fbpx

୩ ଦିନିଆ ଆମେରିକା ଗସ୍ତକୁ ଯିବେ ପ୍ରଧାନମନ୍ତ୍ରୀ ମୋଦୀ, ସାମ୍ନାକୁ ଆସିଲା ସିଡ୍ୟୁଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଆମେରିକା ଗସ୍ତକୁ ଯିବେ । ଆସନ୍ତା ସେପ୍ଟେମ୍ବର ୨୧ରୁ ୨୩ ପର୍ଯ୍ୟନ୍ତ ମୋଦୀଙ୍କ ଆମେରିକା ଗସ୍ତକୁ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଅଧିକାରିକ ଏଜେଣ୍ଡା ଅନୁଯାୟୀ ପ୍ରଧାନମନ୍ତ୍ରୀ ୨୧ ସେପ୍ଟେମ୍ବର ଆମେରିକାର ଡେଲୱେୟର ୱିଲମିଙ୍ଗଟନ୍‌ରେ ୪ର୍ଥ ସ୍କ୍ୱାଡ୍ ସମ୍ମିଳନୀରେ ଭାଗ ନେବେ । ସେପ୍ଟେମ୍ବର ୨୨କୁ ନ୍ୟୁୟର୍କରେ ଭାରତୀୟ ସମ୍ପ୍ରଦାୟ ଲୋକଙ୍କୁ ସମ୍ବୋଧିତ କରିବେ । କହିରଖୁଛୁ ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ପ୍ରବାସୀ ଭାରତୀୟମାନେ ବେଶ ଉତ୍ସାହିତ ଅଛନ୍ତି ଏବଂ ତାଙ୍କ ସ୍ୱାଗତ ପାଇଁ ବିଶେଷ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ସେହିପରି ସେପ୍ଟେମ୍ବର ୨୩ରେ ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ଜାତିସଂଘର ସାଧାରଣ ସଭାରେ ‘Summit Of the Future 2024’କୁ ସମ୍ବୋଧିତ କରିବେ । ଏହି ସମୟରେ ସେ ଅନେକ ପ୍ରସଙ୍ଗ ଉପରେ ନିଜର ମତ ପ୍ରକାଶ କରିପାରନ୍ତି । କୁହାଯାଉଛି ବିଶ୍ୱ ସମେତ ଭାରତ ସମ୍ମୁଖରେ ଥିବା ବିଭିନ୍ନ ଚ୍ୟାଲେଞ୍ଜ୍ ଏବଂ ଏହାର ସମାଧାନକୁ ନେଇ ଚର୍ଚ୍ଚା ହୋଇପାରେ । ପ୍ରଧାନମନ୍ତ୍ରୀ ନିଜ ଗସ୍ତ ସମୟରେ ନ୍ୟୁୟର୍କର ଅଗ୍ରଣୀ ଆମେରିକୀୟ କମ୍ପାନୀଗୁଡ଼ିକର ମୁଖ୍ୟ କାର୍ଯ୍ୟାକାରୀ ଅଧିକାରୀଙ୍କ ସହ ବାର୍ତ୍ତାଳାପ କରିବେ । ଏହା ଦ୍ୱାରା ଏଆଇ, ବାୟୋଟେକ୍ନୋଲୋଜି ଏବଂ ସେମିକଣ୍ଡକ୍ଟର ଆଦି କ୍ଷେତ୍ରରେ ପାର୍ଟନରସିପ୍ ମଜବୁତ ହୋଇପାରିବ । ଉଲ୍ଲେଖଯୋଗ୍ୟ ଆମେରିକୀୟ ପକ୍ଷର ଅନୁରୋଧ ପରେ ଚଳିତ ବର୍ଷ କ୍ୱାଡ୍ ଶିଖର ସମ୍ମିଳନୀର ଆୟୋଜକ ଦାୟିତ୍ୱ ଆମେରିକାକୁ ହସ୍ତାନ୍ତର କରାଯାଇଛି । ଭାରତ ଆଗାମୀ ୨୦୨୫ କ୍ୱାଡ୍ ଶିଖର ସମ୍ମିଳନୀର ଆୟୋଜକ ଦାୟିତ୍ୱ ତୁଲାଇବ ।

Get real time updates directly on you device, subscribe now.