ପିଲାଙ୍କ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟର ଏହି ୩ଟି ସ୍ଥାନରେ ହେବ NCC ତାଲିମ୍ ସେଣ୍ଟର, ଲେଫ୍‍ଟନାଣ୍ଟ ଜେନେରାଲଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଓଡ଼ିଶାରେ ୯୦ ହଜାର ହେବ NCC କ୍ୟାଡେଟ୍‍ ସଂଖ୍ୟା

ଭୁବନେଶ୍ବର: ଏନ୍‍.ସି.ସି. ମହାନିର୍ଦ୍ଦେଶକ ଲେଫ୍‍ଟନାଣ୍ଟ ଜେନେରାଲ ଗୁରୁବୀର ପାଲ୍‍ ସିଂହ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡ଼ିଶାରେ ଏନ୍‍.ସି.ସି.ର ସମ୍ପ୍ରସାରଣ ସମ୍ପର୍କରେ ଆଲୋଚନା କରିଛନ୍ତି । ଆଲୋଚନାରୁ ଜଣାଯାଇଛି ଯେ, ଓଡ଼ିଶାରେ ଏନ୍‍.ସି.ସି.ର କାଡେଟ୍‍ ସଂଖ୍ୟା ୬୦ ହଜାର ରହିଛି । ଏହାକୁ ୯୦ ହଜାରକୁ ବୃଦ୍ଧି କରାଯିବ ।

ଏଥିପାଇଁ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ସହିତ ରାଜ୍ୟର ଅନ୍ୟାନ୍ୟ ବିଦ୍ୟାଳୟରେ ମଧ୍ୟ ଏନ୍‍.ସି.ସି. ଶାଖା ପ୍ରତିଷ୍ଠା କରାଯିବ । ରାଜ୍ୟରେ ଏନ୍‍.ସି.ସି. ପିଲାଙ୍କ ଦକ୍ଷତା ବୃଦ୍ଧି ପାଇଁ କଟକ, ବ୍ରହ୍ମପୁର ଓ ସମ୍ୱଲପୁରରେ ତିନୋଟି ଟ୍ରେନିଙ୍ଗ୍ ସେଣ୍ଟର ପ୍ରତିଷ୍ଠା କରାଯିବ । କଟକ ଓ ବ୍ରହ୍ମପୁରରେ ଏଥିପାଇଁ ୫ ଏକର ଲେଖାଏଁ ଜମି ଉପଲବ୍‍ଧ ଥିବାବେଳେ, ସମ୍ୱଲପୁରରେ ଏଥିପାଇଁ ୧୦ ଏକର ଜମି ଯୋଗାଇ ଦିଆଯିବ ।

ଏହାସହ କୋରାପୁଟରେ ଏନ୍‌ସିସିର ଗ୍ରୁପ୍‍ ହେଡ୍‍କ୍ୱାଟର୍ସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକାରୀ ଓ କର୍ମଚାରୀ ମଧ୍ୟ ଯୋଗାଇ ଦିଆଯିବ। ଝାରସୁଗୁଡ଼ା ଏୟାରପୋର୍ଟରେ ଏନ୍‌ସିସି ପିଲାଙ୍କୁ ବିମାନ ଉଡ଼ାଣ ପ୍ରଶିକ୍ଷଣ ଦେବାପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ଏଥିପାଇଁ ସେଠାରେ ଏକ ହ୍ୟାଙ୍ଗର ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧.୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏନ୍‌ସିସି ହେଉଛି ଦେଶର ଏକ ପ୍ରତିଷ୍ଠିତ ସଂସ୍ଥା। ଛାତ୍ର ଓ ଯୁବଶକ୍ତିର ସମ୍ଭାବନାକୁ ବିକଶିତ କରି ଦେଶର ସେବାରେ ନିୟୋଜିତ କରିବା କ୍ଷେତ୍ରରେ ଏହାର ତୁଳନା ନାହିଁ। ତେଣୁ ଓଡ଼ିଶାରେ ଏହି ସଂସ୍ଥାର ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏନ୍‌ସିସି ପକ୍ଷରୁ ଡାଇରେକ୍ଟର କର୍ଣ୍ଣେଲ ସାଗର ମହାନ୍ତି ଓ ଉଚ୍ଚଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ ନିଷ୍ପତ୍ତି ଗୁଡ଼ିକର ରୂପାୟନକୁ ତ୍ୱରାନ୍ୱିତ କରିବା ପାଇଁ ସ୍ଥିର ହୋଇଛି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଓ ଏନ୍‌ସିସିର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ।