fbpx

କଳା ବଳଦକୁ ଧଳା କରି ଦେଲେ ବାବା ଧବଳେଶ୍ୱର: ସେବେଠୁ ଲାଗିଛି ଭକ୍ତଙ୍କ ଭିଡ଼

କଟକ(ଓଡ଼ିଶା ଭାସ୍କର):ଓଡ଼ିଶାରେ ଅନେକ ଶୈବପୀଠ ଥିଲେ ମଧ୍ୟ ଧବଳେଶ୍ୱର ଶୈବପୀଠ ଅନ୍ୟତମ । କଟକ ମହାନଦୀ କୂଳରେ ଥିବା ଏକ କ୍ଷୁଦ୍ର ଦ୍ୱୀପରେ ଅବସ୍ଥିତ ଏହି ଶୈବପୀଠର ମହିମା ଅଲୌକିକ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ରହିଥିବା ଏହି ଶୈବପୀର ରହସ୍ୟ ଭିନ୍ନ । ଦୂର ଦୂରାନ୍ତରରୁ ଅନେକ ଶ୍ରଦ୍ଧାଳୁ ବାବା ଧବଳେଶ୍ୱରଙ୍କ ଦର୍ଶନ ନିମନ୍ତେ ଧାଇଁ ଆସିଥାନ୍ତି । ଏହି ଶୈବପୀଠଟି ଦ୍ୱୀପରେ ଅବସ୍ଥିତ ଥିବାରୁ ପର୍ଯ୍ୟଟକମାନେ ଆକର୍ଷିତ ହୋଇଥାନ୍ତି । ଧବଳେଶ୍ୱରର ଅର୍ଥ ହେଉଛି ଧବଳ ଈଶ୍ୱର ଅର୍ଥାତ ଧଳା ରଙ୍ଗର ଭଗବାନ । ସେହିପରି ମନ୍ଦିରର ନାମକରଣକୁ ନେଇ ପୁରାଣରେ ଅନେକ କଥା ବର୍ଣିତ ଅଛି । ତେବେ ଆସନ୍ତୁ ଜାଣିବା ମନ୍ଦିରର ନାମକରଣର କଣ ରହିଛି ରହସ୍ୟ ।

ଲୋକକଥା ଅନୁସାରେ ମହାଦେବ ଏକ କଳା ବଳଦକୁ ଧଳା କରି ଦେଇଥିଲେ ପରେ ଏହି କିମ୍ବଦନ୍ତୀ ଅନୁସାରେ ମହାଦେବ ବାବା ଧବଳେଶ୍ୱର ଭାବେ ଖ୍ୟାତ ହୋଇଥିଲେ । ବିଶ୍ୱାସ କରାଯାଏ ଯେ ଥରେ ଜଣେ ଚୋର ଏକ କଳା ବଳଦ ଚୋରି କରି ଆଣି ଏହି ଦ୍ୱୀପରେ ଲୁଚି ରହିଥିଲା । ଗାଁ ଲୋକମାନେ ବଳଦ ଚୋରି ହୋଇଥିବା ଜାଣିବା ପରେ ଚୋରଟିକୁ ଖୋଜିବା ଆରମ୍ଭ କରି ଦେଇଥିଲେ । ଲୋକଙ୍କ ମାଡ଼ ଭୟରେ ଚୋରଟି ଭଗବାନ ଶିବଙ୍କୁ ପ୍ରାର୍ଥନା କରିବାକୁ ଲାଗିଥିଲା । ଚୋର ନିଜ ଜୀବନ ବଞ୍ଚାଇବା ପାଇଁ ଭଗବାନ ଶିବଙ୍କୁ ଆକୁଳ ନିବେଦନ କରୁଥିବା ସମୟରେ ମହାଦେବ ଏକ ସନ୍ୟାସୀ ରୂପରେ ଗାଁ ଲୋକଙ୍କ ନିକଟରେ ଉଭା ହୋଇଥିଲେ ।

