ଓଡ଼ିଶା ଭାଷ୍କର: ୮ ମାର୍ଚ୍ଚ ଅର୍ଥାତ ଆଜି ମହାଶିବରାତ୍ରୀ । ଭାରତରେ ଏହି ଦିନକୁ ବହୁ ଆଡମ୍ବରର ସହ ପାଳନ କରାଯାଇଥାଏ । ଏହି ଦିନ ଶ୍ରଦ୍ଧାଳୁ ଉପବାସ ବ୍ରତ କରି, ମନ୍ଦିର ଯାଇ ଭଗବାନ ଶିବଙ୍କୁ ଫଳ-ପୁଷ୍ପ ଅର୍ପଣ କରିବା ସହ ଶିବଲିଙ୍ଗ ଉପରେ ଜଳ ଏବଂ କ୍ଷୀର ଅଭିଶେକ କରିଥାଆନ୍ତି । ହେଲେ ଆପଣ ଜାଣନ୍ତି କି କାହିଁକି ଶିବରାତ୍ରୀ ପାଳନ କରାଯାଏ । ଆସନ୍ତୁ ଜାଣିବା ମହାଶିବରାତ୍ରୀ ବିଷୟରେ..
ପୌରାଣିକ କାହାଣୀରେ ମହାଶିବରାତ୍ରିକୁ ନେଇ ଅନେକ କଥା ରହିଛି । ସେଥି ମଧ୍ୟରୁ ପୂରାଣ ଅନୁଯାୟୀ, ସମୁଦ୍ର ମନ୍ଥନ ସମୟରେ ବାସୁକୀ ନାଗଙ୍କ ମୁଖରୁ ଭୟଙ୍କର ବିଷର ଜ୍ୱାଳାମାନ ଉଠିଲା ଏବଂ ତାହା ସମୁଦ୍ରରେ ମିଶ୍ରିତ ହୋଇ ବିଷ ଭାବେ ପରିଣତ ହୋଇଗଲା । ବିଷର ଏହି ଅଗ୍ନି ଜ୍ୱାଳାମାନ ସମଗ୍ର ଆକାଶରେ ବିସ୍ତାରିତ ହୋଇ ସମଗ୍ର ଜଗତ ଜଳିବାକୁ ଲାଗିଲା । ଏହାପରେ ସମସ୍ତ ଦେବତା, ମୁନୀ-ଋଷି ଶିବଙ୍କ ପାଖକୁ ଗଲେ ସାହାଯ୍ୟ ପାଇଁ । ଏହାପରେ ଭଗବାନ ଶିବ ସେହି ସମସ୍ତ ବିଷକୁ ପାନ କରିଥିଲେ । ଏହାପରେ ଶିବଙ୍କ ଉପରେ ପଡିଥିବା ଏହି ବିପଦକୁ ଟଳିବା ପାଇଁ ଏବଂ ବିଷର ଶାନ୍ତି ପାଇଁ ସେହି ରାତ୍ରୀରେ ସମସ୍ତ ଦେବତା ରାତି ସାରା ଶିବଙ୍କ ନାମ ଜପ କରିଥିଲେ । କୁହାଯାଏ ଯେ, ବିଷକୁ ଶାନ୍ତି କରିବା ପାଇଁ ତାଙ୍କ ଉପରେ ଜଳାଭିଶେକ କରାଯାଏ । ସେହି ଦିନରୁ ଏହି ବିଶେଷ ଦିନକୁ ଶିବରାତ୍ରୀ ବୋଲି କୁହାଯାଏ । ଏହି ବିଷ ପାନ ପାଇଁ ଶିବଙ୍କ କଣ୍ଠ ନୀଳ ହୋଇଯାଇଥିଲା । ଯେଉଁଥିପାଇଁ ଶିବଙ୍କର ଅନ୍ୟ ନାମ ନୀଳକଣ୍ଠେଶ୍ୱର ବୋଲି କୁହାଯାଏ ।
ଅନ୍ୟ ଏକ ମାନ୍ୟତା ଅନୁଯାୟୀ, ଥରେ ବ୍ରହ୍ମା ଏବଂ ବିଷ୍ଣୁଙ୍କ ମଧ୍ୟରେ ଏହି କଥାକୁ ନେଇ ବିବାଦ ଦେଖାଦେଇଥିଲା ଯେ, ତାଙ୍କ ମଧ୍ୟରୁ ବଡ଼ କିଏ । ଏପରି ପରିସ୍ଥିତି ହୋଇଗଲା ଯେ, ଦୁଇ ଭଗବାନ ନିଜ ନିଜ ଅସ୍ତ୍ର ଶାସ୍ତ୍ରକୁ ପ୍ରୟୋଗ କରି ଯୁଦ୍ଧ ଘୋଷଣା କରିଥିଲେ । ଏହାପରେ ସମସ୍ତେ ଭୟଭୀତ ହୋଇପଡିଲେ । ଦେବତା, ମୁନୀ ଋଷିମାନଙ୍କ ଅନୁରୋଧ କ୍ରମେ ଭଗବାନ ଶିବ ଏହି ବିବାଦକୁ ଶେଷ କରିବା ଲାଗି ଜ୍ୟୋର୍ତିଲିଙ୍ଗ ରୂପରେ ପ୍ରକଟିତ ହୋଇଥିଲେ । ଏହି ଲିଙ୍ଗର କୌଣସି ଆଦି ନଥିଲା କି ଅନ୍ତ ମଧ୍ୟ ନଥିଲା । ତେବେ ଏହାକୁ ଦେଖି ବ୍ରହ୍ମା ଏବଂ ବିଷ୍ଣୁ ଆଶ୍ଚର୍ଯ୍ୟ ହୋଇ ବିଭିନ୍ନ ରୂପ ଧାରଣ କରି ଏହାର ଆଦି ଏବଂ ଅନ୍ତ ଖୋଜିବାକୁ ଲାଗିଲେ ।
ଯେତେବେଳେ ଦୁଇ ଠାକୁର ଅନୁସନ୍ଧାନରେ ସଫଳତା ପାଇଲେ ନାହିଁ । ସେହି ସମୟରେ ଜ୍ୟେର୍ତିଲିଙ୍ଗରୁ ଓଁ କାର ଧ୍ୱନୀ ଉତ୍ପନ୍ନ ହୋଇଥିଲା । ଶିବଲିଙ୍ଗର ଶୁଦ୍ଧ ସ୍ପଟିକରେ ବ୍ରହ୍ନା ଏବଂ ବିଷ୍ଣୁ ଭଗବାନ ଶିବଙ୍କୁ ଦେଖିଥିଲେ । ଏହି ଅଭୁତ ଦୃଶ୍ୟକୁ ଦେଖି ବ୍ରହ୍ମା ଏବଂ ବିଷ୍ଣୁ ପ୍ରସନ୍ନ ହୋଇ ଶିବଙ୍କ ସ୍ତୁତି ଗାନ କରିଥିଲେ । ଶିବ ଏଥିରେ ପ୍ରସନ୍ନ ହୋଇ ଅବିସ୍ମରଣୀୟ ଭକ୍ତିର ବରଦାନ ଦେଇଥିଲେ । ପ୍ରଥମ ଥର ଶିବଙ୍କ ଜ୍ୟେର୍ତିଲିଙ୍ଗରେ ପ୍ରକଟ ହେବାରେ ଏହାକୁ ମହାଶିବରାତ୍ରି ରୂପେ ପାଳନ କରାଗଲା ।