IPL 2025 ମେଗା ଅକ୍ସନରେ ନିଲାମଧାରୀ ହେବେ ମଲ୍ଲିକା ସାଗର, ପ୍ରଥମ ମହିଳା ନିଲାମଧାରୀ ଭାବେ ସୃଷ୍ଟି କରିଥିଲେ ରେକର୍ଡ଼

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ(IPL) ୨୦୨୫ ମେଗା ଅକ୍ସନକୁ ନେଇ ବଡ଼ ଅପଡେଟ ସାମ୍ନାକୁ ଆସିଛି । ଚଳିତ ଥର ମଧ୍ୟ ଜଣେ ମହିଳା ନିଲାମଧାରୀଙ୍କ ନାମ ସାମ୍ନାକୁ ଆସିଛି । ସେ ପୂର୍ବରୁ ଆଇପିଏଲ୍ ସହ ମହିଳା ପ୍ରିମିୟର ଲିଗ୍(WPL)ରେ ନିଲାମଧାରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ତାଙ୍କ ପାଖରେ ପ୍ରାୟ ୨ ଦଶନ୍ଧୀର ଅନୁଭବ ରହିଛି । ଆଇପିଏଲ ଇତିହାସରେ ପ୍ରଥମ ମହିଳା ନିଲାମଧାରୀ ଭାବେ ସେ ରେକର୍ଡ଼ ସୃଷ୍ଟି କରିଛନ୍ତି । ତାଙ୍କ ନାଁ ହେଉଛି ମଲ୍ଲିକା ସାଗର ।

୨୦୨୪ ଆଇପିଏଲରେ ମଲ୍ଲିକାଙ୍କୁ ପ୍ରଥମ ଥର ପାଇଁ ମହିଳା ନିଲାମଧାରୀ ଭାବେ ଦେଖିବାକୁ ମିଳିଥିଲା । ତାଙ୍କ ପୁର୍ବରୁ କେବଳ ପୁରୁଷଙ୍କୁ ହିଁ ନିଲାମଧାରୀ ଭୂମିକା ତୁଲାଉଥିଲେ । ବର୍ତ୍ତମାନ ମଲ୍ଲିକାଙ୍କୁ ୨ୟ ଥର ପାଇଁ ଚୟନ କରାଯାଇଛି । ଆଇପିଏଲ, ମହିଳା ପ୍ରିମିୟର ଲିଗ୍ ଏବଂ ପ୍ରୋ କବାଡ଼ିରେ ନିଲାମଧାରୀ ଭୂମିକା ତୁଲାଇଥିଲେ ମଲ୍ଲିକା । ଗତ ଥର ଭଳି IPL 2025 ମେଗା ଅକ୍ସନ ଭାରତ ବାହାରେ ଆୟୋଜିତ ହେବ । ଆସନ୍ତା ନଭେମ୍ବର ୨୪ ଓ ୨୫ରେ ସାଉଦୀ ଆରବର ଜେଦ୍ଦାରେ ଏହି ମେଗା ନିଲାମୀ ଆୟୋଜିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । କହିରଖୁଛୁ ଏଥିପାଇଁ ମୋଟ୍ ୧୫୭୪ ଖେଳାଳି ପଞ୍ଜିକରଣ କରିଛନ୍ତି । ଏଥିମଧ୍ୟରୁ ୩୨୦ କ୍ୟାପ୍ଡ ଏବଂ ୧୨୨୪ ଜଣ ଅନକ୍ୟାପ୍ଡ ଖେଳାଳି ଅଛନ୍ତି । ଏହା ବ୍ୟତୀତ ୩୦ ଜଣ ଖେଳାଳି ଆସୋସିଏଟ୍ ନେସନରୁ ଅଟନ୍ତି । ଚଳିତ ଥର ଅକ୍ସନରେ ଖେଳାଳିଙ୍କ ପାଇଁ ୨୦୪ଟି ସ୍ଲଟ୍ ଉପଲବ୍ଧ ହେବ ।