fbpx

ରାଜ୍ୟର ସହରାଞ୍ଚଳର ବାସହୀନଙ୍କ ପାଇଁ ଆରମ୍ଭ ହେବ ‘ମୋ ଘର ଅର୍ବାନ’ ଯୋଜନା: ମିଳିବ ୩ ଲକ୍ଷ ପର୍ଯ୍ୟନ୍ତ ଋଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ତେବେ ଏହା ମଧ୍ୟରେ ସହରାଞ୍ଚଳର ବାସହୀନଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିବେ ‘ମୋ ଘର ଅର୍ବାନ’ ଯୋଜନା । ଏହି ଯୋଜନାରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଘର ତିଆରି ଓ ଉନ୍ନତିକରଣ ପାଇଁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ । ଏନେଇ ଚିଠା ଗାଇଡଲାଇନ୍ ପ୍ରସ୍ତୁତି କରିଛି ।

ତେବେ ଓଡ଼ିଶା ଅର୍ବାନ ହାଉସିଂ ମିଶନ (ଓୟୁଏଚଏମ) ଏହି ଯୋଜନା ପାଇଁ ଗାଇଡଲାଇନ୍ ପ୍ରସ୍ତୁତ କରିଛି । ଏନେଇ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସଏଲବିସି) ଠାରୁ ମତାମତ ଲୋଡ଼ାଯାଇଛି । ମତାମତ ଆସିବା ପରେ ସପ୍ତାହକ ମଧ୍ୟରେ ନଗର ଉନ୍ନୟ ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ । ପ୍ରସ୍ତାବିତ ଯୋଜନାରେ ୧ ଲକ୍ଷ, ଦେଢ଼ ଲକ୍ଷ, ୨ ଲକ୍ଷ ଓ ୩ ଲକ୍ଷର ଋଣ ବ୍ୟବସ୍ଥା ରହିଛି । ସେଥିମଧ୍ୟରୁ ହିତାଧିକାରୀମାନେ ଯେ କୌଣସି ଗୋଟିଏ ଋଣକୁ ବାଛି ପାରିବେ । ପରିବାରର ମାସିକ ଆୟ ୫୦ ହଜାର ଟଙ୍କାରୁ କମ୍ ଥିଲେ ସେମାନେ ଏହି ଯୋଜନାରେ ସାମିଲ ହୋଇ ପାରିବେ ।

ହିତାଧିକାରୀଙ୍କୁ ବ୍ୟାଙ୍କରୁ ସର୍ବାଧିକ ୩ ଲକ୍ଷ ଟଙ୍କାର ଋଣ ମିଳିବା ସହିତ ୧୦ ବର୍ଷ ମଧ୍ୟରେ ତାହା ଫେରସ୍ତ ନିଆଯିବ । ବାସଗୃହ ନିର୍ମାଣ ସରିବା ପରେ ରାଜ୍ୟ ସରକାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ କ୍ୟାପିଟାଲ ସବସିଡି ଜମା କରିବେ । ୧ ଲକ୍ଷ ଋଣ ନେଇଥିଲେ ୪୦ ହଜାର ଟଙ୍କାର ସବସିଡି ମିଳିବ । ସେହିପରି ୨ ଲକ୍ଷ କିମ୍ବା ୩ ଲକ୍ଷ ଋଣ ନେଇଥିଲେ ସାଧାରଣ ବର୍ଗଙ୍କୁ ୬୦ ହଜାର ଓ ସ୍ୱତନ୍ତ୍ର ବର୍ଗର ଲୋକଙ୍କୁ ୭୦ ହଜାର ଟଙ୍କା ସବସିଡି ମିଳିବ । ୧୦ ବର୍ଷ ପାଇଁ ବ୍ୟାଙ୍କଗୁଡ଼ିକ ୯ ପ୍ରତିଶତ ହାରରେ ସୁଧ ଆଦାୟ କରିପାରିବେ । ୨ଟି କୋଠରୀ ବିଶିଷ୍ଟ ଘର ବା ତା’ଠାରୁ ଅଧିକ ଥିଲେ, ପୂର୍ବରୁ କୌଣସି ସରକାରୀ ଯୋଜନାରେ ଘର ପାଇଁ ଲକ୍ଷେ ଟଙ୍କା ପାଇଥିଲେ, ପରିବାର କୌଣସି ସଦସ୍ୟ ସରକାରୀ ଚାକିର କରିଥିଲେ, ପେନସନ ପାଉଥିଲେ ଏହି ଯୋଜନାର ଲାଭ ମିଳିବନି ।

Get real time updates directly on you device, subscribe now.