fbpx

(Video) ରାଜଧାନୀରେ ମୁକ୍ତିକାନ୍ତଙ୍କ ପ୍ରତିବାଦ: ଶିଶୁଭବନ ଛକରେ ହୋର୍ଡିଂ ଉପରେ ଚଢ଼ିଲେ, ଆତ୍ମହତ୍ୟା ଧମକ ଦେଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜଧାନୀ ଭୁବନେଶ୍ୱରରେ ରାଉରକେଲା ନିବାସୀ ମୁକ୍ତିକାନ୍ତ ବିଶ୍ୱାଳଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି । ଶିଶୁ ଭବନ ଛକରେ ଥିବା ଏକ ହୋର୍ଡିଂ ଉପରେ ଚଢ଼ି ମୁକ୍ତିକାନ୍ତ ଆତ୍ମହତ୍ୟା ଧମକ ଦେଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ ମୁକ୍ତିକାନ୍ତ ତାଙ୍କ ଜିଦରେ ଅଟଳ ରହିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ନିକଟରେ ମୁକ୍ତିକାନ୍ତ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବାକୁ ଆସିଥିଲେ । ମାତ୍ର ଏହା ମଧ୍ୟରେ ଏକ ସପ୍ତାହ ପୂରି ଯାଇଥିଲେ ହେଁ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ନ ହେବାରୁ ସେ ଏଭଳି ଅଭିନବ ଉପାୟରେ ପ୍ରତିବାଦ କରିଥିବା ଜଣାପଡ଼ିଛି । ସୁନ୍ଦରଗଡ଼ ବାସୀଙ୍କୁ ରାଜ୍ୟ ସରକାର ଦେଇଥିବା ପୂର୍ବ ପ୍ରତିଶ୍ରୁତି ପୂରଣ କରି ନଥିବାରୁ ଗତ ନଭେମ୍ବର ମାସ ୧୬ ତାରିଖରୁ ସେ ରାଉରରକେଲାରୁ ପଦଯାତ୍ରାରେ ବାହାରିଥିଲେ । ସେ ‘ଶ୍ରବଣ କୁମାର’ ଷ୍ଟାଇଲରେ ପଦଯାତ୍ରାରେ ବାହାରି ଭୁବନେଶ୍ୱରରେ ପହଞ୍ଚିଥିଲେ ।

ତେବେ ଏହା ମଧ୍ୟରେ ଶିଶୁଭବନ ଛକରେ ବହୁ ସଂଖ୍ୟାରେ ଜନ ସମାଗମ ହୋଇଛି । ବର୍ତ୍ତମାନ ସୁଦ୍ଧା ମୁକ୍ତିକାନ୍ତ ଉକ୍ତ ହୋର୍ଡିଂ ଉପରେ ଚଢ଼ି ରହିଥିବା ବେଳେ ସେ ହାତରେ ଏକ ବୋତଲ ଧରିଥିବା ଭିଡିଓରେ ଦେଖାଯାଉଛି । ମାତ୍ର ବୋତଲରେ କ’ଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ ମୁକ୍ତିକାନ୍ତ ହୋର୍ଡିଂ ଉପରେ ଥାଇ ତାଙ୍କର ଜଣେ ସହଯୋଗୀଙ୍କୁ ଫୋନ୍ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଫିସ ତରଫରୁ ଅଫିସିଆଲ ଷ୍ଟେଟମେଣ୍ଟ ପ୍ରଦାନ ପରେ ସେ ତଳକୁ ଓହ୍ଲାଇବେ ବୋଲି ତାଙ୍କର ସହଯୋଗୀ କହିଛନ୍ତି ।

Get real time updates directly on you device, subscribe now.