(Video) ସନ୍ତୁଳିତ ସମାଜ ଗଠନ ପାଇଁ ତିନି ସନ୍ତାନ ଜନ୍ମ ଉପରେ ଆରଏସଏସ ପ୍ରମୁଖଙ୍କ ବୟାନ ସୃଷ୍ଟି କରିବ ନୂଆ ବିବାଦ!

ନୂଆଦିଲ୍ଲୀ- ଜନସଂଖ୍ୟାକୁ ଓ ପରିବାରକୁ ନେଇ ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି ପ୍ରତି ଦମ୍ପତିଙ୍କର ୩ଟି ସନ୍ତାନ ହେବା ଆବଶ୍ୟକ । ଏହାର ଆବଶ୍ୟକତା ଓ ଯଥାର୍ଥତାକୁ ମଧ୍ୟ ବୁଝାଇଛନ୍ତି ଭାଗବତ । ନାଗପୁରରେ ଅନୁଷ୍ଠିତ ଏକ ସମ୍ମିଳନୀରେ ଯୋଗଦେଇ ସନାତନ ଓ ହିନ୍ଦୁଙ୍କ ମଙ୍ଗଳ ତଥା ଭବିଷ୍ୟତକୁ ଧ୍ୟାନରେ ରଖି ଭାଗବତ କହିଛନ୍ତି, କୌଣସି ସମାଜର ଜନସଂଖ୍ୟା ବୃଦ୍ଧି ଦର ୨.୧ପ୍ରତିଶତରୁ କମ ହେଲେ ସମାଜ ନଷ୍ଟ ହୋଇଯିବ । ପରିବାର ହେଉଛି ସମାଜର ଅଂଶ ।

ମୋହନ ବର୍ତ୍ତମାନର ଜନସଂଖ୍ୟାକୁ ନେଇ ଚିନ୍ତା ବ୍ୟକ୍ତିର ବିଷୟ ବୋଲି କହିଛନ୍ତି । ସେ କହିଛନ୍ତି, ଲୋକସଂଖ୍ୟା ଶାସ୍ତ୍ର କହୁଛି, ଆମେ ୨.୧ରୁ ତଳକୁ ଚାଲି ଗଲେ ସମାଜ ଆପଣା ଛାଏଁ ନଷ୍ଟ ହୋଇଯିବ ।ତେଣୁ ଆମକୁ ଦୁଇରୁ ଅଧିକ ସନ୍ତାନର ଆବଶ୍ୟକତା ରହିଛି । ଏହା ହେଉଛି ଜନସଂଖ୍ୟା ବିଜ୍ଞାନର ମନ୍ତ୍ର । ତେଣୁ ତିନୋଟି ସନ୍ତାନ ଜନ୍ମ କରିବାକୁ ଭାଗବତ କହିଛନ୍ତି ।

ଆଗରୁ ମଧ୍ୟ ଭାଗବତ ଏହାକୁ ନେଇ ବୟାନ ଦେଇଛନ୍ତି । ୨୦୨୧ ଅକ୍ଟୋବର ବିଜୟାଦଶମୀରେ ସେ ୧୯୫୧ରୁ ୨୦୧୧ ମଧ୍ୟରେ ଜନସଂଖ୍ୟା ବୃଦ୍ଧି ହାରରେ ଭାରି ଅନ୍ତରକୁ ନେଇ କହିଥିଲେ କି, ଦେଶରେ ହିନ୍ଦୁଙ୍କ ସଂଖ୍ୟା ୮୮ ପ୍ରତିଶତରୁ ହ୍ରାସ ପାଇ ୮୩.୮ ପ୍ରତିଶତ ହୋଇଥିବା ବେଳେ ମୁସଲମାନଙ୍କ ସଂଖ୍ୟା ୯.୮ ପ୍ରତିଶତରୁ ବଢି ୧୪.୨୪ ପ୍ରତିଶତ ହେଲାଣି । ଏହାକୁ ନେଇ ଜନସଂଖ୍ୟା ନୀତି ଉପରେ ଗୁରୁତ୍ୱ ଦେବାକୁ କହିଥିଲେ ।

ଆରଏସଏସର ଶାଖା ବିଜେପି ଏବେ ସରକାରରେ ଥିବାରୁ ଓ ଜନସଂଖ୍ୟା ବୃଦ୍ଧି ରୋକିବା ଉପରେ ଗୁରୁତ୍ୱ ଦେଉଛି । ତେବେ ହିନ୍ଦୁଙ୍କ ଜନସଂଖ୍ୟାକୁ ନେଇ ଚିନ୍ତିତ ଭାଗବାତଙ୍କ ସଦ୍ୟ ବୟାନକୁ ନେଇ ବିଜେପି ନେତା କଣ କହୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।