fbpx

ବୀରତ୍ୱର ପର୍ବ ଲାଖମରା: ଆଜିବି ପାଳନ ହେଉଛି ରାଜା ରାଜୁଡା ସମୟର ଏହି ପରମ୍ପରା

ରାୟଗଡା: ରାୟଗଡ଼ା ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ତେବେ ଏହି ଜିଲ୍ଲାର କାଶୀପୁର ବ୍ଲକରେ ଅନନ୍ୟ ପାରମ୍ପରିକ ପ୍ରଥା ଓ ସଂସ୍କୃତି ଦେଖିବାକୁ ମିଳିଥାଏ । ଏଠାରେ ନାଗ ବଂଶର ରାଜୁତି ଚାଲୁଥିବା ବେଳେ ବର୍ତ୍ତମାନ ରାଜା ହେଉଛନ୍ତି ଶ୍ରୀ ଦିବ୍ୟେନ୍ଦୁ କୁମାର ଦେବ୍ । ସେ ଗଙ୍ଗ ବଂଶୀୟ ରାଜା ଅଟନ୍ତି । ରାଜା ତାଙ୍କ ଇଷ୍ଟ ଦେବୀ ମା ମାଣିକେଶ୍ୱରୀଙ୍କ ନବମୀ ପୁଜା ପରେ ଦଶହରାରେ ଏକ କ୍ରୀଡାକୁ ପର୍ବ ଭାବରେ ପାଳନ କରାଯାଉଥିଲା, ଯାହାକୁ ଲାଖମରା ପର୍ବ କୁହାଯାଏ ।

ଏହାକୁ ବିଜୟା ଦଶମୀ ଦିନ ନିଜ ବୀରତ୍ୱର ପ୍ରଦର୍ଶନ ପାଇଁ ଆୟୋଜନ କରାଯାଉଥିଲା । ଏହି ପର୍ବରେ ଗୋଟିଏ ଗଛର ଶୀର୍ଷରେ କାକୁଡିଟିଏ ପୂଜା କରି ବାଡ଼ିରେ ବନ୍ଧାଯାଏ । ପୁରାତନ କିମ୍ବଦନ୍ତୀ ଅନୁଯାୟୀ, ଏହି କାକୁଡ଼ିକୁ ଧନୁ-ଶର ଓ ଏକ ୨୦୦ ବର୍ଷ ପୁରାତନ ବନ୍ଧୁକ ଯାହାକୁ ବୁଢ଼ା ରାଜା କୁହାଯାଏ, ତହିଁରେ ଲକ୍ଷ୍ୟ ଭେଦ କରୁଥିଲେ । ପରେ କାଶୀପୁରର ରାଜା ନିଜ ପ୍ରଜା ତଥା ଗ୍ରାମବାସୀଙ୍କ ସହ ମାଣିକେଶ୍ୱରୀ ମନ୍ଦିରରୁ ଏକ ପଟୁଆରରେ ଯାଇ ଏହି ଗଛରେ ବନ୍ଧା ଯାଇଥିବା କାକୁଡିକୁ ବନ୍ଧୁକ ସାହାଯ୍ୟରେ ଲକ୍ଷ୍ୟ ଭେଦ କରିବା ପାଇଁ କୁହାଯାଏ ।

ପରେ ଏହି କ୍ରୀଡ଼ାରେ ଯେ କୌଣସି ଲୋକ ଭାଗ ନେଇପାରିବେ । କିନ୍ତୁ ଯିଏ ପ୍ରଥମେ ଲକ୍ଷ୍ୟ ଭେଦ କରେ ସେହି ବର୍ଷ ବ୍ୟକ୍ତିଙ୍କୁ ରାଜାଙ୍କ ଦ୍ୱାରା ବୀରତ୍ୱର ମୁକୁଟ ବନ୍ଧାଯାଇଥାଏ । ଆଗରୁ ଉପହାର ସ୍ୱରୂପ ପାଟ ଦିଆଯାଉଥିଲା । କିନ୍ତୁ ବର୍ତ୍ତମାନ ଧୋତି ଓ ପାଛୁଡ଼ା ଦିଆଯାଉଛି । ଚଳିତ ବର୍ଷ କାଶିପୁରର ନବ ପ୍ରସାଦ ମିଶ୍ର ଏହି କୃତିତ୍ୱ ଅର୍ଜନ କରିଥିବା ଜଣା ପଡ଼ିଛି । ରାଜା ରାଜୁଡ଼ା ଶାସନ ପରେ ମଧ୍ୟ କିଛି ଅଞ୍ଚଳରେ ସେହି ସମୟର ପରମ୍ପରା ବଞ୍ଚି ରହିଛି । ସେହି ସମୟର କିଛି ପାରମ୍ପରିକ କ୍ରୀଡା, ନୃତ୍ୟକୁ ବଞ୍ଚାଇ ରଖିଛନ୍ତି ଏଠାକାର ବାସିନ୍ଦା ।

Get real time updates directly on you device, subscribe now.