fbpx

ରାଜ୍ୟସଭା ଉପନିର୍ବାଚନ ପାଇଁ ଦୁଇ ପ୍ରାର୍ଥୀତ୍ୱ ଦ୍ୱନ୍ଦ୍ୱ: ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୩ ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ଏନେଇ ଗତ ୧୪ ତାରିଖଜ୍ରୋଜ୍ୟ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜ୍ୟ ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟା ଅଧିକ ରହିଥିବାରୁ ଏହି ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ଜିତିବା ସୁନିଶ୍ଚିତ । ତେବେ ଏହା ମଧ୍ୟରେ ଗତ ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ସମାପ୍ତ ହୋଇଥିବା ବେଳେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଅନ୍ତିମ ତାରିଖ ଅଗଷ୍ଟ ୨୭ ରହିଛି ।

ତେବେ ଗତ ୨୧ ତାରିଖରେ ମମତା ମହାନ୍ତ ଭାଜପା ତରଫରୁ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଥିଲେ । ଗତ ମାସ ୩୧ ତାରିଖରେ ମମତା ବିଜେଡିରୁ ଇସ୍ତପା ଦେବାର ଦିନକ ପରେ ଅଗଷ୍ଟ ମାସ ପହିଲାରେ ବିଜେପିରେ ଯୋଗଦେଇଥିଲେ । ତେବେ ଅଗଷ୍ଟ ୨୧ରେ ରାଜ୍ୟ ବିଜେପିରେ ଏକ ବଡ଼ ରୋଚକମୋଡ଼ ଦେଖିବାକୁ ମିଳିଥିଲା । ୨୦୨୪ ବିଧାନସଭା ନିର୍ବାଚନରେ ଭୁବନେଶ୍ୱର-ମଧ୍ୟ ଆସନରୁ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ମାତ୍ର ଅଳ୍ପ ଭୋଟରେ ପରାଜୟ ବରଣ କରିଥିବା ଜଗନ୍ନାଥ ଦ୍ୱିତୀୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ସୂଚନାଯୋଗ୍ୟ, ରାଜ୍ୟସଭା ପାଇଁ କେବଳ ଗୋଟିଏ ଆସନ ଖାଲି ଥିବା ବେଳେ ଗୋଟିଏ ଦଳରୁ ଦୁଇଜଣ ପ୍ରାର୍ଥୀ ନାମାଙ୍କନ ଭରିବାକୁ ନେଇ ରାଜନୈତିକ ମହଲରେ ବଡ଼ ଚର୍ଚ୍ଚା ହୋଇଥିଲା । ଏଭଳି ସ୍ଥିତିରେ ମମତାଙ୍କ ପ୍ରାର୍ଥୀପତ୍ର ନାକଚ ହେବାର ଆଶଙ୍କା ରହିଥିବାରୁ ବିଜେପି ଜଗନ୍ନାଥଙ୍କୁ ପ୍ରାର୍ଥୀ କରିଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା । ତେବେ ଏହା ମଧ୍ୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପିର ଦଳୀୟ ପ୍ରାର୍ଥୀ ମମତା ବୋଲି କହିବା ସହ ଦଳ ଯାହାକୁ ପ୍ରାର୍ଥୀ କରିଛି ତାହା ଚୂଡ଼ାନ୍ତ ବୋଲି କହିଥିଲେ । ମନମୋହନଙ୍କ ବୟାନ ପରେ ରାଜ୍ୟସଭା ଉପନିର୍ବାଚନକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

Get real time updates directly on you device, subscribe now.