fbpx

ହଷ୍ଟେଲ ରୁମରୁ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସଫେଇ ଦେଲେ ଡିନ୍

ବଲାଙ୍ଗିର(ଓଡ଼ିଶା ଭାସ୍କର): ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ ନିରୁପମା ନନ୍ଦଙ୍କର ମୃତ୍ୟୁ ହୋଇଛି । ମେଡିକାଲ କଲେଜର ହଷ୍ଟେଲ ରୁମ୍ ଭିତରୁ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନିରୁପମା ଝୁଲିପଡିଥିବା ନେଇ କଲେଜ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପହଞ୍ଚିବା ପରେ ନିରୁପମାଙ୍କୁ ତଳକୁ ଅଣାଯାଇଥିଲା । ପରିବାର ଲୋକଙ୍କ ଉପସ୍ଥିତିରେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହାପରେ ପରିବାର ଲୋକଙ୍କୁ ମର ଶରୀର ହସ୍ତାନ୍ତର କରିଥିଲା ପୋଲିସ ।

ତେବେ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପରିବାର ଲୋକେ କିମ୍ବା କଲେଜ କର୍ତ୍ତୃପକ୍ଷ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲୁନାହାନ୍ତି । ନିରୁପମା ଜଣେ ମେଧାବୀ ଛାତ୍ରୀ ଥିବାବେଳେ ତାଙ୍କର ମୃତ୍ୟୁ କିପରି ହେଲା, ତାହା ଏବେ ସନ୍ଦେହ ଘେରରେ ରହିଛି । ଅନ୍ୟପଟେ ପରିବାର ଲୋକେ କହିଛନ୍ତି ଯେ, ଛାତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଛି କିମ୍ବା ତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି ।

ଏହା ସହ ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି ବିବିଏମସି ଡିନ୍ ସବିତା ମହାପାତ୍ର । ସେ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁକୁ ସନ୍ଦେହଜନକ କହିଛନ୍ତି । ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ‘ମୃତ ଛାତ୍ରୀଙ୍କ ସହପାଠୀଙ୍କୁ ବାହାରୁ କେହି ଜଣେ ଫୋନ୍ କରିଥିଲେ । ଫୋନ୍ କରି ସେ କେମିତି ଅଛି ଦେଖି ନିଅନ୍ତୁ କହିଥିଲେ । ଏହାପରେ ସହପାଠୀମାନେ ରୁମରେ ମୃତଦେହ ଦେଖିଥିଲେ । ରୁମରେ ଏକ ପ୍ରକାର କେମିକାଲ ଗନ୍ଧ ମଧ୍ୟ ଆସୁଥିଲା । ଏସବୁ ରହସ୍ୟଜନକ ଲାଗୁଛି, ପୋଲିସ ତଦନ୍ତ କରି ସତ୍ୟାସତ୍ୟ ବାହାର କରୁ । ଏବେ ପରିବାର ଲୋକଙ୍କ ପାଖରେ ମୃତ ଛାତ୍ରୀଙ୍କ ମୋବାଇଲ ଅଛି । ମୃତ ଛାତ୍ରୀ ରାତି ପ୍ରାୟ ୧୧ଟା ୪୦ ଯାଏଁ ତାଙ୍କ ଉଭଣୀ ସହ ଚାଟ୍ କରିଥିବା ଜଣାପଡିଛି ।’

Get real time updates directly on you device, subscribe now.