fbpx

ଆଜି ସରୁଛି ଲକ୍‌ଡାଉନ୍‌ର ୨.୦: ଜୁନ୍‌ ପହିଲାରୁ ଲାଗୁ ହେବ ଲକ୍‌ଡାଉନ୍ ୩.୦, ୧୭ ଯାଏଁ ବଳବତ୍ତର ରହିବ କଟକଣା

୩ ଜିଲ୍ଲାରେ କଟକଣା କୋହଳ, ବଳବତ୍ତର ରହିବ ସପ୍ତାହାନ୍ତ ସଟ୍‌ଡାଉନ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣକୁ କମାଇବା ପାଇଁ ପୁଣି ଥରେ ରାଜ୍ୟସରକାର ଲକଡାଉନ ଅବଧିକୁ ବଢାଇଛନ୍ତି । ଏହି କଟକଣାକୁ ଜୁନ୍‌ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ରବିବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଗତ ମେ ୫ ତାରିଖରୁ ଦୁଇଟି ପର୍ଯ୍ୟାୟରେ ଲକ୍‌ଡାଉନ୍‌ କରାଯିବା ସତ୍ତେ୍ୱ ରାଜ୍ୟରେ ଆଶାନୁଯାୟୀ ସଂକ୍ରମଣ ନକମିବାରୁ ରାଜ୍ୟ ସରକାର ପୁଣି ଥରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିଛନ୍ତି ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଲକଡାଉନ୍‌ ସମୟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଶେଷ ପଦକ୍ଷେପ ପାଇଁ ଅନେକ ସୁଫଳ ମିଳିଛି ଏବଂ ଯେଉଁ ହାରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିଲା ସେଥିରେ ହ୍ରାସ ଘଟିଛି । କରୋନା ସଂକ୍ରମଣ ସଂଖ୍ୟା କମୁଥିବାରୁ ଏହାକୁ ଆହୁରି ହ୍ରାସ କରିବାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଲକଡାଉନ ଅବଧିକୁ ଆଉ ୧୬ ଦିନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଜାରି ହୋଇଥିବା ଲକଡାଉନ ଅବଧି ଜୁନ ୧ ସକାଳ ୫ଟାରେ ସମାପ୍ତ ହେଉଥିବାରୁ ଏହି ବର୍ଦ୍ଧିତ ଲକଡାଉନ ଜୁନ୍‌ ୧ ତାରିଖରୁ ଲାଗୁ ହେବ । ତେବେ ପୂର୍ବଲକଡାଉନରେ ଜାରି ସମସ୍ତ କଟକଣା ବଳବତ୍ତର ରହୁଥିବାବେଳେ ୩ଟି ଜିଲ୍ଲା ପାଇଁ କଟକଣା ସାମାନ୍ୟ କୋହଳ କରାଯାଇଛି । ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଉଦ୍ଦିଷ୍ଟ ଦୋକାନ ୨୭ଟି ଜିଲ୍ଲାରେ ପୂର୍ବରି ସକାଳ ୭ଟାରୁ ୧୧ଟା ଯାଏଁ ଖୋଲା ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଥିବାବେଳେ ନୂଆପଡା, ଗଜପତି ଓ ସୁନ୍ଦରଗଡରେ ୭ଟାରୁ ଦିନ ୧ଟା ଯାଏଁ ଦୋକାନ ଗୁଡ଼ିକ ଖୋଲା ରହିବ ।

