fbpx

ସଂଘର୍ଷପୂର୍ଣ୍ଣ ଫାଇନାଲ ଜିତିଲେ ନାଦାଲ: ପଛରେ ପଡିଲେ ଫେଡେରର ଓ ଜୋକୋଭିଚ୍

Advertisement

ନୂଆଦିଲ୍ଲୀ: ଚଳିତ ବର୍ଷର ଅଷ୍ଟ୍ରେଲିଆନ ଓପନ ବିଜୟୀ ହୋଇଛନ୍ତି ରାଫେଲ ନାଦାଲ । ପୁରୁଷ ସିଙ୍ଗିଲ୍ସ ଫାଇନାଲରେ ଋଷର ଡାନିଲ ମେଦଭେଦେଭଙ୍କୁ ୫ ସେଟ ବିଶିଷ୍ଟ କଡା ସଂଘର୍ଷପୂର୍ଣ୍ଣ ମୁକାବିଲାରେ ପରାସ୍ତ କରିଥିଲେ ନାଦାଲ । ଏହି ବିଜୟ ସହିତ ନିଜ କ୍ୟାରିୟରର ୨୧ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବା ସହିତ ରୋଜର ଫେଡେରର ଏବଂ ନୋଭାକ ଜୋକୋଭିଚଙ୍କୁ ପଛରେ ପଇଥିଲେ । ରବିବାର ରଡ ଲାଭେର ଆରେନାରେ ଖେଳା ଯାଇଥିବା ଫାଇନାଲ ମୁକାବିଲାରେ ନାଦାଲ ଚମକ୍ରାର ଖେଳ ପ୍ରଦର୍ଶନ କରିଥିଲେ । ୫ ଘଣ୍ଟା ୨୪ ମିନିଟର ଏହି ମାରାଥନ ମୁକାବିଲାକୁ ନାଦାଲ ୨-୬, ୬-୭(୫/୭), ୬-୪, ୬-୪ ଓ ୭-୫ରେ ଜିତିବା ସହିତ ଅଷ୍ଟ୍ରେଲିଆନ ଓପନ କବଜା କରିଥିଲେ ।

ପ୍ରଥମ ସେଟରୁ ମେଦଭେଦେଭ ଆକ୍ରମଣ କରିଥିଲେ । ପ୍ରଥମ ସେଟ ମାତ୍ର ୪୨ ମିନିଟରେ ଶେଷ ହୋଇଥିବା ବେଳେ ନାଦାଲ ୬-୨ରେ ପରାଜିତ ହୋଇଥିଲେ । ତେବେ ଦ୍ୱିତୀୟ ସେଟରେ ଉଭୟ ଖେଳାଳି ବିଜୟ ପାଇଁ କଡା ସଂଘର୍ଷ କରିଥିଲେ । ଟାଇ ବ୍ରେକରକୁ ଯାଇଥିବା ଏହି ସେଟକୁ ମଧ୍ୟ ମେଦଭେଦେଭ ୭-୬ରେ ଜିତି ନେଇଥିଲେ । ଏହି ସେଟଟି ୮୪ ମିନିଟ ଧରି ଖେଳାଯାଇଥିଲା । ପ୍ରଥମ ଦୁଇ ସେଟ ପରାଜିତ ହେବା ପରେ ପରବର୍ତ୍ତୀ ୩ ସେଟ ବିଜୟୀ ହୋଇ ନିଜ କ୍ୟାରିୟରର ଦ୍ୱିତୀୟ ଅଷ୍ଟ୍ରେଲିଆନ ଓିପନ ଜିତିଥିଲେ ନାଦାଲ । ପରବର୍ତ୍ତୀ ୩ ସେଟକୁ ନାଦାଲ ୬-୪, ୬-୪ ଓ ୭-୫ରେ ଜିତି ନେଇଥିବା ବେଳେ ଯଥାକ୍ରମେ ୬୪, ୬୨ ଓ ୭୨ ମିନିଟର ସମୟ ନେଇଥିଲେ । ଅନ୍ତିମ ତଥା ନିର୍ଣ୍ଣାୟକ ସେଟରେ ନାଦାଲ ୫-୩ରେ ଆଗୁଆ ରହିଥିବା ବେଳେ ସର୍ଭିସ ବ୍ରେକ କରିଥିଲେ ମେଦଭେଦେଭ । ତେବେ ନିଜ ଅଭିଜ୍ଞତାର ଫାଇଦା ଉଠାଇବା ସହିତ ମ୍ୟାଚକୁ ଜିତି ନେଇଥିଲେ ନାଦାଲ । ସମୁଦାୟ ୨୧ଟି ଗ୍ରାଣ୍ଡସ୍ଲାମ ଜିତିଥିବା ଏହି କିଙ୍ଗ ଅଫ୍ କ୍ଲେ ୧୩ ଥର ଫ୍ରେଞ୍ଚ ଓପନ ଏବଂ ୪ ଥର ୟୁଏସ ଓପନ ଜିତିଛନ୍ତି । ଏହା ସହିତ ୱିମ୍ବଲଡନ ଏବଂ ଅଷ୍ଟ୍ରେଲିଆନ ଓପନ ଦୁଇ ଥର ଲେଖାଏଁ ଜିତିଛନ୍ତି ନାଦାଲ ।

Get real time updates directly on you device, subscribe now.