fbpx

ବିଶ୍ଵ କପ ପୂର୍ବରୁ ବିରାଟ କୋହଲିଙ୍କ ଜାଗାରେ ରୋହିତ ଶର୍ମାଙ୍କୁ ଅଧିନାୟକ କରାଯାଉ, ଦାବି କଲେ ପୂର୍ବତନ ଖେଳାଳି

ନୂଆଦିଲ୍ଲୀ : ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲରେ ନ୍ୟୁଜିଲାଣ୍ଡ ହାତରୁ  ଭାରତ ପରାଜିତ ହେବା ପରେ ପୁଣି ଥରେ ବିରାଟ କୋହଲିଙ୍କ ଅଧିନାୟକତ୍ଵକୁ ନେଇ ପ୍ରଶ୍ନ ଉଠିଛି। କୋହଲିଙ୍କ ନେତୃତ୍ଵରେ ଗତ ଚାରି ବର୍ଷରେ ଭାରତ ତୃତୀୟ ଥର ଆଇସିସି ଟୁର୍ଣ୍ଣାମେଣ୍ଟ ଫାଇନାଲରେ  ପରାସ୍ତ ହୋଇଛି। ଅନେକ ପୂର୍ବତନ ଦିଗଜ ଖେଳାଳିଙ୍କ ମତରେ ରୋହିତ ଶର୍ମାଙ୍କୁ ସୀମିତ ଓଭର ଦଳର ଅଧିନାୟକ କରାଯିବା ଉଚିତ୍। ଏଥିରେ କୋହଲିଙ୍କ ଉପରେ ପଡୁଥିବା ଅତିରିକ୍ତ ଚାପ କମିଯିବ। ଇଂଲଣ୍ଡର ପୂର୍ବତନ ସ୍ପିନ ବୋଲର ମଣ୍ଟି ପାନେସର ମଧ୍ୟ ରୋହିତ ଶର୍ମାଙ୍କୁ ଟି-୨୦ ଦଳର ଅଧିନାୟକ ଦାୟିତ୍ଵ ଦେବା ଦାବିକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ରୋହିତଙ୍କ ଅଧିନାୟକତ୍ଵରେ ମୁମ୍ଵଇ ଇଣ୍ଡିଆନ୍ସ ଆଇପିଏଲରେ ଦମଦାର ପ୍ରଦର୍ଶନ ଜାରି ରଖିଛି। ତେଣୁ ଟି-୨୦ ବିଶ୍ଵ କପ୍ ପୂର୍ବରୁ ରୋହିତଙ୍କୁ ଦଳର ଅଧିନାୟକ କରିବା ଉଚିତ୍।

କ୍ରିକବାଉନ୍ସର ସହ ଆଲୋଚନା ବେଳେ ମଣ୍ଟି ପାନେସର ଏହା କହିଛନ୍ତି। ରୋହିତ ଶର୍ମା ମୁମ୍ଵଇ ଇଣ୍ଡିଆନ୍ସର ନେତୃତ୍ଵ ନେଇ ଦଳକୁ ପାଞ୍ଚ ଥର ଚାମ୍ପିଅନ କରାଇ ସାରିଛନ୍ତି। ଆପଣ ଜାଣିଛନ୍ତି ଯେ, ବିରାଟ କୋହଲି ଚାପରେ ଅଛନ୍ତି। ଯଦି ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଦଳ ଭଲ ପ୍ରଦର୍ଶନ ନକରେ ଏବଂ ଟି-୨୦ ବିଶ୍ଵ କପ ୨୦୨୧ରେ ଦଳ ଟାଇଟଲ୍ ହାତଛଡା କରେ ତେବେ ଆପଣ ଜାଣିଥିବେ ପରବର୍ତ୍ତୀ ସ୍ଥିତି କଣ ହେବ। ଅଧିନାୟକ ଭାବେ ରୋହିତଙ୍କ ରେକର୍ଡ ଦମଦାର ରହିଛି। କେବଳ ଆଇପିଏଲ ନୁହେଁ ରୋହିତଙ୍କ ଅଧିନାୟକତ୍ଵରେ ଭାରତ ନିଦାସ ଟ୍ରଫି ଓ ଏସିଆ କପ ଜିତିବାରେ ସଫଳ ହୋଇଛି।

ଅନ୍ୟପଟେ ବିରାଟ କୋହଲି ଇଂଲଣ୍ଡ ସିରିଜରେ ଦଳରେ ବଡ ଧରଣର ପରିବର୍ତ୍ତନର ସଙ୍କେତ ଦେଇଛନ୍ତି। ସେ କହିଛନ୍ତି, ଆମେ ଏକ ବର୍ଷ ଅପେକ୍ଷା କରି ପାରିବା ନାହିଁ। ଆମ ସୀମିତ ଓଭର ଦଳକୁ ଦେଖିଲେ, ବ୍ୟାଟିଂରେ ଗଭୀରତା ଅଛି ଏବଂ ଖେଳାଳି ଆତ୍ମ ବିଶ୍ଵାସରେ ଭରା। ଟେଷ୍ଟ କ୍ରିକେଟରେ ମଧ୍ୟ ସେମିତି ଆବଶ୍ୟକତା ଅଛି। ଆମକୁ ନୂତନ ଭାବେ ଯୋଜନା କରିବାକୁ ପଡିବ। ସେ ଏହା ମଧ୍ୟ କହିଥିଲେ, କ୍ରିଜରେ କେବଳ ଛିଡା ହେଲେ ଚଳିବ ନାହିଁ, ରନ କରିବାକୁ ପଡିବ। ଯଦି ଆପଣ କ୍ରିଜରେ ଓ୍ଵିକେଟ୍ ଯିବା ପର୍ଯ୍ୟନ୍ତ ଅପେକ୍ଷା କରିବେ, ତେବେ ଆପଣ ନିଶ୍ଚିତ ଆଉଟ୍ ହେବେ। କୋହଲିଙ୍କ ଏହି ଟିପ୍ପଣୀ ପୂଜାରାଙ୍କ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ଥିଲା।

Get real time updates directly on you device, subscribe now.