ବଦଳିବ ମୋଦିଙ୍କ ମନ୍ତ୍ରିମଣ୍ଡଳ: ଜୁଲାଇ ୩ରେ ମନ୍ତ୍ରୀ ପରିଷଦ ବୈଠକ

ନୂଆଦିଲ୍ଲୀ: ପୁଣି ବଦଳିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳ । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଆସନ୍ତା ଜୁଲାଇ ୩ ତାରିଖ ସୋମବାର ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀ ପରିଷଦ ବୈଠକର ଅଧ୍ୟକ୍ଷତା କରିବେ । ଏହାପୂର୍ବରୁ କ୍ୟାବିନେଟ ସଂପ୍ରସାରଣର ଖବର ସାମ୍ନାକୁ ଆସିଛି । ଜୁଲାଇ ୩ରେ ନୂଆ କରି ପ୍ରଗତି ମୈଦାନରେ ତିଆରି ହୋଇଥିବା କନଭେସନ କେନ୍ଦ୍ରରେ ମନ୍ତ୍ରୀ ପରିଷଦ ବୈଠକ ବସିବ । ଏଠାରେ ଆସନ୍ତା ସେପ୍ଟେମ୍ବରରେ ଜି୨୦ ସମ୍ମିଳନୀ ମଧ୍ୟ ଆୟୋଜନ ହେବ ।

ବୁଧବାର ପ୍ରଧାନମନ୍ତ୍ରୀ ମୋଦି ବିଳମ୍ବିତ ରାତିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ବିଜେପିର ବରିଷ୍ଠ ନେତାମାନଙ୍କ ସହ ବୈଠକ କରିଥିଲେ । ଏହି ବୈଠକରେ ନଡ୍ଡାଙ୍କ ଯୋଗଦାନ ପରେ କ୍ୟାବିନେଟ ସହ ବିଜେପି ସାଂଗଠନିକ ସ୍ତରରେ ଅଦଳବଦଳ ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୨୪ ସାଧାରଣ ନିର୍ବାଚନ ଓ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଏକାଧିକ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଅଦଳବଦଳ ନିଷ୍ପତ୍ତି ନେଇଥିବା କୁହାଯାଉଛି । ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବ । ଏଥିପାଇଁ ବେଶ କିଛି ଦିନ ହେବ ଶାହ, ନଡ୍ଡା ଓ ବିଜେପିର ସାଧାରଣ ସମ୍ପାଦକ(ସଂଗଠନ) ବିଏଲ ସନ୍ତୋଷ ଏକାଧିକ ରାଉଣ୍ଡ ବୈଠକ କରିବାରେ ଲାଗିଛନ୍ତି ।

ଏହି ବୈଠକରେ ସାଂଗଠନିକ ପରିବର୍ତ୍ତନ ସହ କ୍ୟାବିନେଟ ସଂପ୍ରସାରଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି । ବୁଧବାର ମୋଦିଙ୍କ ସହ ମଧ୍ୟ ଏହି ନେତାମାନେ ସମାନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି । ଜୁଲାଇ ୩ୟ ସପ୍ତାହରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହାର କିଛି ଦିନ ପୂର୍ବରୁ ହିଁ ଜୁଲାଇ ୩ରେ ମନ୍ତ୍ରୀ ପରିଷଦ ବୈଠକ ବସିବାକୁ ଯାଉଛି । ୨ ବର୍ଷ ହେଲା ମୋଦିଙ୍କ କ୍ୟାବିନେଟରେ କୌଣସି ପ୍ରକାରର ବଡ଼ଧରଣର ଅଦଳବଦଳ ହୋଇନି । ତେବେ ମେ’ ମାସରେ ମୋଦି ସରକାର କିରଣ ରିଜିଜୁଙ୍କୁ ଆଇନ ଓ ନ୍ୟାୟ ମନ୍ତ୍ରୀ ପଦରୁ ହଟାଇଥିଲେ । ତାଙ୍କ ବଦଳରେ ଅର୍ଜୁନ ରାମ ମେଘୱାଲଙ୍କୁ ଦେଶର ଆଇନ ମନ୍ତ୍ରୀ କରାଯାଇଥିଲା ।

୨୦୨୧ ଜୁଲାଇ ମାସରେ ମୋଦିଙ୍କ କ୍ୟାବିନେଟରେ ଶେଷଥର ପାଇଁ ବଡ଼ଧରଣର ଅଦଳବଦଳ ହୋଇଥିଲା । ୧୨ ଜଣ ମନ୍ତ୍ରୀଙ୍କୁ ବିଦା କରାଯାଇଥିଲା ଓ ୧୭ ଜଣ ସାଂସଦ ନୂଆ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ରବି ଶଙ୍କର ପ୍ରସାଦ, ହର୍ଷ ବର୍ଦ୍ଧନ, ପ୍ରକାଶ ଜାଭଡେକର, ରମେଶ ପୋଖରିୟାଲ ନିଶଙ୍କ ଓ ସନ୍ତୋଷ ଗଙ୍ଗୱାରଙ୍କ ଭଳି ହେଭିୱେଟ ନେତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା । ଜ୍ୟୋତିରାଦିତ୍ୟ ସିନ୍ଧିଆ, ନାରାୟଣ ରାଣେ, ସର୍ବାନନ୍ଦ ସୋନୋୱାଲ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ମନ୍ତ୍ରୀ ପଦ ମିଳିଥିଲା । ଏବେ ପୁଣି ସେହି ଜୁଲାଇରେ ମୋଦି ତାଙ୍କ କ୍ୟାବିନେଟ ସଂପ୍ରସାରଣ କରିବାକୁ ଯାଉଥିବା କୁହାଯାଉଛି ।