fbpx

ପ୍ରତିଦିନ ୮୦ ହତ୍ୟା, ପ୍ରତିଘଣ୍ଟାରେ ୩ ବଳାତ୍କାର…. ଜାଣନ୍ତୁ ଗତବର୍ଷ କେତେ ହୋଇଥିଲା ଦେଶରେ ଅପରାଧ…

ନୂଆଦିଲ୍ଲୀ: ସ୍ୱାଧୀନତାକୁ ପୂରିଛି ୭୫ ବର୍ଷ । ଏହି ୭୫ ବର୍ଷରେ ଦେଶ ବେଶ୍ ଆଗକୁ ବଢ଼ିଛି । କିନ୍ତୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ ଏହି ଅବଧି ମଧ୍ୟରେ ଦେଶରେ ଅପରାଧ ମଧ୍ୟ ୧୦ ଗୁଣା ବଢ଼ିଛି । ଏହି ସୂଚନା ନାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (NCRB) ର ରିପୋର୍ଟରେ ସାମ୍ନାକୁ ଆସିଛି । ଯେଉଁଠାରେ ୧୯୪୮ ରେ ଥାନାରେ ୬ ଲକ୍ଷ କେସ୍ ରୁଜୁ ହୋଇଥିଲା, ଆଜି ସ୍ୱାଧୀନତାର ୭୫ ବର୍ଷପରେ ୨୦୨୧ରେ ୬୦ ଲକ୍ଷରୁ ଅଧିକ ମାମଲା ରୁଜୁ ହୋଇଛି । ୧୯୫୩ ରେ ଏନସିଆରବି ଏହାର ପ୍ରଥମ ରିପୋର୍ଟ ପ୍ରକାଶିତ କରିଥିଲା ଯେଉଁଥିଷର ୧୯୪୮ ର ତଥ୍ୟ ରହିଥିଲା ।

ନିକଟରେ ଏନସିଆରବି ୨୦୨୧ ର ରିପୋର୍ଟ ଜାରି କରିଛି । ଏହି ରିପୋର୍ଟ ଅନୂଯାୟୀ ଗତ ବର୍ଷ ଦେଶରେ ୬୦.୯୬ ଲକ୍ଷ ଅପରାଧିକ ମାମଲା ରୁଜୁ ହୋଇଥିଲା । ଏଥିରେ ୩୬.୬୩ ଲକ୍ଷ ମାମଲା ଆଇପିସି ଧାରା ଅନୂଯାୟୀ ରୁଜୁ ହୋଇଥିଲା । ଅବଶ୍ୟ ୨୦୨୦ ତୁଳନାରେ ୨୦୨୧ ରେ ପ୍ରାୟ ୮% ମାମଲା କମ୍ ରୁଜୁ ହୋଇଛି । ୨୦୨୦ ରେ ୬୬ ଲକ୍ଷ ମାମଲା ରୁଜୁ ହୋଇଥିଲା ।

ପ୍ରତିଦିନ ୮୦ ହତ୍ୟା:

ଏନସିଆରବିର ରିପୋର୍ଟ ଅନୂଯାୟୀ ୨୦୨୧ ରେ ଦେଶରେ ୨୯,୨୭୨ ହତ୍ୟା ମାମଲା ରୁଜୁ ହୋଇଥିଲା । ଅର୍ଥାତ୍ ପ୍ରତିଦିନ ୮୦ ମାମଲା । ରିପୋର୍ଟରେ କୁହାଯାଇଛି ଯେ ସବୁଠୁ ଅଧିକ ହତ୍ୟାର କାରଣ ହେଉଛି  । ଗତବର୍ଷ ବିବାଦ କାରଣରୁ ୮,୭୬୫ ହତ୍ୟା ହୋଇଥିଲା । ସେହିଭଳି ବ୍ୟକ୍ତିଗତ ଶତ୍ରୁତା କାରଣରୁ ୩,୭୮୨ ହତ୍ୟା ହୋଇଥିଲା । ରିପୋର୍ଟ ଅନୂଯାୟୀ ଗତ ବର୍ଷ ୧ ଲକ୍ଷରୁ ଅଧିକ ଲୋକଙ୍କ ଅପହରଣ ହୋଇଥିଲା । ଯେଉଁଥିରେ ୮୬,୫୪୩ ମହିଳା ରହିଥିଲେ । ଏଥିରେ ୫୮ ହଜାର ରୁ ଅଧିକ ନାବାଳକ ମଧ୍ୟ ଥିଲେ ।

ମହିଳା ଏବଂ ଶିଶୁଙ୍କ ବିରୋଧରେ କେତେ ମାମଲା?

୨୦୨୧ ରେ ମହିଳାଙ୍କ ବିରୋଧରେ ୪.୨୮ ଲକ୍ଷରୁ ଅଧିକ ଅପରାଧିକ ମାମଲରୁ ରୁଜୁ ହୋଇଥିଲା । ଏହି ହିସାବରେ ପ୍ରତିଦିନ ୧,୧୭୩ ମାମଲା ହୋଇଥିଲା । ୨୦୨୦ ତୁଳନାରେ ୨୦୨୧ ରେ ମହିଳାଙ୍କ ବିରୋଧରେ ଅପରାଧ ମାମଲା ୧୫% ଅଧିକ ରୁଜୁ ହୋଇଛି । ସେହିଭଳି ପିଲାଙ୍କ ବିରୋଧରେ ୧.୪୯ ଲକ୍ଷରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଥିଲା । ଏହି ସଂଖ୍ୟା ୨୦୨୦ ତୁଳନାରେ ୧୬% ଅଧିକ । ପିଲାଙ୍କ ବିରୋଧରେ ଅପରାଧର ସବୁଠୁ ଅଧିକ ମାମଲା କିଡନାପିଂ ଏବଂ ପକ୍ସୋ ଆକ୍ଟ ଅନୂଯାