fbpx

ଅଧିନାୟକ ପଦରୁ ଇସ୍ତଫା ଦେଲେ ମହମ୍ମଦ ନବୀ: କିଏ ପିନ୍ଧିବେ ନୂଆ କ୍ୟାପଟେନର ମୁକୁଟ?

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନର ଖରାପ ପ୍ରଦର୍ଶନ ଜାରି ରହିଛି । ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ଲକ୍ଷ୍ୟର ଖୁବ ପାଖକୁ ଯାଇ ମଧ୍ୟ ଦଳ ଖାଲି ହାତରେ ଫେରିଛି । ଏହାପରେ ଦଳର ଅଧିନାୟକ ମହମ୍ମଦ ନବୀ ନେଇଛନ୍ତି ଏକ ବଡ ପଦକ୍ଷେପ । ଆଫଗାନିସ୍ତାନର ଅଧିନାୟକ ମହମ୍ମଦ ନବୀ ଏବେ ଦଳର ନେତୃତ୍ୱ ପଦରୁ ଇସ୍ତଫା ଦେଇଛନ୍ତି । ନବୀଙ୍କ ପରେ ଏବେ ଦଳର ନେତୃତ୍ୱ କିଏ ନେବେ ସେ ନେଇ ଆଲୋଚନା ଆରମ୍ଭ ହୋଇଛି ।

ଚଳିତ ବିଶ୍ୱକପରେ ମହମ୍ମଦ ନବୀଙ୍କ ନେତୃତ୍ୱରେ ଖେଳିଥିଲା ଆଫଗାନିସ୍ତାନ । କିନ୍ତୁ ସୁପର-୧୨ରେ ଗୋଟିଏ ବି ମ୍ୟାଚରେ ବିଜୟ ହାସଲ କରିବାରେ ଦଳ ସଫଳ ହୋଇପାରିନି । ତେଣୁ ବିଶ୍ୱକପରୁ ଏଲିମିନେଟ ହେବା ପରେ ମହମ୍ମଦ ନବୀ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି । ବିଶ୍ୱକପରେ ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ନିକଟରୁ ପରାଜୟ ପରେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି ଆଫଗାନିସ୍ତାନ । ତେବେ ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ସେ ଦଳରେ ଜଣେ ଖେଳାଳି ଭାବେ ଖେଳ ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି ।

ଏକ ପୋଷ୍ଟ କରି ନବୀ ଲେଖିଛନ୍ତି ଯେ, ‘ଆମର ବିଶ୍ୱକପ ଯାତ୍ରା ଶେଷ ହୋଇଛି । ତେବେ ଏହାର ପରିଣାମ ଆମକୁ କିମ୍ବା ଆମର ପ୍ରଶଂସକଙ୍କ ପାଇଁ ନିରାଶଜନକ ରହିଛି ।’ ଏମିତି ଏକ ଇମୋସନାଲ ପୋଷ୍ଟ ଲେଖି ଦଳର ନେତୃତ୍ୱ ପଦରୁ ଇସ୍ତଫା ଦେଇଛନ୍ତି ମହମ୍ମଦ ନବୀ । ଆଫଗାନିସ୍ତାନ ପକ୍ଷରୁ ୧୦୪ ଟି-୨୦ ମ୍ୟାଚ ଖେଳିଥିବା ବେଳେ ୪ଟି ଅର୍ଦ୍ଧଶତକ ସହ ୧୬୮୬ ରନ କରିଛନ୍ତି । ଏହାବ୍ୟତୀତ ୭.୩୧ ଇକୋନୋମୀ ରେଟ ସହିତ ୮୪ ୱିକେଟ ମଧ୍ୟ ନିଜ ନାମରେ କରିଛନ୍ତି ମହମ୍ମଦ ନବୀ ।

Get real time updates directly on you device, subscribe now.