fbpx

T20 WC-2022-ନାମିବିଆ ଆଗରେ ମୁଣ୍ଡ ନୁଆଁଇଲା ଶ୍ରୀଲଙ୍କା: ହାସଲ କଲା ୫୫ ରନର ବିଶାଳ ବିଜୟ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଯାଇଛି କ୍ରିକେଟର ବିଶ୍ୱଯୁଦ୍ଧ । ଟି-୨୦ ବିଶ୍ୱକପ-୨୦୨୨ର ପ୍ରଥମ ମ୍ୟାଚରେ ବିଶାଳ ବିଜୟ ହାସଲ କରିଛି ନାମିବିଆ । ଏସିଆର ଚମ୍ପିଆନ ଶ୍ରୀଲଙ୍କାକୁ ୫୫ ରନରେ ମାତ ଦେଇ ବିଶ୍ୱକପରେ କରିଛି ଏକ ଦମଦାର ଏଣ୍ଟ୍ରି । ଖରାପ ଆରମ୍ଭ ପରେ ବି ଜବରଦସ୍ତ କମବ୍ୟାକ କରି ମ୍ୟାଚ ଉପରେ କବଜା କରିଛି ନାମିବିଆ । ପ୍ରଥମେ ବ୍ୟାଟିଂ ଏବଂ ପରେ ବୋଲିଂରେ ମଧ୍ୟ କମାଲ କରିବା ସହ ଦଳ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ପ୍ରଥମ ବିଜୟ ଭେଟି ଦେଇଛି ।

ଟସ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ତେବେ ଅଧିନାୟକଙ୍କ ଏହି ନିଷ୍ପତ୍ତିକୁ ପ୍ରଥମ କିଛି ଓଭରରେ ସଠିକ ବୋଲି ପ୍ରମାଣ ମିଳିଥିଲା । କିନ୍ତୁ ପରେ ମ୍ୟାଚକୁ କମବ୍ୟାକ କରିଥିଲା ନାମିବିଆ । ଜେନ ଫ୍ରାଇଲିଙ୍କ ଏବଂ ଜେ. ସ୍ମିଟଙ୍କ ମଧ୍ୟରେ ୩୩ ବଲରୁ ୬୯ ରନର ପାର୍ଟନରସିପ ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲା । ଜେନ ୨୮ ବଲରୁ ୪୪ ରନ କରିଥିବା ବେଳେ ୧୬ ବଲରୁ ୩୧ ରନ ସଂଗ୍ରହ କରିଥିଲେ ଜେ. ସ୍ମିଟ । ଏହି ଗୋଟିଏ ଭାଗିଦାରୀ ଶ୍ରୀଲଙ୍କାର ଏସିଆ କପ ଟାଇଟଲକୁ ଉପହାସ କରିଛି । ତେବେ ପ୍ରଥମ ଇନିଂସ ଶେଷ ସୁଦ୍ଧା ଦଳ ୭ ୱିକେଟ ହରାଇ ୧୬୩ ରନ କରିଥିଲା ।

୧୬୪ ରନର ପିଛା କରି ମଇଦାନକୁ ଓହ୍ଲାଇଥିଲେ ସିଂହଳୀ ଟିମ । କିନ୍ତୁ ନାମିବିଆର ଶେଷ ପାର୍ଟନରସିପ ଦଳଭିତରେ ଏକ ଦୃଢ ମନୋବଳ ସୃଷ୍ଟି କରିଥିଲା । ଯାହାଫଳରେ ଏହାର ପ୍ରଭାବ ବୋଲିଂ ଡିପାର୍ଟମେଣ୍ଟରେ ଦେଖା ଦେଇଛି । ଆରମ୍ଭରୁ ହିଁ ଶ୍ରୀଲଙ୍କା ଉପରେ ଭାରୀ ପଡିଥିଲେ ନାମିବିଆର ବୋଲର । ୭ ଓଭରରେ ୪୦ ରନ କରି ଶ୍ରୀଲଙ୍କାର ୪ ଜଣ ବ୍ୟାଟ୍ସମ୍ୟାନ ପାଭିଲିୟନ ଫେରି ଯାଇଥିଲେ । ତେବେ ଅଧିନାୟକ ଦସୁନ ସନାକା ୨୯ ରନ ସର୍ବାଧିକ ସ୍କୋର କରିଥିଲେ । ଶ୍ରୀଲଙ୍କା ଉପରେ ଚାପ ପକାଇ ରଖିଥିଲା ନାମିବିଆର ବୋଲିଂ ବିଭାଗ ।

ତେବେ ୧୯ ଓଭରରେ ଶ୍ରୀଲଙ୍କାର ସମସ୍ତ ବ୍ୟାଟ୍ସମ୍ୟାନ ପାଭିଲିୟନ ଫେରିଯାଇଥିଲେ ଏବଂ ଦଳ ବିଜୟରୁ ୫୫ ରନ ପଛରେ ରହିଯାଇଥିଲା । ଏହି ମାଚରେ ଡାଭିଡ ୱିଜ, ବେରନର୍ଡ ସ୍କାଲଟଜ, ବେନ ଶିକାଙ୍ଗୋ ଏବଂ ଜେନ ଫ୍ରାଇଲିଙ୍କ ୨ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି । ଏହା ବ୍ୟତୀତ ବ୍ୟାଟିଂ ପରେ ବୋଲିଂରେ ମଧ୍ୟ ଏକ ସଫଳତା ନିଜ ନାମରେ କରିଛନ୍ତି ଜେ ସ୍ମିଟ । ଫଳରେ ଏହି ମ୍ୟାଚରେ ୫୫ ରନର ଏକ ବିଶାଳ ବିଜୟ ହାସଲ କରିଛି ନାମିବିଆ ।

Get real time updates directly on you device, subscribe now.