fbpx

ମଣିପୁରରୁ ଆସିଲା ଆଉ ଏକ ହୃଦୟ ବିଦାରକ ଘଟଣା, ୨ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା

ଇମ୍ଫାଲ: ମଣିପୁରରେ ୨ ମହିଳାଙ୍କୁ ବିବସ୍ତ୍ର କରି ରାସ୍ତାରେ ଚଲାଇବା ଘଟଣାକୁ ନେଇ ସାରା ଦେଶର ମୁଣ୍ଡ ଲଜ୍ଜାରେ ନଇଁ ଯାଇଥିବା ବେଳେ ପୁଣି ଏକ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି । ୨ ଜଣ ଯୁବତୀଙ୍କୁ କେତେକ ଦୁର୍ବୃତ୍ତ ଦୁଷ୍କର୍ମ କରିବା ପରେ ସେମାନଙ୍କୁ ନିର‌୍ୟାତନା ଦେଇ
ହତ୍ୟା କରିବା ଘଟଣା ପୁଣି ମଣିପୁରରେ ଲାଗିରହିଥିବା ଉତ୍ତେଜନାରେ ଘିଅ ଢ଼ାଳିବା ପରି ହୋଇଛି । ଏହି ଘଟଣା ପରେ ମଣିପୁରରେ ମହିଳାମାନେ କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ମେ ୩ ତାରିଖରୁ ମଣିପୁରରେ ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ଲାଗି
ରହିଥିବା ସଂଘର୍ଷକୁ ଏପର‌୍ୟ୍ୟନ୍ତ ସରକାର କିମ୍ବା ସୁରକ୍ଷାକର୍ମୀ ରୋକିବାରେ ସମର୍ଥ ହୋଇପାରି ନାହାନ୍ତି ।

ରାଜ୍ୟରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ଚଲାଇବା ଭିଡିଓ ସାମ୍ନାକୁ ଆସିବା ପରେ ସରକାରୀ ଏଜେନ୍ସି ରାଜ୍ୟରେ ଘଟୁଥିବା ସବୁ ହିଂସାକାଣ୍ଡର ଯାଞ୍ଚ କରିବା ଆରମ୍ଭ କରିଛନ୍ତି । ବର୍ତ୍ତମାନସୁଦ୍ଧା ବିଭିନ୍ନ ହିଂସାକାଣ୍ଡକୁ ନେଇ ୬ ହଜାରରୁ ଊର୍ଦ୍ଧ୍ୱ ମାମଲା ରୁଜୁ ହୋଇ ସାରିଲାଣି । ଅଧିକାଂଶ ମାମଲା
ପୋଡ଼ାଜଳା ଓ ସରକାରୀ ସମ୍ପତ୍ତି କ୍ଷତି କରିବା ନେଇ ରୁଜୁ କରାଯାଇଛି । ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆମେ ସ୍ଥିତି ଉପରେ କଡ଼ା ନଜର ରଖିଛୁ । ଭୁଲ ତଥ୍ୟର ଯେଭଳି ଅଧିକ ପ୍ରଚାର ନ ହୁଏ ସେଥିନେଇ ମଧ୍ୟ ଧ୍ୟାନ ଦିଆଯାଉଛି । ବିଶେଷକରି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ନଜର ରଖାଯାଇଛି ।

ମାମଲା ଯେଉଁ ଅନୁସାରେ ହେଉଛି, ସେହି ଅନୁସାରେ ପୋଲିସ କର୍ମୀ ନ ଥିବାରୁ ମାମଲାର ତଦନ୍ତରେ ମଧ୍ୟ ବିଳମ୍ବ ଘଟୁଛି । ଏବେ ହିଂସାପାଇଁ ବହୁ ପୋଲିସ ଅଧିକାରୀ ନିୟୋଜିତ କରାଯାଇଥିବାରୁ ମାମଲା ତଦନ୍ତରେ ମଧ୍ୟ ବିଳମ୍ବ ଘଟୁଛି ।
ସୁରକ୍ଷାକର୍ମୀଙ୍କ ଅଭାବ ପୂରଣ ପାଇଁ କେନ୍ଦ୍ର ପକ୍ଷରୁ ୧୩୫ କମ୍ପାନୀ ଯବାନଙ୍କୁ ମଣିପୁର ପଠାଯାଇଛି । ମଣିପୁରର ୧୬ ଜିଲ୍ଲା ମଧ୍ୟରୁ ୮ଟି ଜିଲ୍ଲାକୁ ହିଂସାପ୍ରବଣ ଜିଲ୍ଲାଭାବେ ଘୋଷଣା କରାଯାଇଛି । ଏହି ହିଂସାରେ ବର୍ତ୍ତମାନ ସୁଦ୍ଧା ୧୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାରୁ
୫୦ହଜାରରୁ ଅଧିକ ଲୋକ ବାସହୀନ ହୋଇ ବିଭିନ୍ନ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି । ଅନ୍ୟପକ୍ଷରେ ଦୁଇ ମହିଳାଙ୍କୁ ଉଲଗ୍ନକରି ଚଲାଇନେବା ଘଟଣାରେ ମହିଳାମାନେ ଉତ୍ତେଜିତ ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

Get real time updates directly on you device, subscribe now.