fbpx

ପତ୍ନୀଙ୍କ ଭରଣପୋଷଣ ସମ୍ପୂର୍ଣ୍ଣ ଦାୟିତ୍ୱ ନୁହେଁ, ପରିସ୍ଥିତିରେ ପରିବର୍ତ୍ତନ ସମ୍ଭବ: ହାଇକୋର୍ଟ

ନୂଆଦିଲ୍ଲୀ: ଅପରାଧ ପ୍ରକ୍ରିୟାର ନିୟମ ଅନୁସାରେ ପତ୍ନୀଙ୍କ ଭରଣପୋଷଣ ସବୁ ସମୟ ପାଇଁ ବ୍ୟାପକ ଦାୟିତ୍ୱ ନୁହେଁ ଏବଂ ପତ୍ନୀ ବା ପତିଙ୍କ ପରିସ୍ଥିତିରେ ପରିବର୍ତ୍ତନ ହେଲେ ଏହାକୁ ବୃଦ୍ଧି କିମ୍ବା ହ୍ରାସ କରାଯାଇ ପାରିବ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ।

ଜଷ୍ଟିସ ଚନ୍ଦ୍ରଧାରୀ ସିଂ କହିଛନ୍ତି ଯେ, ମଧ୍ୟବର୍ତ୍ତୀକାଳୀନ କିମ୍ବା ସ୍ଥାୟୀ ଭରଣପୋଷଣ ପ୍ରଦାନର ଉଦ୍ଦେଶ୍ୟ ସ୍ୱାମୀ ବା ସ୍ତ୍ରୀଙ୍କୁ ଦଣ୍ଡ ଦେବା ନୁହେଁ ବରଂ ବିବାହର ବିଫଳତା ହେତୁ ନିର୍ଭରଶୀଳ ପତି ବା ପତ୍ନୀ ଯେପରି ବେସାହାରା ନହୁଅନ୍ତୁ । ଏହି ସମ୍ବନ୍ଧରେ ସମସ୍ତ ପ୍ରାସଙ୍ଗିକ କାରଣ ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଟ୍ରାଏଲ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ସ୍ୱାମୀଙ୍କ ଦ୍ୱାରା ଦିଆଯାଉଥିବା ଭରଣପୋଷଣ ରାଶିକୁ ବଢ଼ାଇବା ପାଇଁ ଜଣେ ମହିଳାଙ୍କ ଦ୍ୱାରା ଦାଖଲ ସଂଶୋଧନ ଆବେଦନ ଉପରେ ନିଷ୍ପତ୍ତି ନେବାବେଳେ କୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି ।

ଏହି ମାମଲାରେ ଆବେଦନକାରୀ ମାସିକ ୩୫,୦୦୦ ଟଙ୍କା ଭରଣପୋଷଣ ପାଇଁ ଅନୁରୋଧ କରିଛନ୍ତି ଏବଂ କହିଛନ୍ତି ଯେ, ଟ୍ରାଏଲ କୋର୍ଟ ଦ୍ୱାରା ସ୍ଥିର ହୋଇଥିବା ୩୦୦୦ ଟଙ୍କା ଭରଣପୋଷଣ ପାଇଁ ପର୍ଯ୍ୟାପ୍ତ ନୁହେଁ । ମହିଳା ଜଣକ ଯୁକ୍ତି କରିଥିଲେ ଯେ ସ୍ୱାମୀଙ୍କ ଆୟ ମାସକୁ ୮୨,୦୦୦ ଟଙ୍କା ଏବଂ ସେ ନିଜ ଆୟ ବିଷୟରେ ଟ୍ରାଏଲ କୋର୍ଟକୁ ଜଣାଇନଥିଲେ ।
ଅନ୍ୟପଟେ ସ୍ୱାମୀ ଦାବି କରିଛନ୍ତି ଯେ, ସେ ଭଡା ଘରେ ରହି କ୍ୟାବ ଡ୍ରାଇଭର ଭାବରେ କାମ କରି ମାସକୁ ୧୫,୦୦୦ ଟଙ୍କା ରୋଜଗାର କରୁଛନ୍ତି ଏବଂ ତାଙ୍କ ବୃଦ୍ଧ ଓ ଅସୁସ୍ଥ ପିତାମାତାଙ୍କର ମଧ୍ୟ ଯତ୍ନ ନେଉଛନ୍ତି ।

କୋର୍ଟ କହିଛନ୍ତି ଯେ, ଭରଣପୋଷଣ ପାଇଁ ଉପଯୁକ୍ତ ପରିମାଣ ନିର୍ଣ୍ଣୟ କରିବା ପାଇଁ ସ୍ୱାମୀଙ୍କ ଆର୍ଥିକ କ୍ଷମତା, ପରିବାର ସଦସ୍ୟଙ୍କ ଦାୟିତ୍ୱ ଓ ନିଜ ଖର୍ଚ୍ଚକୁ ଧ୍ୟାନରେ ରଖି ନିଷ୍ପତ୍ତି ନିଆଯିବା ଉଚିତ୍ । ପତ୍ନୀଙ୍କ ଆବେଦନକୁ କୋର୍ଟ ଖାରଜ କରି କହିଛନ୍ତି ଯେ, ଟ୍ରାଏଲ କୋର୍ଟର ଆଦେଶରେ ହସ୍ତକ୍ଷେପ କରିବାର କୌଣସି ଠୋସ୍ କାରଣ ଦେଖାଯାଉ ନାହିଁ ।

Get real time updates directly on you device, subscribe now.