କଳାଯାଦୁର କରୁଣ ପରିଣତି.. 77ବର୍ଷୀୟା ବୃଦ୍ଧାକୁ ପରିସ୍ରା ପିଆଇଲେ-ଚପଲ ମାଳ ପକାଇ ଦାଣ୍ଡରେ ବୁଲାଇଲେ ଗାଁ ଲୋକେ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅମରାବତୀ ସହରରେ କଳାଯାଦୁ ସନ୍ଦେହରେ ଜଣେ ବୃଦ୍ଧା ମହିଳାଙ୍କ ଉପରେ ଆକ୍ରମଣ ମାମଲା ସାମ୍ନାକୁ ଆସିଛି । ୭୭ ବର୍ଷୀୟ ବୃଦ୍ଧାଙ୍କୁ ଲୁହା ରଡ୍ ରେ ମାଡ଼ ମାରିବା ପରେ ପରିସ୍ରା ପିଇବାକୁ ମଧ୍ୟ ବାଧ୍ୟ କରାଯାଇଥିଲା। ଏନେଇ ଥାନାରେ ଅଭିଯୋଗ ପରେ ମାମଲା ସାମ୍ନାକୁ ଆସିଛି ।

କଳାଯାଦୁର ଆରୋପ- ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଏହି ଘଟଣା 30 ଡିସେମ୍ବର 2024 ରେ ଘଟିଥିଲା। ଚଳିତ ବର୍ଷ ଜାନୁଆରୀ ଆରମ୍ଭରେ ଏହି ମାମଲା ସମ୍ପର୍କରେ ପୋଲିସରେ ଅଭିଯୋଗ ଦାଖଲ କରାଯାଇଥିଲା। ବୃଦ୍ଧାଙ୍କ ପୁଅ ଏବଂ ବୋହୂ କାର୍ଯ୍ୟାନୁଷ୍ଠାନ ଦାବି କରି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ।

ବୃଦ୍ଧାଜଣକ ଚିଖଲଦରା ତାଲୁକାର ରେତ୍ୟଖେଡା ଗାଁର ବାସିନ୍ଦା। ଡିସେମ୍ବର 30 ରାତିରେ ବୃଦ୍ଧାଜଣକ ଘରେ ଏକୁଟିଆ ରହିଥିବା ବେଳେ ପଡୋଶୀମାନେ ତାଙ୍କୁ କଳାଯାଦୁର ଆରୋପ ଲଗାଇଥିଲେ ।

ମହିଳାଙ୍କୁ ନିର୍ଦ୍ଦୁମ ଛେଚିଲେ- ଅଭିଯୋଗରେ କୁହାଯାଇଛି ଯେ, ଗ୍ରାମବାସୀ ତାଙ୍କୁ ଲୁହା ରଡରେ ମାଡ ମାରିଥିଲେ । ଏହାସହ କିଛି ବ୍ୟକ୍ତି ଚାପୁଡା ଏବଂ ମୁଥ ମାରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।

ଏହାପରେ ତାଙ୍କୁ ପରିସ୍ରା ପିଇବା ଏବଂ କୁକୁରର ମଳ ଖାଇବାକୁ ବାଧ୍ୟ କରାଯାଇଥିଲା। କେବଳ ଏତିକି ନୁହେଁ, ବୃଦ୍ଧଙ୍କୁ ତାଙ୍କ ବେକରେ ଜୋତା ଏବଂ ଚପଲର ହାର ପିନ୍ଧାଇ ଚାରିପାଖରେ ବୁଲାଇ ଦିଆଯାଇଥିଲା।

ତେବେ ଏନେଇ ବୃଦ୍ଧାଙ୍କ ପୁଅ ବୋହୂ ଜାଣିବା ପରେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।