ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେଥିପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜ ସଂଗଠନକୁ ପୁନର୍ଗଠନ କରିବା ସହିତ ନୂଆ ନେତାଙ୍କୁ ଦାୟିତ୍ୱ ଦେଉଛନ୍ତି । ଏହା ମଧ୍ୟରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବାକୁ ବିଜେଡି ଯୋଜନା ପ୍ରସ୍ତୁତ କରିସାରିଥିବା ବେଳେ ବିଜେପି ଓ କଂଗ୍ରେସ ସରକାର ଗଠନ ନେଇ ଗୋଟି ଚାଳନା କରୁଛନ୍ତି ।
ସାଧାରଣ ଭାବେ ନିର୍ବାଚନ ସମୟ ପାଖେଇ ଆସିଲେ ରାଜନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଥାଏ । କ୍ଷମତା ଓ ପଦବୀ ଲୋଭରେ ନେତାମାନେ ଗୋଟିଏ ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ ହୋଇଥାନ୍ତି । ତେବେ ଏହା ମଧ୍ୟରେ ରାଜ୍ୟରେ କ୍ଷମତାସୀନ ବିଜେଡି ଶିବିରରୁ ଆସିଛି ଏକ ବଡ଼ ଖବର । ବିଜେଡି ନେତା ତଥା ମୟୁରଭଞ୍ଜ ଜିଲ୍ଲା ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ୱର ସାମାଡ଼ ଇସ୍ତଫା ଦେଇଛନ୍ତି ।
ପରମେଶ୍ୱର ତାଙ୍କର ଇସ୍ତଫା ପତ୍ର ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିକଟକୁ ହ୍ୱାଟସଆପ ଜରିଆରେ ପଠାଇଛନ୍ତି । ସେ ଜଣେ ସଚ୍ଚୋଟ କର୍ମୀ ଭାବେ ବିଜେଡିରେ କାମ କରୁଥିବା ବେଳେ ଜିଲ୍ଲା ସଭାପତିଙ୍କ କାର୍ଯ୍ୟକୁ ନେଇ ସେ ଅସନ୍ତୁଷ୍ଟ ରହିଥିଲେ । ବିଭିନ୍ନ ନେତାଙ୍କ ପାଇଁ ସେ ମାନସିକ ଆଘାତ ପାଇଥିବାରୁ ଶେଷରେ ବାଧ୍ୟ ହୋଇ ସେ ଇସ୍ତଫା ଦେଇଥିବା ପରମେଶ୍ୱର ପ୍ରତିକ୍ରିୟାରେ କହିଛନ୍ତି । ଅନ୍ୟପକ୍ଷରେ ଏ ବାବଦରେ ତାଙ୍କ ପାଖରେ କୌଣସି ଖବର ନଥିବା ଜିଲ୍ଲା ସଭାପତି କହିଛନ୍ତି । ତେବେ ବିଜେଡିରୁ ଇସ୍ତଫା ଦେବା ପରେ ପରମେଶ୍ୱର କେଉଁ ଦଳରେ ଯୋଗଦେବେ ସେନେଇ କିଛି ସ୍ପଷ୍ଟ କରିନାହାନ୍ତି ।