fbpx

କ୍ୟାପ୍ଟେନ ଅମରିନ୍ଦରଙ୍କର ପଦ ଯିବାର ପ୍ରମୁଖ କାରଣ କ’ଣ ହୋଇପାରେ, ଭାଜପା ନା ଅପମାନ

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ଇସ୍ତଫା ଦେବା ପରେ ଏବେ ସବୁ ମହଲରୁ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ତେବେ କ୍ୟାପ୍ଟେନ ହଠାତ୍ ପଦ ହରାଇବାର କାରଣ କ’ଣ ହୋଇପାରେ ବୋଲି ସବୁ ମହଲରୁ ପ୍ରଶ୍ନ ଉଠୁଛି । ବର୍ତ୍ତମାନ ପରିସ୍ଥିତିରେ ସେ ବିଜେପିକୁ ଯିବେ ନା ନୂଆ ଦଳ ଗଠନ କରିବେ ତାହା ହିଁ ବିକଳ୍ପ । କୁହାଯାଉଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ଘନିଷ୍ଠ ସଂପର୍କ ଥିବାରୁ ସେ ବିଜେପି ନେତାଙ୍କ ସଂପର୍କରେ ରହିଛନ୍ତି । ପୂର୍ବରୁ ୱାନ ମ୍ୟାନ ଆର୍ମି ଭାବେ ଅମରିନ୍ଦର ୨ଥର ମୁଖ୍ୟମନ୍ତ୍ରୀ ଓ ୩ଥ ପିସିସି ସଭାପତି ପଦରେ ରହିଥିଲେ । ଦେଶରେ କଂଗ୍ରେସର ଦୟନୀୟ ସ୍ଥିତି ଜାରି ରହିଥିଲେ ହେଁ ସେ ରାଜ୍ୟରେ ଦଳକୁ ବିଜୟୀ କରାଇବାରେ ସକ୍ଷମ ହୋଇଥିଲେ । ତେବେ କ୍ୟାପ୍ଟେନ ପଦ ଛାଡ଼ିବା ପଛରେ ବିଭିନ୍ନ କାରଣ ରହିଥିବା କୁହାଯାଉଛି ।

ଜଣାପଡ଼ିଛି ଯେ, ଅମରିନ୍ଦର ମୁଖ୍ୟମନ୍ତ୍ରୀ ପରି ସର୍ବୋଚ୍ଚ ଆସନରେ ରହିଥିଲେ ହେଁ ଦଳୀୟ ବିଧାୟକମାନଙ୍କୁ ବିଭିନ୍ନ ସମୟରେ ଅଣଦେଖା କରୁଥିଲେ । ସେ ରାଜ୍ୟରେ ରାଜନେତାଙ୍କୁ ଅଣଦେଖା କରି ଅଫିସରରାଜ ଚଳାଇ ଆସୁଥିଲେ । ଅପରପକ୍ଷରେ ବିରୋଧୀ ଅକାଳୀ ଦଳର ନେତାମାନଙ୍କ ସହ ତାଙ୍କର ଉତ୍ତମ ସଂପର୍କ ରହିଥିବାରୁ ସେମାନଙ୍କ ସହ ସେ ନିୟମିତ ବ୍ୟବଧାନରେ ସାକ୍ଷାତ କରୁଥିଲେ । କ୍ୟାପ୍ଟେନଙ୍କର ଏଭଳି ବିଭିନ୍ନ ଦଳବିରୋଧୀ ହରକତକୁ ନେଇ ନବଜୋତ ସିଂହ ସିଦ୍ଧୁ ତାଙ୍କୁ ବିରୋଧ କରିଆସୁଥିଲେ । ଗତ ୨୦୧୭ ନିର୍ବାଚନରେ କଂଗ୍ରେସ ରାଜ୍ୟବାସୀଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ ହେଁ ଶାସନ ସମୟରେ ଅମରିନ୍ଦର ଏହାକୁ ପୂରଣ କରିପାରିନଥିଲେ । ଏପରି ଅନେକ ଅଭିଯୋଗ ତାଙ୍କର ବିରୋଧୀ ଗୋଷ୍ଠୀ ହାଇକମାଣ୍ଡଙ୍କ ପାଖରେ ରଖିଥିଲେ । ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ହେଁ ତାଙ୍କୁ ଅବଗତ ନ କରି ବିଧାୟକ ଦଳ ବୈଠକ ଡକାଯାଇଥିବାରୁ ସେ ନିଜକୁ ଅପମାନିତ ବୋଧ କରିଥିଲେ । ତେଣୁ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଏନେଇ ଅବଗତ କରିବା ପରେ କ୍ୟାପ୍ଟେନ ଇସ୍ତଫା ଦେଇଥିଲେ ।

Get real time updates directly on you device, subscribe now.