fbpx

IPL-2024ରେ ଯୋଡ଼ି ହେବ ଅନେକ ନୂଆ ନିୟମ: ଅମ୍ପାୟାର-ବୋଲରଙ୍କୁ ଚିନ୍ତାରୁ ମୁକ୍ତି…

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମହାସମର । ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଏବଂ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ମଧ୍ୟରେ ହେବ କଡ଼ା ଟକ୍କର । ତେବେ ଅନ୍ୟ ସିଜନ ଅପେକ୍ଷା ଚଳିତବର୍ଷ ଆଇପିଏଲ ବେଶ୍ ରୋମାଞ୍ଚକର ହେବାକୁ ଯାଉଛି । କାରଣ ଏଥର ଅନେକ କିଛି ପରିବର୍ତ୍ତନ ସହ ଫେରୁଛି ଆଇପିଏଲ-୨୦୨୪ । ଟୁର୍ଣ୍ଣାମେଣ୍ଟ ପୂର୍ବରୁ କିଛି ନୂଆ ନିୟମ ଏଥିରେ ସାମିଲ କରାଯାଇଛି । ଏଥିରେ ବାଉନ୍ସର ବଲ ସଂଖ୍ୟା ଏବଂ ରିଭ୍ୟୁ ସିଷ୍ଟମକୁ ନେଇ ବଡ଼ ଅପଡେଟ ରହିଛି । ଯାହା ମ୍ୟାଚ ସମୟରେ ଜଣେ ବୋଲର ଏବଂ ଅମ୍ପାୟାରଙ୍କୁ ଖୁବ ସାହାଯ୍ୟ କରିବ ।

ଗୋଟିଏ ଓଭରରେ ୨ଟି ବାଉନ୍ସର: ଆସନ୍ତା ଆପଇପିଏଲରୁ ଜଣେ ବୋଲର ଗୋଟିଏ ଓଭରରେ ୨ଟି ବାଉନ୍ସର ବଲ୍ ପକାଇ ପାରିବେ । ଉଭୟ ବଲ୍ ଲିଗାଲ ଭାବରେ ଗଣାଯିବ । କିନ୍ତୁ ପୂର୍ବରୁ ଜଣେ ବୋଲର ଗୋଟିଏ ଓଭରରେ ସର୍ବାଧିକ ଗୋଟିଏ ବାଉନ୍ସର ପକାଇ ପାରୁଥିଲେ । କିନ୍ତୁ ଏଥର ଆଇପିଏଲ ପାଇଁ ଏହି ନିୟମରେ ପରିବର୍ତ୍ତନ କରାଯାଇଛି । ଏହାପୂର୍ବରୁ ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ ଏବଂ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଏହି ନିୟମ ଲାଗୁ ହୋଇଛି । ତେବେ ପ୍ରଥମ କରି ଆଇପିଏଲରେ ଏହି ନିୟମ ଟୁର୍ଣ୍ଣାମେଣ୍ଟ ଉପରେ ବଡ଼ ପ୍ରଭାବ ପକାଇପାରେ ବୋଲି ଅନୁମାନ କରାଯାଉଛି ।

ସ୍ମାର୍ଟ ରିଭ୍ୟୁ ସିଷ୍ଟମ୍: ଏଥର ଆଇପିଏଲରେ ଲାଗୁ ହେବ ସ୍ମାର୍ଟ ରିଭ୍ୟୁ ସିଷ୍ଟମ୍ । ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ଲାଗି ରହିଛି । ତେବେ ଏହି ନିୟମ ଅମ୍ପାୟାରଙ୍କ ପାଇଁ କୌଣସି ଡିସିସନ୍ ଦେବାକୁ ବେଶ୍ ସହାୟକ ହୋଇପାରିବ । ଏଥର ଆଇପିଏଲରେ ଟିଭି ଅମ୍ପାୟାର ଏବଂ ହକ୍-ଆଇ ଅପରେଟର୍ସ ଗୋଟିଏ ରୁମରେ ରହିବ । ବର୍ତ୍ତମାନ ପର୍ଯ୍ୟନ୍ତ ଏ ଦୁହେଁ ଅଲଗା ଅଲଗା ରୁମରେ ରହୁଥିଲେ ଏବଂ ଉଭୟଙ୍କ ମଧ୍ୟରେ ସୂତ୍ରଧର ସାଜିଥିଲେ ଟିଭି ବ୍ରଡକାଷ୍ଟ ଡାଇରେକ୍ଟର । କିନ୍ତୁ ବର୍ତ୍ତମାନ ଟିଭି ବ୍ରଡକାଷ୍ଟ ଡାଇରେକ୍ଟରଙ୍କ ଭୂମିକାକୁ ବାଦ୍ ଦିଆଯାଇପାରେ ।

ତେବେ ନୂଆ ନିୟମ ଅନୁସାରେ, ସ୍ମାର୍ଟ ରିପ୍ଲେ ସିଷ୍ଟମରେ ଟିଭି ଅମ୍ପାୟାରଙ୍କୁ ହକ୍-ଆଇ ଅପରେଟର୍ସଙ୍କ ପାଖରୁ ସିଧା ତଥ୍ୟ ମିଳିପାରିବ । ହକ୍ ଆଇର ୮ଟି ହାଇ ସ୍ପିଡ କ୍ୟାମେରାରେ ନିଆ ଯାଇଥିବା ଫଟୋରୁ ନିଷ୍ପତ୍ତି ନେବା ଆହୁରି ସହଜ ହୋଇପାରିବ । ଏହାସହିତ ଟିଭି ଅମ୍ପାୟାରଙ୍କ ପାଇଁ ଅଧିକ ଭିଜୁଆଲ ଦେଖିବାକୁ ସୁବିଧା ହୋଇପାରିବ ।

ଯଦି ଜଣେ ଫିଲ୍ଡର ବାଉଣ୍ଡ୍ରିରେ କ୍ୟାଚ ନେଇଛନ୍ତି, ତେବେ ସେହି ପରିସ୍ଥିତିରେ ପୂର୍ବରୁ ଟିଭି ପ୍ରସାରଣକାରୀମାନେ ସପ୍ଲିଟ ସ୍କ୍ରିନରେ ଫିଲ୍ଡରଙ୍କ ଉଭୟ ହାତ ଏବଂ ପାଦକୁ ଏକା ସାଙ୍ଗରେ ଦେଖାଇବାକୁ ସକ୍ଷମ ହୋଇନଥିଲେ । କିନ୍ତୁ ବର୍ତ୍ତମାନ ନୂଆ ସିଷ୍ଟମ ଅଧୀନରେ ଅମ୍ପାୟାର ବଲ ଧରାଯିବା, ରିଲିଜ୍ ହେବା ସହ ସମାନ ସ୍ପିଲିଟ ସ୍କ୍ରିନ ଜରିଆରେ ଦେଖି ହେବ । ଏହା ଅମ୍ପାୟାରଙ୍କୁ ସଠିକ୍ ଏବଂ ଶୀଘ୍ର ନିଷ୍ପତ୍ତି ଦେବା ସହଜ କରିବ ।

Get real time updates directly on you device, subscribe now.