ନୂଆଦିଲ୍ଲୀ: ମେକ୍ସିକୋର ଦକ୍ଷିଣ ପ୍ରଶାନ୍ତ ମହାସାଗର ଉପକୂଳ ନିକଟରେ ଘଟିଛି ଏକ ବଡ଼ ଦୁର୍ଘଟଣା। କିଛି ପ୍ରବାସୀଙ୍କୁ ଆଣୁଥିବା ଏକ ଡଙ୍ଗା ହଠାତ, ମଝି ସମୁଦ୍ରରେ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ୮ ଜଣ ପ୍ରବାସୀ ଏସିଆର ବୋଲି ଆଶଙ୍କା କରାଯାଇଛି।
ସୂଚନା ଅନୁଯାୟୀ, ଶୁକ୍ରବାର ଅର୍ଥାତ ଆଜି ଏହି ଦୁର୍ଘଟଣା ଘଟିଛି। ମେକ୍ସିକୋର ଦକ୍ଷିଣ ରାଜ୍ୟ ଓକ୍ସାକା କର୍ତ୍ତୃପକ୍ଷ କହିଛନ୍ତି ଯେ ଦୁର୍ଘଟଣାରୁ ବଞ୍ଚିଥିବା ଜଣେ ଏସିୟ ଲୋକ ଅଛନ୍ତି। ସମସ୍ତ ମୃତଦେହ ପ୍ଲା ଭିସେଣ୍ଟେ ସହରର ଏକ ସମୁଦ୍ର କୂଳ ନିକଟରେ ମିଳିଥିଲା। ତେବେ ଡଙ୍ଗାଟି କେଉଁ କାରଣରୁ ଦୁର୍ଘଟଣାର ସମ୍ମୁଖୀନ ହେଲା ସେ ନେଇ କୌଣସି ସୂଚନା ମିଳି ନାହିଁ। ଅନ୍ୟପଟେ ଏହାର କାରଣ ଜାଣିବା ପାଇଁ ବିଭିନ୍ନ ତଦନ୍ତ ଜାରି ରହିଛି।
ସୂଚନା ଥାଉକି, ମେକ୍ସିକୋର ଦକ୍ଷିଣ ପ୍ରଶାନ୍ତ ଉପକୂଳବର୍ତ୍ତୀ ଅଞ୍ଚଳଟି ପ୍ରବାସୀଙ୍କ ଲାଗି ମେକ୍ସିକୋ ପାର ହୋଇ ଆମେରିକା ସୀମାରେ ପହଞ୍ଚିବା ପାଇଁ ଏକ ପ୍ରମୁଖ ମାର୍ଗ ଅଟେ। ଅଧିକାଂଶ ପ୍ରବାସୀମାନେ ସ୍ଥଳଭାଗରେ ଯାତ୍ରା କରନ୍ତି, କିନ୍ତୁ କେତେକ ମେକ୍ସିକୋ ଭିତରେ ଥିବା ଇମିଗ୍ରେସନ ଚେକପଏଣ୍ଟକୁ ଏଡାଇବା ସମୁଦ୍ର ରାସ୍ତା ଦେଇ ଯିବାକୁ ବାଛିଥାନ୍ତି ଏବଂ ପରେ ଦୁର୍ଘଟଣାର ସମ୍ମୁଖୀନ ହୁଅନ୍ତି। ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ମଧ୍ୟ ଏପରି ଦୁର୍ଘଟଣା ଘଟିଛି ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଛନ୍ତି।