନ୍ତି ।

ରାଜ୍ୟପାଳ ରଘୁବର ଦାସ ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରେ ସମସ୍ତ ଓଡ଼ିଆଙ୍କର ସୁଖ, ଶାନ୍ତି ଓ ଆନନ୍ଦ କାମନା କରିଛନ୍ତି ।

ହୋଲିକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ବିଭାଗ ପକ୍ଷରୁ ଭୁବନେଶ୍ୱରର ୫ଟି ସ୍ଥାନରେ ଅଘଟଣ ଏଡାଇବା ପାଇଁ ଲାଇଫଗାର୍ଡ, ଜ୍ୟାକେଟ, ରବରବୋଟ ଆଦି ରଖାଯିବା ସହ ଅଗ୍ନିଶମ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ଏହାଛଡ଼ା କୁଆଖାଇ, ଦୟା ନଦୀ ଓ ପୁରୀ କେନାଲ ଆଦିରେ ଅଗ୍ନିଶମ କର୍ମଚାରୀ ମୁତୟନ ହୋଇଛନ୍ତି ।

ପ୍ରତି ତୁଠରେ ୬ ଜଣ ଉଦ୍ଧାରକାରୀ ଦଳ ରଖାଯିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେବେ ନିଶାସକ୍ତ ଅବସ୍ଥାରେ ପାଣି ମଧ୍ୟକୁ ନ ଯିବା ଓ ଚୋରା ବାଲି ପ୍ରତି ସତର୍କ ରହିବାକୁ ଅଗ୍ନିଶମ ବିଭାଗ ପରାମର୍ଶ ଦେଇଛି । କିଛି ଅଘଟଣ ଘଟିଲେ ୧୧୨ ନମ୍ବରକୁ କଲ୍‍ କରିବାକୁ ଅଗ୍ନିଶମ ଅଧିକାରୀ ଅବନୀକାନ୍ତ ସ୍ୱାଇଁ କହିଛନ୍ତି ।

ହୋଲି ପର୍ବ ପାଳନ ବେଳେ ରାସାୟନିକ ରଙ୍ଗ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି । ହୋଲିରେ ବିଶୃଙ୍ଖଳିତ ଆଚରଣ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ୍‍ ପୋଲିସ୍‍ ପକ୍ଷରୁ ସୂଚନା ଦିଆଯାଇଛି । ସର୍ବସାଧାରଣ ସ୍ଥାନ ଏବଂ ବିଭିନ୍ନ ହୋଟେଲ୍‍ରେ ହୋଲି ପାଳନ ଉପରେ ସତର୍କ ଦୃଷ୍ଟି ରଖାଯାଇଛି ।

କଟକରେ ହୋଲିପାଇଁ ୧୫ ପ୍ଲାଟୁନ୍‍ ପୁଲିସ୍‍ ଫୋର୍ସ ମୁତୟନ କରାଯାଇଛି । କୌଣସି ସ୍ଥାନରେ ରାସ୍ତା ଅବରୋଧ କରି ହୋଲି ଖେଳାଯାଇପାରିବ ନାହିଁ ବୋଲି କଟକ ଡି.ସି.ପି. ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.