ନୂଆଦିଲ୍ଲୀ : ଏଣିକି ୮ ସିଟ୍ ବିଶିଷ୍ଟ ଗାଡ଼ିରେ ୬ଟି ଏୟାରବ୍ୟାଗ୍ ରହିବା ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଏହି ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତ ଯେ, ଏପରି କରିବା ଦ୍ୱାରା ସବୁ ବର୍ଗର ଗାଡ଼ିରେ ଯାତ୍ରୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରାଯାଇପାରିବ । ଗାଡ଼ିର ମୂଲ୍ୟ କିମ୍ବା ଭାରିଆଣ୍ଟ୍ ଯାହା ହୋଇଥାଉ ନା କାହିଁକି ସେଥିରେ ୬ଟି ଏୟାରବ୍ୟାଗ୍ ଲାଗିବ ।
ଡ୍ରାଇଭର୍ ଙ୍କ ପାଇଁ ଏୟାରବ୍ୟାଗ୍ ଲଗାଇବା ବିଷୟକୁ ୨୦୧୯ ଜୁଲାଇରୁ ବାଧ୍ୟତାମୂଳକ କରାଯାଇଛି । ଚଳିତବର୍ଷ ଜାନୁଆରିରୁ ଗାଡ଼ିର ଆଗ ଦୁଇ ସିଟ୍ ଲାଗି ଏୟାରବ୍ୟାଗ୍ ବାଧ୍ୟତାମୂଳକ କରାଯାଇଛି । ଏହାଦ୍ବାରା ଉଭୟ ଚାଳକ ଓ ତାଙ୍କ ସହ ଯାତ୍ରା କରୁଥିବା ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରାଯାଇପାରିବ ବୋଲି କହିଛନ୍ତି ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ । ଏହି କ୍ରମରେ ଏମ୍୧ ବର୍ଗର ଗାଡ଼ିରେ ଅତିରିକ୍ତ ଚାରିଟି ବ୍ୟାଗ୍ ଲଗାଇବା ନିଷ୍ପତ୍ତି ହୋଇଛି । ଏହାଦ୍ବାରା ଗାଡ଼ି ସାମ୍ନା ପଟୁ ଧକ୍କା ଦେଲେ କିମ୍ବା ଅନ୍ୟ କୌଣସି ଗାଡ଼ି ଆସି ସେହି ଗାଡ଼ିର ମଝାମଝି ମାଡ଼ ହେଲେ ସେଥିରେ ଥିବା ଯାତ୍ରୀମାନେ ସୁରକ୍ଷିତ ରହିପାରିବେ ।
ତେବେ ପୂର୍ବ ଭଳି ଗାଡ଼ିର ଦୁଇ ଆଗ ସିଟ୍ ପାଇଁ ଦୁଇଟି ଏୟାରବ୍ୟାଗ୍ ରହିବ। ଏହାବାଦ୍ ଦୁଇ ପାର୍ଶ୍ବରେ ଟର୍ସୋ ଏୟାରବ୍ୟାଗ୍ ଓ ଉଭୟ ପାର୍ଶ୍ବର କର୍ଟେନ୍/ ଟ୍ୟୁବ୍ ଏୟାରବ୍ୟାଗ୍ ଲଗାଯିବ । ଫଳରେ ଗାଡ଼ି ଭିତରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷା ମିଳିପାରିବ। ମୋଟର ଗାଡ଼ିରେ ଯାତ୍ରାକୁ ସୁରକ୍ଷିତ କରିବା ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ଗଡ଼କରୀ କହିଛନ୍ତି।