ସନ୍ୟାସୀ ରୂପୀ ଶିବ ଲୋକମାନଙ୍କୁ ରାଗିବାର କାରଣ ପଚାରିବାରୁ ଲୋକମାନେ ତାଙ୍କ କଳା ବଳଦ ଚୋରି ହୋଇଥିବା ସନ୍ୟାସୀଙ୍କୁ ଜଣାଇଥିଲେ । ଚୋରଟିକୁ ମଧ୍ୟ ସେମାନେ ଖୋଜୁଥିବା ପ୍ରକାଶ କରିଥିଲେ । ଏହା ପରେ ସନ୍ୟାସୀ ଜଣକ ପାଖରେ କୌଣସି କଳା ବଳଦ ନଥିବା ଗାଁ ଲୋକମାନଙ୍କୁ କହିଥିଲେ । କିନ୍ତୁ ନିକଟରେ ଏକ ଧଳା ବଳଦ ଚରୁ ଥିବାର ସନ୍ୟାସୀ ରୂପି ବାବା ଶଙ୍କର ଲୋକମାନଙ୍କୁ ଦେଖାଇଥିଲେ । ଲୋକମାନେ ମଧ୍ୟ ଧଳା ରଙ୍ଗର ବଳଦ ଚରୁଥିବାର ଦେଖି ଏହା ତାଙ୍କ ଚୋରି ବଳଦ ନୁହେଁ ବୋଲି ବିଶ୍ୱାସ କରିଥିଲେ । ଲୋକମାନେ ବଳଦ ଦେଖୁଥିବା ସମୟରେ ହିଁ ସନ୍ୟାସୀ ଜଣକ ଅର୍ନ୍ତଧାନ ହୋଇ ଯାଇଥିଲେ । ଏହା ପରେ ଭୟରେ ଥିବା ଚୋର ଲୁଚି ରହିଥିବା ସ୍ଥାନରୁ ବାହାରି ଆସିଥିଲା କିନ୍ତୁ କଳା ବଳଦ ଧଳା ହୋଇଯିବା ଘଟଣା ତାକୁ ଆଶ୍ଚଯ୍ୟ ଲାଗିବାରୁ ସେ ସାହସ ସଞ୍ଚୟ କରି ଗାଁ ଲୋକଙ୍କୁ ସମସ୍ତ ସତ କଥା କହିଥିଲା । ଭଗବାନ ନୀଳକଣ୍ଠ ତାର ପ୍ରର୍ଥନାକୁ ସ୍ୱୀକାର କରି ଏହି କଳା ବଳଦକୁ ଧଳା କରି ଦେଇଥିବା ଗାଁ ଲୋକଙ୍କ ନିକଟରେ ପ୍ରକାଶ କରିଥିଲା । ଏହି ଘଟଣା ପର ଠାରୁ ମହାଦେବଙ୍କୁ ବାବା ଧବଳେଶ୍ୱର ଭାବେ ପୂଜା କରାଗଲା ।

ସେହିପରି ଅନ୍ୟ ଏକ ଲୋକକଥା ଅନୁସାରେ ଦେବରାଜ ଇନ୍ଦ୍ର ନାମୁଚିକି ନାମକ ଏକ ବ୍ରହ୍ମ ରାକ୍ଷସକୁ ହତ୍ୟା କରିଥିଲେ । ଏହି ପାପରୁ ମୁକ୍ତି ପାଇବା ପାଇଁ ମହାନଦୀରେ ସ୍ନାନ ସାରି ଦେବରାଜ ଇନ୍ଦ୍ର ମହାଦେବଙ୍କୁ ସ୍ଥାପନା କରି ପୂଜା କରିଥିଲେ । ତେଣୁ ବିଶ୍ୱାସ କରାଯାଏ ବାବା ଧବଳେଶ୍ୱର ହେଉଛନ୍ତି ଇନ୍ଦଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ଐନ୍ଦ୍ରଲିଙ୍ଗ । ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ଏହି ପୀଠରେ ଏକ କଳା ବୃକ୍ଷର ରଙ୍ଗ ଧଳା ହୋଇଥିବାରୁ ବାବା ଶଙ୍କର ଧବଳେଶ୍ୱର ନାମରେ ନାମିତ ।