ସେହିପରି ଗ୍ୟାରେଜ୍‌ ଓ ଗାଡି ମରାମତି ଦୋକାନ ଖୋଲା ରଖିବାକୁ ଅନୁମତି ମିଳିଛି । କମ୍ପ୍ୟୁଟର, ମୋବାଇଲ ମରାମତି, ଇଲେକ୍ଟ୍ରି, ଇଲେକ୍ଟ୍ରିକାଲ ମରାମତି ଦୋକାନ, ଏସି, କୁଲର, ୱାଟର ପ୍ୟୁରିଫାୟର ମରାମତି ଦୋକାନାଖୋଲା ରହିବ । ଏହିପରି ସିମେଣ୍ଟ, ରଡ୍‌, ଚିପ୍ସ ଆଦି ନିର୍ମାଣ ସାମଗ୍ରୀ ଦୋକାନ ମଧ୍ୟ ଖୋଲା ରହିବ। ଖାଦ୍ୟ ସାମଗ୍ରୀ ଓ ଖୁଚୁରା ବ୍ୟବସାୟ ତଥା ଗ୍ରସରୀ ପାଇଁ ଉଦ୍ଦିଷ୍ଟ ଓମ୍‌ଫେଡ଼, ଓପଲ୍‌ଫେଡ଼୍‌ , ରିଲାୟନ୍ସ ଫ୍ରେଶ୍‌ , ଚିଲିକା ଫ୍ରେଶ ଆଦି ଦୋକାନଗୁଡ଼ିକ କେବଳ ହୋମ୍ ଡେଲିଭରି ଦେଇପାରିବେ ବୋଲି ଅନୁମତି ମିଳିଛି । ସକାଳ ୫ଟାରୁ ୮ଟା ପର୍ଯ୍ୟନ୍ତ ଖବର କାଗଜ ବିତରଣ ପାଇଁ ଅନୁମତି ଦିଆଯାଇଛି ।

ଅଫିସ୍‌ କାର୍ଯ୍ୟ ପାଇଁ ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସବୁ ସରକାରୀ ଅଫିସ୍‌ରେ କର୍ମଚାରୀ ସଂଖ୍ୟା କମାଯିବ । ଅଣଅତ୍ୟାବଶ୍ୟକ ସେବା ସରକାରୀ ଅଫିସ୍‌ରେ ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ଚାଲିବ । ଜିଲ୍ଲା ପ୍ରଶାସନ ଓ ଟ୍ରେଜେରୀ ଅଫିସ୍‌ରେ କର୍ମଚାରୀଙ୍କ ସଂଖ୍ୟା ଯଥେଷ୍ଟ କମାଯିବ । ବେସରକାରୀ, କର୍ପୋରେଟ୍‌ ଅଫିସ୍‌ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ।ଲକ୍‌ଡାଉନ୍‌ରେ ପୋଲିସ, ହୋମଗାର୍ଡ, ଅଗ୍ନିଶମ କର୍ମଚାରୀଙ୍କ ପାଇଁ କୌଣସିକଟକଣା ନାହିଁ ।

ପୂର୍ବପରି ବାହାଘର ସମାରୋହରେ ୨୫ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଛି । ସାମୂହିକ ଭୋଜି ଉପରେ ପୂର୍ବପରି ପ୍ରତିବନ୍ଧକ ଲଗାଯାଇଛି । ଅତିଥିମାନେ
ଏକାଠି ବସି ଖାଇପାରିବେ ନାହିଁ । ସେମାନଙ୍କୁ ଖାଦ୍ୟ ପ୍ୟାକେଟ୍‌ କରି ପ୍ରଦାନ କରାଯିବ । ଅନ୍ତ୍ୟେଷ୍ଟି କ୍ରିୟା ଓ ବ୍ରତଘର ସମାରୋହରେ ସର୍ବାଧିକ ୨୦ ଜଣ ସାମିଲ ହେବା ସହ ସମାନ କଟକଣା ଲାଗୁ ହୋଇଛି । ମେଳା,ପ୍ରଦର୍ଶନୀ, ସିନେମା ହଲ, ଯାତ୍ରା ପରିବେଷଣ, ସେଲୁନ, ପାର୍ଲର, ଜିମ୍‌, ମଲ, ମାର୍କେଟ କମ୍ପେ୍ଲକ୍ସ, ପାର୍କ, ବାର
ଆଦି ବନ୍ଦ ରହିବ ।

ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ ବୋଲି ଘୋଷଣା କରିଛନ୍ତି। ପୂର୍ବଭଳି ମାଲ୍‌ ପରିବହନ , କୃଷି ସମ୍ବନ୍ଧୀୟ କାର୍ଯ୍ୟ , ଶିଳ୍ପ ସଂସ୍ଥା ,ବ୍ୟାଙ୍କିଂ ବ୍ୟବସ୍ଥା ସହ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଗୁଡିକ କଟକଣାମୁକ୍ତ ରହିବ । ସେ ଆହୁରି କହିଛନ୍ତି ଯେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କିଛି ଜିଲ୍ଲାରେ ପଜିଟିଭ୍‌ ହାର ଅଧିକ ରହିଛି । ଲକ୍‌ ଡାଉନ୍‌ର ସୁଫଳ ମିଳିଛି । ଠିକ୍ ସମୟରେ ପଦକ୍ଷେପ ନିଆଯାଇଥିବାରୁ ଅନ୍ୟ ରାଜ୍ୟ ଭଳି ଓଡିଶାରେ ହସ୍ପିଟାଲ ବେଡ୍‌ ଓ ଅକ୍ସିଜେନ୍‌ ଅଭାବ ଭଳି ସମସ୍ୟା ସୃଷ୍ଟି ହୋଇନାହିଁ । ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି ।

ଗତ ୨୫ ଦିନ ମଧ୍ୟରେ ପରୀକ୍ଷା ଓ ପଜିଟିଭ ଅନୁାତ ଶତକଡ଼ା ୨୫ରୁ ୧୫କୁ ହ୍ରାସ ପାଇଛି। ପଶ୍ଚିମାଂଚଳର କେତେକ ଜିଲ୍ଲାରେ ସଂକ୍ରମଣ ହାର ହ୍ରାସ ପାଇଥିଲେ ସୁଦ୍ଧା ଖୋର୍ଦ୍ଧା, କଟକ ଆଦି ଉପକୂଳ ଜିଲ୍ଲାମାନଙ୍କରେ ସଂକ୍ରମଣ ହ୍ରାସରହାର କମ୍‌ ରହିଛି । ଏବେ ରାଜ୍ୟରେ ମୋଟାମୋଟି କୋଭିଡ୍‌ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । କୋଭିଡ୍‌ ପରୀକ୍ଷା, ଚିକିତ୍ସା, ହସ୍ପିଟାଲରେ ଶଯ୍ୟା ଓ ଅମ୍ଳଜାନ ଆଦି ଯୋଗାଣ କ୍ଷେତ୍ରରେ ଓଡ଼ିଶା ଅନେକ ରାଜ୍ୟଠାରୁ ଭଲ ସ୍ଥିତିରେ ଅଛି । ଦୈନିକ କୋଭିଡ୍‌ ପରୀକ୍ଷାକୁ ୪୫ ହଜାରରୁ ୭୦ ହଜାରକୁ ବୃଦ୍ଧି କରାଯାଇଛି । ଅଧିକ ପରୀକ୍ଷା କରାଯାଉଥିଲେ ସୁଦ୍ଧା ପଜିଟିଭ ହାର ବଢ଼ିନାହିଁ ।

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ କିଛି ଲୋକଙ୍କ ଅବହେଳାଯୋଗୁଁ ଅନ୍ୟାନ୍ୟ ଅନେକ ଲୋକ ବିପଦ ଗ୍ରସ୍ତ ହେଉଛନ୍ତି । କୋଭିଡ୍‌ ମହାମାରୀ ଚଳନ୍ତି
ଶତାବ୍ଦୀର ବଡ଼ ବିପର୍ଯ୍ୟୟ ।ଏହାର ଭୟାବହତାକୁ ଉପଲବ୍ଧି କରି କୋଭିଡ୍‌ ନିୟମର ପୂର୍ଣ୍ଣ ପାଳନ କରିବା ସହ ଜନସାଧାରଣ ନିଜର ସହଯୋଗ ବଜାୟ ରଖିବାକୁ ଶ୍ରୀ ମହାପାତ୍ର ନିବେଦନ କରିଥିଲେ ।

Get real time updates directly on you device, subscribe now.