CHARIDHAM

5G ସ୍ପେକ୍ଟ୍ରମର ନିଲାମ ପାଇଁ ପ୍ରସ୍ତାବ ଉପରେ ମୋହର ମାରିଲେ ମୋଦୀ କ୍ୟାବିନେଟ୍

ନୂଆଦିଲ୍ଲୀ: ଦୀର୍ଘ ସମୟରୁ ଟେଲିକମ କମ୍ପାନୀ ୫ଜି ସ୍ପେକ୍ଟ୍ରମର ନିଲାମକୁ ଅପେକ୍ଷା କରି ରହିଛନ୍ତି। ଏବେ କେନ୍ଦ୍ରର ମୋଦୀ ସରକାର ୫ଜି ସ୍ପେକ୍ଟ୍ରମର ନିଲାମ ଉପରେ ମୋହର ମାରିଛନ୍ତି। କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଖୁବ୍ ଶୀଘ୍ର ଟେଲିକମ ବିଭାଗ ପକ୍ଷରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ୭୨ ଗିଗା ହର୍ଟଜର ସ୍ପେକ୍ଟ୍ରମର ନିଲାମୀ ୨୦ ବର୍ଷ ପାଇଁ କରାଯିବ। ପରେ ୫ଜିର ସ୍ପିଡ ୪ଜିରୁ ୧୦ ଗୁଣ ଅଧିକ ହେବ। ୫ଜି ସ୍ପେକ୍ଟ୍ରମର ନିଲାମ ଜୁଲାଇ ଶେଷ ସୁଦ୍ଧା କରାଯାଇପାରେ। ଏହି ନିଲାମରେ ଟେଲିକମ ସେକ୍ଟରର ତିନି ବଡ ଦିଗଜ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରୀ, ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ ଆଇଡିଆ ସାମିଲ୍ ହେବାର ସମ୍ଭାବନା ରହିଛି। ନିଲାମ ପାଇଁ ଦାବି କରୁଥିବା ସଂସ୍ଥା ନିକଟରେ ୧୦ ବର୍ଷ ପରେ ସ୍ପେକ୍ଟ୍ରମକୁ ବିଭାଗ ହାତରେ ଟେକି ଦେବାର ବିକଳ୍ପ ରହିଛି।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ସ୍ପେକ୍ଟ୍ରମ ନିଲାମ ପାଇଁ ଦୂରସଞ୍ଚାର ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସରକାର ୨୦ ବର୍ଷ ପାଇଁ ମୋଟ୍ ୭୨୦୯୭.୮୫ ମେଗାହର୍ଟଜ ସ୍ପେକ୍ଟ୍ରମର ଜୁଲାଇ ଶେଷ ସୁଦ୍ଧା ନିଲାମ କରି ପାରନ୍ତି। ନିଲାମ ଜିତୁଥିବା ସଂସ୍ଥାକୁ ଅଗ୍ରୀମ ପୈଠ କରିବା କୌଣସି ବାଧ୍ୟତାମୂଳକ କରାଯାଇ ନାହିଁ। ପ୍ରଥମ ଥର ଏମିତି ପ୍ରକ୍ରିୟା ଆପଣା ଯାଇଛି। ସ୍ପେକ୍ଟ୍ରମ ହାତେଇବା କମ୍ପାନୀ ବାର୍ଷିକ କିସ୍ତି ହିସାବରେ ଅର୍ଥ ପୈଠ କରିବ। ଏହି କିସ୍ତି ବର୍ଷର ଆରମ୍ଭରୁ ଦେବାକୁ ପଡିବ।