fbpx

ବିଡିଓଙ୍କୁ ମାଡ଼ ମାରିବା ଘଟଣା ଗିରଫ ହୋଇଥିବା ବିଧାୟକ ସୁବାସ ପାଣିଗ୍ରାହୀ ଅସୁସ୍ଥ: କୋର୍ଟ ଚାଲାଣ ପାଇଁ ନିଆଯାଉଥିଲା ଦେବଗଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଥିବା ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଅସୁସ୍ଥ ହୋଇପଡ଼ିଛନ୍ତି । ବିଧାୟକ ସୁବାସଙ୍କୁ ଭୁବନେଶ୍ୱରରୁ ଦେବଗଡ଼ କୋର୍ଟ ଚାଲାଣ ପାଇଁ ଆଣିବା ବାଟରେ ହଠାତ୍ ହୋଇପଡ଼ିଥିଲେ । ତେବେ ତାଙ୍କୁ ଚିକିତ୍ସା ପାଇଁ ବିଧାୟକଙ୍କୁ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ଶନିବାର ବିଧାୟକ ଏବଂ ତାଙ୍କର ସହଯୋଗୀ ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିବା ନେଇ ଅଭିଯୋଗ ହୋଇଥିଲା । ଛେପଲିପାଲି ପଞ୍ଚାୟତ ଭାଲିଆଗୁଡ଼ାରେ ବିଡ଼ିଓଙ୍କୁ ଆକ୍ରମଣ ହୋଇଥିଲା । ଏହି ମାମଲାରେ ଉଭୟ ପକ୍ଷରୁ ମାମଲା ମଧ୍ୟ ରୁଜୁ ହୋଇଥିଲା । ତହସିଲଦାରଙ୍କ ଉପସ୍ଥିତିରେ ବିଧାୟକ ଓ ତାଙ୍କ ସମର୍ଥକଙ୍କ ଦ୍ୱାରା ଏଭଳି ଆକ୍ରମଣ ହୋଇଥିବା ନେଇ ଦେବଗଡ଼ ଥାନାରେ ଅଭିଯୋଗ କରିଛନ୍ତି ବିଡିଓ । ଏହା ସହ ବିଡିଓ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଦ୍ୱାରସ୍ଥ ହୋଇଛନ୍ତି ।

ତେବେ ଏହି ମାମଲାରେ ରବିବାର ପୋଲିସ ବିଧାୟକଙ୍କୁ ଗିରଫ କରିଥିଲା । ଭୁବନେଶ୍ୱର କ୍ୱାର୍ଟରୁ ଗିରଫ କରିଥିଲା ଦେବଗଡ଼ ପୋଲିସ । ଆଉ ଗିରଫ ପରେ କୋର୍ଟ ଚାଲାଣ ପାଇଁ ଦେବଗଡ଼ ଆଣୁଥିବା ବେଳେ ଅସୁସ୍ଥ ହୋଇପଡ଼ିଛନ୍ତି ବିଧାୟକ ।

ସେପଟେ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ଦେବଗଡ଼ ଥାନା ଘେରାଉ କରିଛନ୍ତି ବିଜେପି ନେତା ଓ କର୍ମୀ  । ଗିରଫର ପ୍ରତିବାଦ ସହ ତିଲେଇବଣି ବିଡିଓଙ୍କ ଗିରଫ ଦାବି କରିଛନ୍ତି । ବିଧାୟକ କୁସୁମ ଟେଟେ, ମୋହନ ମାଝୀ ଓ ଭବାନୀ ଭୋଇ ସାମିଲ । କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାୟକ ମଧ୍ୟ ଘେରାଉରେ ସାମିଲ ହୋଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଧାୟକଙ୍କ ଗିରଫକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ବିଧାୟକଙ୍କୁ ତରବରିଆ ଭାବରେ ଗିରଫ କରାଯିବ ଚିନ୍ତାର ବିଷୟ । ଜଣେ ଜନପ୍ରତିନିଧିଙ୍କର ଦାୟିତ୍ୱ ହେଉଛି ଜନସାଧାରଣଙ୍କ କାର୍ଯ୍ୟ କରିବା ଓ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବା ଏଥିରେ ବାଧା ସୃଷ୍ଟି କରିବା ଅନୁଚିତ୍ । ସେ ଆହୁରି କହିଛନ୍ତି ଯେ ଜନପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଲେ ହିଁ ସାଧାରଣ ଲୋକଙ୍କ କାର୍ଯ୍ୟ ସହଜ ହୋଇଥାଏ । କିନ୍ତୁ କିଛି ସରକାରୀ ଅଧିକାରୀ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱକୁ ସୁଚାରୁରୂପେ ପାଳନ ନ କରି ଦଳୀୟ ଆଧାରରେ କାର୍ଯ୍ୟ କରି ଜନତାଙ୍କ ସମସ୍ୟାକୁ ଅଣଦେଖା କରିବା ସହ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ; ଯାହାଫଳରେ ଜନଅସନ୍ତୋଷ ଦେଖାଯାଉଛି ।

Get real time updates directly on you device, subscribe now.