ଆଦିପୁରୁଷ ବିବାଦକୁ ନେଇ କ୍ଷମା ମାଗିଲେ ମନୋଜ ମୁନ୍ତଶିର, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ: ନିର୍ଦ୍ଦେଶକ ଓମ ରାଉତଙ୍କ ଫିଲ୍ମ ଆଦିପୁରୁଷ, ୧୬ ଜୁନରେ ସିନେମା ଘରେ ରିଲିଜ ହୋଇଥିଲା । ଫିଲ୍ମ ରିଲିଜ ପୂର୍ବରୁ ଦର୍ଶକମାନଙ୍କ ମଧ୍ୟରେ ବହୁ ଉତ୍ସାହ ଦେଖିବାକୁ ମିଳିଥିଲା । ହେଲେ ରିଲିଜ ପରେ ଏହି ଫିଲ୍ମକୁ ନେଇ ଅନେକ ଟ୍ରୋଲ କରାଯାଉଛି । ଫିଲ୍ମର ନିକୃଷ୍ଟ ଧରଣର ସଂଳାପକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛିା । ତେଣୁ ଜନସାଧାରଣଙ୍କ ଭାବାବେଗକୁ ଆଘାତ ପହଁଚିଥିବାରୁ ଆଦିପୁରୁଷ ଫିଲ୍ମର ସଂଳାପ ଲେଖକ ମନୋଜ ମୁନ୍ତଶିର ଆଜି ଟ୍ୱିଟ କରି କ୍ଷମା ପ୍ରାର୍ଥନା କରିଛନ୍ତି ।

ମନୋଜ ମୁନ୍ତଶିର ଟ୍ୱିଟ କରି କହିଛନ୍ତି ଯେ, ମୁଁ ସ୍ୱୀକାର କରୁଛି ଯେ, ଆଦିପୁରୁଷରେ ଲୋକଙ୍କ ଭାବନା ଆହତ ହୋଇଛି । ମୋର ସମସ୍ତ ଭାଇ-ଭଉଣୀ, ପୂଜ୍ୟ ଗୁରୁଜନ, ସାଧୁ-ସନ୍ଥ ଏବଂ ସମସ୍ତ ରାମ ଭକ୍ତଙ୍କୁ ମୁଁ ବିନା ସର୍ତ୍ତରେ ହାତ ଯୋଡ଼ି କ୍ଷମା ମାଗୁଛି । ଭଗବାନ ବଜରଙ୍ଗବାଲୀ ଆମ ସମସ୍ତଙ୍କ ଉପରେ କୃପା କରନ୍ତୁ । ପ୍ରକୃତରେ ଆଦିପୁରୁଷ ଚଳଚ୍ଚିତ୍ରରେ ଲେଖିଥିବା ସଂଳାପ ଗୁଡ଼ିକୁ ଯଥାର୍ଥ ବୋଲି ପ୍ରମାଣିତ କରିବାରେ ବିଫଳ ହେବା ପରେ ମନୋଜ ମୁନ୍ତଶିର୍ ଶୁକ୍ଳା ଏଭଳି କ୍ଷମାପ୍ରାର୍ଥନା କରିଛନ୍ତି ।

ଫିଲ୍ମ ରିଲିଜ ପରେ ମନୋଜ ସବୁ ଆଡୁ ନିଜକୁ ସଠିକ୍ ପ୍ରମାଣିତ କରିବା ଲାଗି ଚେଷ୍ଟା କରିଥିଲେ । ଯାହାପରେ ବିବାଦ ଆହୁରୀ ବଢିଯାଇଥିଲା । ମନୋଜ ଏକ ସାକ୍ଷାତକାରରେ ଏପରି ମଧ୍ୟ କହିଦେଇଥିଲେ ଯେ, ହନୁମାନ ଭଗବାନ ନୁହଁନ୍ତି, ସେ ଭକ୍ତ ଅଟନ୍ତି । ପ୍ରଭୁ ରାମଙ୍କ ପ୍ରଗାଢ ଭକ୍ତି ଯୋଗୁଁ ତାଙ୍କୁ ଈଶ୍ୱର ବୋଲି କୁହାଯାଉଛି । ତେବେ ବର୍ତ୍ତମାନ ସେ ଟ୍ୱିଟରେ ଭୁଲ ମାଗି ପ୍ରଭୁ ହନୁମାନଙ୍କୁ ଭଗବାନ ବୋଲି କହିଛନ୍ତି ।