ନୂଆଦିଲ୍ଲୀ: ଆଜି(ନଭେମ୍ବର ୧୪) ଦିଲ୍ଲୀରେ ମେୟର ଏବଂ ଡେପୁଟି ମେୟର ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନ ଏପ୍ରିଲରେ ଅନୁଷ୍ଠିତ ହୋଇଥାନ୍ତା କିନ୍ତୁ କୌଣସି କାରଣ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏହା ପରେ ନଭେମ୍ବର ୪ରେ ଏହି ନିର୍ବାଚନ ଆୟୋଜିତ ହେବା ନେଇ ଦିଲ୍ଲୀ ମେୟର ନିର୍ଦ୍ଦେଶ ଦେଇଥିଲେ ।
ଦିଲ୍ଲୀ ମୁନିସିପାଲ କର୍ପୋରେସନ(MCD) ରେ ଆମ୍ ଆଦମୀ ପାର୍ଟି(ଆପ୍) ଏବଂ ଭାରତୀୟ ଜନତା ପାର୍ଟି(ବିଜେପି) ତରଫରୁ ନିର୍ବାଚନ ଜିତିବା ପାଇଁ ସମସ୍ତ ରଣନୀତି ପ୍ରସ୍ତୁତ କରିସାରିଛନ୍ତି । ତେବେ ଏହି ନିର୍ବାଚନରେ ମଧ୍ୟ ଅନେକ ହଙ୍ଗାମା ହେବା ନେଇ ବିଭିନ୍ନ କଳ୍ପନା ଜଳ୍ପନା ଲାଗି ରହିଛି । କାରଣ ଗତ ଥର ହୋଇଥିବା ମେୟର ନିର୍ବାଚନରେ ମଧ୍ୟ ଅନେକ ମାରପିଟର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ମେୟରଙ୍କ ଆଦେଶ ଅନୁଯାୟୀ ଆଜି ଅପରାହ୍ନ ୨ଟାରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରିଜାଇଡିଂ ଅଫିସର ଭାବରେ ୱାର୍ଡ଼ ସଂଖ୍ୟା ୨୨୬ ଗୌତମ ପୁରୀର କାଉନସିଲର ସତ୍ୟ ଶର୍ମାଙ୍କୁ ମନୋନିତ କରାଯାଇଛି । MCD ଆକ୍ଟ ୧୯୫୭ର ଧାରା ୭୭(ଏ) ଅନୁଯାୟୀ ପ୍ରଦତ୍ତ କ୍ଷମତାକୁ ବ୍ୟବହାର କରି ଦିଲ୍ଲୀର ଉପରାଜ୍ୟପାଳ ସତ୍ୟ ଶର୍ମାଙ୍କୁ ମେୟର ନିର୍ବାଚନ ପାଇଁ ବୈଠକର ଅଧ୍ୟକ୍ଷତା କରିବା ପାଇଁ ନିଯୁକ୍ତ କରିଛନ୍ତି ।
୨୦୨୨ରେ MCDରେ ଆପ୍ କ୍ଷମତାରେ ଥିବା ସମୟରେ ଦିଲ୍ଲୀ ମେୟର ଭାବେ ଆପର ଶୈଲୀ ଓବେରୟ ଏବଂ ଆଲେ ମହମ୍ମଦ ଇକବାଲଙ୍କୁ ଡେପୁଟି ମେୟର କରାଯାଇଥିଲା । ୨୦୨୩ରେ ପୁନଃ ଉଭୟଙ୍କୁ ମେୟର ଏବଂ ଡେପୁଟି ମେୟର ଭାବେ ଚୟନ କରାଯାଇଥିଲା । କିନ୍ତୁ ଚଳିତ ବର୍ଷ MCD ଆକ୍ଟ ଅନୁଯାୟୀ ତୃତୀୟ ବର୍ଷ ମେୟର ଏବଂ ଡେପୁଟି ମେୟର ଅନୁସୂଚିତ ଜାତିର ହେବେ । ଏନେଇ ଆପ୍ ଏବଂ ବିଜେପି ଏପ୍ରିଲରେ ପ୍ରାର୍ଥୀ ଘୋଷଣା କରିଥିଲେ । ଆପ୍ ପକ୍ଷରୁ ଦେବ ନଗର ୱାର୍ଡ଼ ନମ୍ବର ୮୪ର କାଉନସିଲର ମହେଶ ଖିଚି ଏବଂ ଡେପୁଟି ମେୟର ଭାବେ ଅମନ ବିହାର ୱାର୍ଡ଼ ନମ୍ବର ୪୧ର କାଉନସିଲର ରବୀନ୍ଦ୍ର ଭରଦ୍ୱାଜଙ୍କ ନାମ ଘୋଷଣା କରିଥିଲା । ସେହିପରି ବିଜେପି ମେୟର ଭାବେ କିଶନ ଲାଲ ଏବଂ ଡେପୁଟି ମେୟର ଭାବେ ନୀତା ବିଷ୍ଟଙ୍କ ନାମ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ।