fbpx

କମୁଛି କରୋନା, ଦ୍ରୁତ ହାରରେ ବଢୁଛି ସୁସ୍ଥତା

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ କମୁଛି କରୋନା ସଂକ୍ରମଣ ହାର । ଏହି ମହାମାରୀକୁ ନେଇ ସାରା ଦେଶରେ ଚିନ୍ତା ଲାଗି ରହିଛି । ତେବେ ଏହା ମଧ୍ୟରେ ସାମାନ୍ୟ ଆଶ୍ୱସ୍ତି କରିବା ଭଳି ଖବର ମଧ୍ୟ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଦେଶରେ ଦ୍ରୁତ ହାରରେ ସଂକ୍ରମଣରୁ ସୁସ୍ଥ ହାର ବୃଦ୍ଧି ପାଉଛି।

ବିଭାଗୀୟ ସଚିବ ଲବ୍ ଅଗ୍ରୱାଲ୍ କହିଛନ୍ତି ଯେ ଗତ ୩ ତାରିଖରେ ସଂକ୍ରମଣରୁ ସୁସ୍ଥ ହାର ୮୧.୭ ପ୍ରତିଶତ ଥିବାବେଳେ ସମ୍ପ୍ରତି ଏହା ୮୫.୬କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟାରେ ୪ ଲକ୍ଷ ୨୨ ହଜାର ୪୩୬ ଜଣ ସଂକ୍ରମିତ ସୁସ୍ଥ ହୋଇପାରିଛନ୍ତି । ଏହା ଦେଶ ପାଇଁ ସର୍ବକାଳୀନ ଏକ ରେକର୍ଡ । ଫଳରେ କରୋନାରୁ ସୁସ୍ଥ ହେବା ନେଇ ଏକ ନୂଆ ଆଶାର ଆଲୋକ ଦେଖାଦେଇଛି । ଏଥିସହ ଶ୍ରୀ ଅଗ୍ରୱାଲ କହିଛନ୍ତି ଯେ ଦେଶର ୮ଟି ରାଜ୍ୟରେ ୧ ଲକ୍ଷରୁ ଅଧିକ ସଂକ୍ରମିତ ସଂଖ୍ୟା ରହିଛି । ସେହିପରି ୧୦ ରାଜ୍ୟରେ ୫୦ ହଜାରରୁ ୧ ଲକ୍ଷ ସଂକ୍ରମିତ ରହିଛନ୍ତି । ଏପରିକି ୧୮ ରାଜ୍ୟରେ ୫୦ ହଜାରରୁ କମ୍ ସଂକ୍ରମିତଙ୍କ ସଂଖ୍ୟା ରହିଥିବା ଶ୍ରୀ ଅଗ୍ରୱାଲ୍ ସ୍ପଷ୍ଟ କରିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ କେରଳରେ ୯୯,୬୫୧ ସଂକ୍ରମିତ ସୁସ୍ଥ ହୋଇଥିବାବେଳେ କେବଳ ୮ଟି ରାଜ୍ୟରେ ପ୍ରତିଦିନ ୧୦ ହଜାରରୁ ଅଧିକ ସଂକ୍ରମିତଙ୍କ ସଂଖ୍ୟା ସାମ୍ନାକୁ ଆସୁଛି । ଅନ୍ୟପକ୍ଷରେ ୨୬ ରାଜ୍ୟରେ ସଂକ୍ରମିତ ଅଧିକ ସୁସ୍ଥ ହେଉଥିବା ରିପୋର୍ଟ ମିଳୁଛି । ମେ ୭ ତାରିଖକୁ ଦେଶରେ ୪ ଲକ୍ଷ ୧୪ ହଜାର ସଂକ୍ରମିତ ସଂଖ୍ୟା ରହିଥିଲା । ସେହିପରି ଗତ ୨୪ ଘଣ୍ଟାରେ ୨ଲକ୍ଷ ୬୩ ହଜାର ସଂକ୍ରମିତ ସଂଖ୍ୟା ରହିଥିବା ଜଣାପଡ଼ିଛି । କିନ୍ତୁ ଗତ ୨ ଦିନ ମଧ୍ୟରେ ନୂଆ ସଂକ୍ରମିତ ସଂଖ୍ୟା ୩ ଲକ୍ଷରୁ କମ୍ ହୋଇଯାଇଛି । ମେ ୭ ତୁଳନାରେ ସମ୍ପ୍ରତି ୨୭ ପ୍ରତିଶତ କମ୍ ରହିଛି ନୂଆ ସଂକ୍ରମିତ ସଂଖ୍ୟା ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏହି ରିପୋର୍ଟ ଆସିବା ପରେ ସାରା ଦେଶରେ ଏକ ଆଶ୍ୱସ୍ତିର ବାତାବରଣ ଦେଖାଦେଇଛି। ତେବେ କରୋନା ଭୂତାଣୁ ସମ୍ପୂର୍ଣ୍ଣ ହଟିବା ପର୍ଯ୍ୟନ୍ତ କୋଭିଡ୍ ନିୟମ ପାଳନ କରିବା ସହ ଜନସାଧାରଣ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.