fbpx

କେବେ IPLରୁ ଧୋନୀ ନେବେ ଅବସର? ସନ୍ନ୍ୟାସ ନେଇ ବଡ ବୟାନ ଦେଲେ କ୍ୟାପଟେନ କୁଲ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଏମ.ଏସ ଧୋନୀଙ୍କ କ୍ୟାରିୟରର ଶେଷ ସିଜନ ବୋଲି ଚର୍ଚ୍ଚା ହେଉଛି । ଚଳିତବର୍ଷ ସେ ଆଇପିଏଲରୁ ଅବସର ଘୋଷଣା କରିପାରନ୍ତି ବୋଲି କୁହାଯାଉଛି । ଏ ନେଇ ଅନେକ ଖେଳାଳି ଏବଂ ବିଶ୍ଳେଷକ ନିଜ ନିଜର ମନ୍ତବ୍ୟ ଦେଇ ସାରିଛନ୍ତି । କିନ୍ତୁ ବର୍ତ୍ତମାନ ନିଜ ଅବସର ଉପରେ ବଡ ବୟାନ ଦେଇଛନ୍ତି କ୍ୟାପଟେନ କୁଲ ମାହି । ଆଇପିଏଲରୁ ସେ କେବେ ସନ୍ନ୍ୟାସ ନେବେ, ସେ ନେଇ ଏକ ବଡ ଘୋଷଣା କରିଛନ୍ତି । ପୂର୍ବରୁ ସେ ଅନେକ ଥର କହିଛନ୍ତି ଯେ, ଆଇପିଏଲରେ ତାଙ୍କର ଶେଷ ମ୍ୟାଚ ସେ ଚେନ୍ନାଇର ଚିପାକ୍ ଷ୍ଟାଡିୟମରେ ହିଁ ଖେଳିବେ ।

ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ ପୂର୍ବରୁ ଚେନ୍ନାଇ ଅଧିନାୟକ ଧୋନୀ ଏକ ବଡ ବୟାନ ଦେଇଛନ୍ତି । ମାହିଙ୍କ କଥାରୁ ଜଣାଯାଇଛି ଯେ, ସେ ଚଳିତବର୍ଷ ଅବସର ଘୋଷଣା କରି ନପାରନ୍ତି । ଚେନ୍ନାଇ ସହ ଜଡିତ ଏକ ଇଭେଣ୍ଟରେ ଯୋଗ ଦେଇ ଧୋନୀ କହିଛନ୍ତି ଯେ, ଆଇପିଏଲରୁ ଅବସର ନିଷ୍ପତ୍ତି ପାଇଁ ଅନେକ ସମୟ ବାକି ରହିଛି । ତେବେ ଚଳିତ ସିଜନରେ ଦଳକୁ ଆହୁରି ବହୁତ ମ୍ୟାଚ ଖେଳିବାର ଅଛି ଏବଂ ଯଦି ଏହି ସମୟରେ ମୁଁ କିଛି କହିବି, ତେବେ କୋଚ ଚାପଗ୍ରସ୍ତ ହୋଇପାରନ୍ତି । ତେବେ ଧୋନୀଙ୍କ ଏହି ବୟାନ ପରେ ଅନୁମାନ କରାଯାଉଛି ଯେ, ଧୋନୀ ଏହି ସିଜନରେ ଅବସର ନେଉ ନାହାନ୍ତି । ଚେନ୍ନାଇ ପାଇଁ ଜଣେ ନୂଆ ଅଧିନାୟକ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଧୋନୀ ଆଇପିଏଲରେ ସାମିଲ ରହିପାରନ୍ତି ବୋଲି ଆଶା କରାଯାଉଛି । ତେବେ ଏପରି ହେଲେ ଧୋନୀ ଏବଂ ଚେନ୍ନାଇ ଫ୍ୟାନ୍ସଙ୍କ ପାଇଁ ଏହା ସବୁଠୁ ବଡ ଖୁସିର ଖବର ହୋଇପାରେ ।

ଆସନ୍ତା ଜୁଲାଇରେ ଧୋନୀ ୪୨ ବର୍ଷରେ ପାଦ ଦେବେ । ତେବେ ରାଜସ୍ଥାନ ବିପକ୍ଷ ମ୍ୟାଚରେ ଧୋନୀ ପ୍ରଥମ ଅଧିନାୟକ ଭାବରେ ୨୦୦ତମ ମ୍ୟାଚ ଖେଳିଥିଲେ । ଆଇପିଏଲ-୨୦୨୩ରେ ଚେନ୍ନାଇ ବର୍ତ୍ତମାନ ସୁଦ୍ଧା ୪ଟି ମ୍ୟାଚରୁ ୨ଟି ବିଜୟ ସହ ଷଷ୍ଠ ସ୍ଥାନରେ ରହିଛି । ତେବେ ଧୋନୀଙ୍କ ପାଇଁ ଏବଂ ଦଳ ପାଇଁ ଚଳିତ ସିଜନରେ ସବୁଠୁ ବଡ ସମସ୍ୟା ପାଲଟିଛି ଆହତ ।

Get real time updates directly on you device, subscribe now.