କୁକୁର ପାଇଁ ପଡ଼ୋଶୀଙ୍କ ମଧ୍ୟରେ ମହାଭାରତ, ଲହୁ ଲୁହାଣ ହେଲେ ବ୍ୟକ୍ତି
ଘରେ କୁକୁର ବାନ୍ଧ ନହେଲେ... ଏପରି କିଛି କହିବା ଦ୍ୱାରା ଆରମ୍ଭ ହେଲା ଖଣ୍ଡଯୁଦ୍ଧ। ଆଉ ଲହୁଲୁହାଣ ହେଲେ ଦୁଇ ପଡ଼ୋଶୀ।
ଅମୃତସର: କୁକୁର ପାଇଁ ମହାଭାରତ। ଦୁଇ ପଡ଼ୋଶୀ ଲହୁ ଲୁହାଣ। ସାଧାରଣ ବଚସାରୁ କଥା ଏତେବାଟ ଆଗେଇ ଗଲା ଯେ, ଶେଷରେ ମାମଲା ଯାଇ ଥାନାରେ ପହଞ୍ଚିଲା। ଆଉ ପୋଲିସ ଆସି ଦୁଇ ପଡ଼ୋଶୀଙ୍କ ଭିତରେ ଘଟିଥିବା ଗଣ୍ଡଗୋଳର ସମାଧାନ କରିବାକୁ ଚେଷ୍ଟା କଲା।
ହେଲେ ଆଶ୍ଚର୍ଯ୍ୟକର କଥା ଏହା କି ସାଧାରଣ କୁକୁରକୁ ନେଇ ଦୁଇ ପଡୋଶୀଙ୍କ ଭିତରେ ଯେଉଁ ମହାଭାରତ ଘଟିଛି। ତାକୁ ସମାଧାନ କରିବାକୁ ଯାଇ ପୋଲିସ ମଧ୍ୟ ନିଜେ ଚକିତ ହୋଇଯାଇଛି।
କୁକୁର ରଖିବା ସୋଉକ: କିଛି ଲୋକଙ୍କୁ ଘରେ ଗୃହ ପାଳିତ ପଶୁ ରଖିବାର ସୋଉକ ଥାଏ। ବିଶେଷ କରି ଅଧିକାଂଶ ଲୋକ ଘରେ କୁକୁର ପାଳନ୍ତି। ଏପରିକି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କୁକୁରର ସେବା କରନ୍ତି।
କିଛି ଲୋକ ନିଜ ସୋଉକ ପୂରଣ କରିବା ପାଇଁ କୁକୁର ଘରେ ରଖୁଥିବା ବେଳେ, ଆଉ କିଛି ଲୋକ ଚୋରଠୁ ମୁକ୍ତି ପାଇବା ପାଇଁ ଘରେ କୁକୁର ପୋଷନ୍ତି। ହେଲେ ସେହି ପୋଷା କୁକୁର ପାଇଁ ଦୁଇ ପଡୋଶୀଙ୍କ ଭିତରେ ମହାଭାରତ ହୋଇଥିବା ଘଟଣା ସାମ୍ନାକୁ ଆସିଛି।
କୁକୁର ଘରେ ବାନ୍ଧ: ତେବେ ଘଟଣାଟି ହେଉଛି ପଞ୍ଜାବର ଅମୃତସରର ଏକ କଲୋନୀରେ ଘଟିଛି। ରବିନ୍ଦର ଆଉ ଦଲଜିତ୍ ଦୁଇ ପଡୋଶୀ। ଦଲଜିତ୍ ନିଜ ଘରେ ଅନେକ କୁକୁର ରଖିଛନ୍ତି। କହିବାକୁ ଗଲେ ଦଲଜିତଙ୍କର କୁକୁର ବ୍ୟବସାୟ ଅଛି।
ହେଲେ ସେ ସେହି ସବୁ କୁକୁରକୁ ନିଜ ଆୟତ୍ତରେ ନରଖି ଖୋଲା ଛାଡି ଦେଇଛନ୍ତି। ଯାହା ଫଳରେ କୁକୁର ଗୁଡ଼ିକ ବାହାରକୁ ଚାଲିଆସୁଛନ୍ତି। ଯେହେତୁ ସେମାନେ ପଶୁ ତେଣୁ କେତେବେଳେ ବି କାହା ଉପରେ ଆକ୍ରମଣ କରିପାରନ୍ତି।
ଏହି କଥା ଚିନ୍ତା କରି ରବିନ୍ଦର ଅନେକ ଥର ଦଲଜିତଙ୍କୁ କୁକୁରକୁ ଆୟତ୍ତରେ ରଖିବା କଥା କହିଛନ୍ତି। ନିକଟରେ ପୁଣିଥରେ ରବିନ୍ଦର ଦଲଜିତଙ୍କୁ କହିଲେ କି କୁକୁର କାହାକୁ କାମୁଡି ଦେଇ ପାରନ୍ତି। ତେଣୁ ଭଲ ହେବ କୁକୁରକୁ ଘରେ ବାନ୍ଧି ଦିଅ। ଆଉ ଏହି ଟିକେ କଥାରୁ ଆରମ୍ଭ ହେଲା ଖଣ୍ଡଯୁଦ୍ଧ।
ରବିନ୍ଦରଙ୍କ ଅଭିଯୋଗ: ଏହି ସାମାନ୍ୟ କଥା ପାଇଁ ଦଲଜିତ୍ ରବିନ୍ଦରଙ୍କୁ ଦୁର୍ବ୍ୟବହାର କରିଥିଲେ। ଦୀର୍ଘ ଦିନ ହେବ ଏହି ପ୍ରସଙ୍ଗରେ ବିବାଦ ଲାଗି ରହିଥିଲା। ତାପରେ ଦଲଜିତଙ୍କର ପୁଅ ମାନେ କିଛି ଭଡାଟିଆ ଗୁଣ୍ଡା ଆଣି ତାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ରବିନ୍ଦର। ଯେଉଁଥିରେ ତାଙ୍କ ହାତରେ ଆଘାତ ଲାଗିଛି।
ପୋଲିସର ହସ୍ତକ୍ଷେପ: ଆକ୍ରମଣ ହୋଇଥିବା ଅଭିଯୋଗ ଆଣି ରବିନ୍ଦର ଥାନାର ଦ୍ୱାରସ୍ଥ ହୋଇଥିଲେ। ହେଲେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଦେଇଛନ୍ତି ଦିଲଜିତ୍। ହେଲେ କୁକୁରକୁ ନେଇ ବିବାଦ ଲାଗି ରହିଥିବା ସେ ସ୍ୱୀକାର କରିଛନ୍ତି। ପୋଲିସ ସମସ୍ତ ଦିଗରୁ ତଦନ୍ତ ଚଲାଇଛି।