ମାତ୍ର ୫ ହଜାର ଟଙ୍କା ପାଇଁ ପାକିସ୍ତାନକୁ ବିକୁଥିଲେ ଭାରତର ଗୁପ୍ତ ସୂଚନା, ୩ ଗିରଫ

ପାକିସ୍ତାନର ଗୁଇନ୍ଦା ଅଧିକାରୀଙ୍କୁ ଦେଉଥିଲେ ଗୁପ୍ତ ସୂଚନା, ୩ ଜଣଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ଏଜେନ୍ସି ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ଏହି ୩ଜଣ ଭାରତର ଗୁପ୍ତ ସୂଚନାକୁ ପାକିସ୍ତାନର ଗୁଇନ୍ଦା ଅଧିକାରୀଙ୍କୁ ଯୋଗାଉଥିଲେ।

ତେବେ ଏନଆଇଏ ଏକ ବିବୃତ୍ତିରେ ଜଣାଇଛି ଯେ, ଏହି ତିନି ଜଣ କରୱାର ନୌସେନା ଘାଟି ଏବଂ କୋଚି ନୌସେନା ଘାଟିରେ ଥିବା ଭାରତୀୟ ପ୍ରତିରକ୍ଷା ପ୍ରତିଷ୍ଠାନ ବିଷୟରେ ସମ୍ବେଦନଶୀଳ ସୂଚନା ଆଦାନ ପ୍ରଦାନ କରୁଥିଲେ।

ଏହି ୩ଜଣ ଅଭିଯୁକ୍ତଙ୍କ ମଧ୍ୟରୁ କନ୍ନଡ଼ ଜିଲ୍ଲାର ବେଥାନ ଲକ୍ଷ୍ମଣ ଟଣ୍ଡେଲ ଏବଂ ଅକ୍ଷୟ ରବି ନାୟକଙ୍କୁ ଗିରଫ କରାଯାଇଥିବା ବେଳେ ଅଭିଳାଷ ପିଏଙ୍କୁ ମଙ୍ଗଳବାର କେରଳର କୋଚିରୁ ଗିରଫ କରାଯାଇଛି।

ନେଉଥିଲେ ମାସିକ ୫ ହଜାର ଟଙ୍କା: ଏହି ୩ଜଣ ଅଭିଯୁକ୍ତଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ସଂସ୍ପର୍ଶରେ ଥିବା ଯୋଗୁଁ ପୋଲିସ ସୂଚନା ପାଇ ଗିରଫ କରିଛି। ଏନଆଇଏ କହିବାନୁଯାୟୀ, ଏହି ଅଭିଯୁକ୍ତମାନେ ଭାରତର ଗୁପ୍ତ ସୂଚନା ପ୍ରଦାନ କରି ମାସିକ ୫ ହଜାର ଟଙ୍କା ନେଉଥିଲେ। ଏଥିସହ ଏହି କାର୍ଯ୍ୟ ସେମାନେ ୮ ମାସ ହେଲାଣି କରିଆସୁଥିଲେ।