ବଡ଼ଓଷା ଧବଳେଶ୍ୱର ପୀଠର ଏକ ମୁଖ୍ୟ ପର୍ବ । ଏହି ପର୍ବରେ ବାବା ଧବଲେଶ୍ୱରଙ୍କୁ ନାଗା ସ୍ୱାନ କରାଯାଇଥାଏ । ନାଗସ୍ନାନରେ ଭୋଲେନାଥଙ୍କୁ ୧୦୦ଥର ଜଳାଭିଷେକ କରାଯାଇଥାଏ । ଏହି ପର୍ବରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଧବଳେଶ୍ୱରର ଶ୍ରାବଣ ଯାତ୍ରା ହେଉଛି ଅନ୍ୟତମ । ବହୁ ଦୂର ଦୂରାନ୍ତରରୁ ବୋଲବମ ଭକ୍ତମାନେ ନିଜର ମନସ୍କାମନା ପୂରଣ ପାଇଁ ଶ୍ରାବଣ ମାସରେ ଏହି ପୀଠକୁ ଆସିଥାନ୍ତି । ସେହିଭଳି ଶୀତଳଷଷ୍ଠୀରେ ଏହି ପୀଠକୁ ଭକ୍ତ ମାନଙ୍କର ସୁଅ ଛୁଟି ଥାଏ । ଏହି ପୀଠରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ବଡ଼ ଧୁମଧାମରେ ପାଳନ କରା ଯାଉଥିବାର ଦେଖିବାକୁ ମିଳେ । ଏହା ବ୍ୟତୀତ ଜାଗର ଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ ।

ବାବା ଧବଳେଶ୍ୱର ମନ୍ଦିରରେ ପହଞ୍ଚିବା ପାଇଁ ପାଦଚଲା ଝୁଲନ୍ତା ପୋଲକୁ ପାର କରିବାକୁ ହୋଇଥାଏ । ଏହି ପାଦ ଚଲା ଝୁଲନ୍ତା ପୋଲଟି ଏସିଆର ବୃହତ୍ତମ ପାଦ ଚଲା ଝୁଲନ୍ତା ପୋଲ ଭାବେ ବିବେଚିତ । ୨୦୦୬ ମସିହାରେ ଏହି ଝୁଲନ୍ତା ପୋଲଟି ଲୁହାରେ ନିର୍ମିତ ହୋଇଥିଲା । ପ୍ରଥମେ ଏହି ପୋଲରେ ୧୫୦୦ ଲୋକ ଯିବା ପାଇଁ ପ୍ରଶାସନର ଅନୁମତି ଥିଲାବେଳେ ବର୍ତ୍ତମାନ ଏହି ପୋଲରେ ମାତ୍ର ୬୦୦ଲୋକଙ୍କୁ ଯିବା ପାଇଁ ଅନୁମତି ରହିଛି । ୨୦୦୬ ମସିହା ପୂର୍ବରୁ ଭକ୍ତମାନେ ଡଙ୍ଗା ସାହାଯ୍ୟରେ ମହାନଦୀ ପାର ହୋଇ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଆସୁଥିଲେ । କିନ୍ତୁ ମହାନଦୀରେ ରହିଥିବା ଗଣ୍ଡ ପାଇଁ ଭକ୍ତମାନେ ଡଙ୍ଗାରେ ଆସୁଥିବା ସମୟରେ ଦୁର୍ଘଟଣା ଘଟୁଥିଲା । ଏହି ଦୁର୍ଘଟଣାରେ ଭକ୍ତମାନଙ୍କ ପ୍ରାଣହାନି ହେଉଥିବାରୁ ପ୍ରଶାସନ ଏହି ଝୁଲନ୍ତା ପୋଲକୁ ନିର୍ମାଣ କରିଥିଲା ।

Get real time updates directly on you device, subscribe now.