fbpx

କ୍ଷୀର ଲିଟର ୩ ଟଙ୍କା ବଢ଼ିଲା: ଆଜିଠାରୁ ଲାଗୁ ହେଲା, ଟମାଟୋ ପରେ ଏବେ କନ୍ଦାଇବ କ୍ଷୀର

ନୂଆଦିଲ୍ଲୀ: ଟମାଟୋର ମହଙ୍ଗା ମାଡ଼କୁ ନେଇ ଏବେ ଦେଶବାସୀ କଲବଲ ହେଉଛନ୍ତି । ଦେଶର ଅଧିକାଂଶ ରାଜ୍ୟରେ ଟମାଟୋ କେଜି ୧୦୦ ଟପିଥିବା ବେଳେ ଅନେକ ସ୍ଥାନରେ ୨୦୦ରୁ ୩୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି । ଜନତାଙ୍କୁ ଶସ୍ତାରେ ଟମାଟୋ ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ନିକଟରେ କମ୍ ଦରରେ ଟମାଟୋ ବିକ୍ରି କରିଥିଲେ । ତେବେ ଏହା ମଧ୍ୟରେ ପୁଣି ଏକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମହଙ୍ଗା ହୋଇଯାଇଛି ।

ସୂଚନା ମୁତାବକ, ଆଜିଠାରୁ କର୍ଣ୍ଣାଟକ ସରକାର ନନ୍ଦିନୀ କ୍ଷୀରର ମୂଲ୍ୟ ଲିଟର ପିଛା ୩ ଟଙ୍କା ବଢ଼ାଇଛନ୍ତି । କ୍ଷୀର ଲିଟର ୫ ଟଙ୍କା ବଢ଼ାଇବା ପାଇଁ କର୍ଣ୍ଣାଟକ ମିଲକ ଫେଡେରେସନ (କେଏମଏମ) ପକ୍ଷରୁ ପ୍ରସ୍ତାବ ଆଗତ କରାଯାଇଥିଲା । ମାତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶେଷରେ ୩ ଟଙ୍କା ଦର ବୃଦ୍ଧି କରିଥିଲେ । ଏନେଇ ଗତ ମାସ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ଓ କେଏମଏମ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା ।

ରାଜ୍ୟ ଗୃହ ବିଭାଗର କାର୍ଯ୍ୟାଳୟ କୃଷ୍ଣାରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କେଏମଏମ ପରିଚାଳନା ବୋର୍ଡ ଓ କ୍ଷୀର ସଂଘ ମଧ୍ୟରେ ଆଲୋଚନା ହୋଇଥିଲା । ଆଲୋଚନା ପରେ ସର୍ବସର୍ମ୍ମତି କ୍ରମେ କ୍ଷୀର ଲିଟର ପିଛା ୩ ଟଙ୍କା ବୃଦ୍ଧି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଥିଲା । ଉକ୍ତ ବୈଠକରେ ପଶୁପାଳନ ବିଭାଗ ମନ୍ତ୍ରୀ କେ. ଭେଙ୍କଟେଶ, କେଏମଏମ ଅଧ୍ୟକ୍ଷ ଭୀମା ନାଇକ, ଅନ୍ୟ ସଦସ୍ୟ ଓ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଦର ବୃଦ୍ଧି ପରେ ଏବେ ଗ୍ରାହକଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ । କ୍ଷୀର ମୂଲ୍ୟ ବୃଦ୍ଧି ହେବା ଫଳରେ ଆଗକୁ ଚା’, ପନିର, ଦହି, ଛେନା ପରି ଅନ୍ୟ ଦୁଗ୍ଧ ଜାତୀୟ ସାମଗ୍ରୀର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ସୃଷ୍ଟି ହୋଇଛି ।

Get real time updates directly on you device, subscribe now.