fbpx

ଦେଶର ଏହି ରାଜ୍ୟରେ ସୃଷ୍ଟି ହେଲା ଲକ୍‌ଡାଉନ୍ ଭଳି ସ୍ଥିତି: ପିଲାରୁ ବୁଢା ଯାଏଁ ସମସ୍ତଙ୍କ ମୁହଁରେ ମାସ୍କ

ନୂଆଦିଲ୍ଲୀ: କେରଳର କୋଚି ସହରରେ ଏବେ ଲକଡାଉନ୍ ପରି ସ୍ଥିତି ସୃଷ୍ଟି ହୋଇଛି। ଏଠାରେ ବହୁତ କମ୍ ଲୋକେ ଏବେ ବାହାରକୁ ବାହାରୁଛନ୍ତି। ଆଉ ଯେଉଁମାନେ ବାହାରକୁ ଆସୁଛନ୍ତି, ସେମାନଙ୍କ ମୁହଁରେ ମାସ୍କ ଲଗାଇ ବାହାରୁଛନ୍ତି। ସ୍ଥିତି ଏତେ ଭୟଙ୍କର ଅଛି ଯେ, ପିଲାରୁ ବୁଢ଼ା ସମସ୍ତେ ଘରେ ବନ୍ଦ ହୋଇ ରହିଛନ୍ତି। ତେବେ ଏସବୁ କରୋନା ମହାମାରୀ ପାଇଁ ନୁହେଁ, ବରଂ ଏଠାରେ ଏକ ଡମ୍ପିଂ ୟାର୍ଡରେ ନିଆଁ ଲାଗିବା କାରଣରୁ ହୋଇଛି।

ବାସ୍ତବରେ, ଏକ ସପ୍ତାହ ପୂର୍ବରୁ ବ୍ରହ୍ମପୁରମ୍ ଅଞ୍ଚଳର ଏକ ଡମ୍ପିଂ ୟାର୍ଡରେ ଅଗ୍ନିକାଣ୍ଡ ଘଟିଥିଲା, ଯାହାର ବିଷାକ୍ତ ଧୂଆଁ ସମଗ୍ର ଅଞ୍ଚଳରେ ବ୍ୟାପି ଯାଇଥିଲା। ଆଠ ଦିନରୁ ଅଧିକ ସମୟ ବିତିଗଲାଣି କିନ୍ତୁ ଲୋକମାନେ ଏଥୀରୁ ମୁକ୍ତି ପାଇ ନାହାନ୍ତି। ଅନ୍ୟ ଅର୍ଥରେ, ଏଠାରେ ଥିବା ଲୋକଙ୍କ ଜୀବନ ନର୍କରେ ପରିଣତ ହୋଇଛି। ବିଷାକ୍ତ ଧୂଆଁ ଯୋଗୁଁ ଲୋକମାନେ ନିଶ୍ୱାସ ନେବାରେ ଅସୁବିଧା ସହିତ ଆଖି ଏବଂ ଗଳାରେ ଜଳୁଥିବା ଅନୁଭବ କରୁଛନ୍ତି।

ଏହି ଘଟଣା ପରେ ବ୍ରହ୍ମପୁରମ୍ ଏବଂ ଏହାର ଆଖପାଖ ଅଞ୍ଚଳରେ ବିଷାକ୍ତ ବାୟୁ ବ୍ୟାପିଥିବାରୁ କେରଳ ସରକାର ସ୍ଥାନୀୟ ବାସିନ୍ଦାଙ୍କୁ ଘର ଭିତରେ ରହିବାକୁ ଏବଂ ଝରକା ଓ କବାଟ ଖୋଲା ନ ରଖିବାକୁ ଅନୁରୋଧ କରିଛନ୍ତି । ବିଶେଷଜ୍ଞମାନେ ଆକଳନ କରୁଛନ୍ତି ଯେ ଏହି ବିଷାକ୍ତ ଧୂଆଁ କର୍କଟ ଭଳି ଅନେକ ମାରାତ୍ମକ ରୋଗ ସୃଷ୍ଟି କରିପାରେ । ଏବେ ୨୦୦ ଅଗ୍ନିଶମ ବାହିନୀ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ପ୍ରାୟ ୫୦ ହଜାର ଟନ୍ ଆବର୍ଜନାରେ ନିଆଁ ବ୍ୟାପି ସାରିଛି । ଅଗ୍ନିଶମ ବିଭାଗର ସୂତ୍ର ଅନୁଯାୟୀ, ଯେଉଁଠାରେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଧୂଆଁ ହେଉଛି ସେହି ଅଞ୍ଚଳର ୭୦ ପ୍ରତିଶତ ଲିଭାଯାଇଛି । ଅବଶିଷ୍ଟ ୩୦ ପ୍ରତିଶତ ଅଞ୍ଚଳରେ ଧୂଆଁକୁ ନିୟନ୍ତ୍ରଣ କରିବା ଚେଷ୍ଟା ଚାଲିଛି ।

Get real time updates directly on you device, subscribe now.