fbpx

କୋଣାର୍କ ହେବ ରାଜ୍ୟର ପ୍ରଥମ ସୋଲାର ସିଟି, ୨୦୨୩ ଶେଷ ସୁଦ୍ଧା ହେବ କାର୍ଯ୍ୟକ୍ଷମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର । କୋଣାର୍କ ହେବାକୁ ଯାଉଛି ରାଜ୍ୟର ପ୍ରଥମ ସୋଲାର ସିଟି । ଆସନ୍ତା ୨୦୨୩ ମସିହା ଶେଷ ସୁଦ୍ଧା ଏହି ସୋଲାର ପ୍ରୋଜେକ୍ଟ କାର୍ଯ୍ୟକ୍ଷମ ହେବ । ସୌରଶକ୍ତିରେ କୋଣାର୍କ ସୂର୍ଯ୍ୟମନ୍ଦିର ସମେତ ସାରା ସହର ଆଲୋକିତ ହେବ । ଏଥିପାଇଁ ଜୁନାଗଡ଼ ତେନ୍ତୁଳିପଦାଠାରେ ୧୦ ମେଗାୱାଟ ବିଶିଷ୍ଟ ସୌର ପ୍ରକଳ୍ପ ସ୍ଥାପନ କରାଯିବ । ଏମଏନଆରଆଇରେ ସୌର ପ୍ରକଳ୍ପ ସ୍ଥାପନ କରିବ କୋଣାର୍କ ସୂର୍ଯ୍ୟନଗରୀ ପ୍ରାଇଭେଟ ଲିମିଟେଡ କଲସୋର୍ଟିୟମ ।

ସୌର ବା ଅକ୍ଷୟ ଶକ୍ତିରେ ବିଦ୍ୟୁତ ଉତ୍ପାଦନ ଫଳରେ ଜଳବାୟୁ ପ୍ରଦୂଷଣ ହ୍ରାସ ପାଇବ । ଏଥିସହିତ ସୌର ଶକ୍ତି ବିଜୁଳି ଦ୍ୱାରା ଉପଭୋକ୍ତାଙ୍କୁ କମ୍ ବିଜୁଳି ବିଲ୍ ଦେବାକୁ ପଡ଼ିବ । ଏହି ପ୍ରୋଜେକ୍ଟ ପାଇଁ ଗ୍ରୀଡକୋ ସହିତ ଏକ ଘରୋଇ ସଂସ୍ଥା ଚୁକ୍ତିନାମା ସ୍ୱାକ୍ଷର କରିଛି । କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଏନଏସି ଅଞ୍ଚଳରେ ଥିବା ପ୍ରତ୍ୟେକ ବିଜୁଳି ଗ୍ରାହକଙ୍କ ଘରେ ସୂର୍ଯ୍ୟକିରଣରୁ ଉତ୍ପାଦିତ ବିଜୁଳି ପହଞ୍ଚିବ ।

କେନ୍ଦ୍ର ସରକାରଙ୍କ ଏମଏନଆରଆଇ ଯୋଜନାରେ ଏହି ପ୍ରୋଜେକ୍ଟ ପରଚାଳିତ ହେଉଛି । ଆସନ୍ତା ୨୦୨୩-୨୪ରୁ ଆରମ୍ଭ ହୋଇ ୨୫ ବର୍ଷ ପର୍ଯ୍ୟନ୍ତ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଗ୍ରାହକଙ୍କୁ ପ୍ରତି କିଲୋୱାଟ ସୌର ଶକ୍ତି ବ୍ୟବହାର ପାଇଁ ମାତ୍ର ୨.୭୭ ଟଙ୍କା ଦେବାକୁ ପଡ଼ିବ । ଏହି ବ୍ୟବସ୍ଥାରେ ପୂର୍ବ ପରି ଟ୍ରାନ୍ସମିସନ ଖର୍ଚ୍ଚ ରହୁ ନଥିବାରୁ ଏଥିରେ କ୍ଷୟକ୍ଷତିର ସମ୍ଭାବନା କମ୍ ରହିବ । ଏହି ପ୍ରକଳ୍ପ ପାଇଁ ପାଖାପାଖି ୨୫ କୋଟି ଯଙ୍କା ବ୍ୟୟ ଅଟକଳ କରାଯାଇଛି ।

କୋଣାର୍କ ଏନଏସିରେ ବସବାସ କରୁଥିବା ୩୦ ହଜାର ଲୋକ ଏଥିରେ ଉପକୃତ ହେବେ । ଦୈନନ୍ଦିନ କାର୍ଯ୍ୟରେ ସୌର ଶକ୍ତି ବ୍ୟବହାର କରାଯିବା ସହିତ ଇ-ଯାନ ଚଳାଚଳକୁ ମଧ୍ୟ ପ୍ରୋତ୍ସାହନ ମିଳିବ । କୋଣାର୍କକୁ ସୌରଶକ୍ତି ଯୋଗାଣ ପାଇଁ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ଠାରେ ୧୦ ମେଗାୱାଟର ଏକ ସୋଲାର ପ୍ଲାଣ୍ଟ ସ୍ଥାପନ କରାଯିବ । ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ୨୭୫୦ ମେଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ ନେଇ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।

Get real time updates directly on you device, subscribe now.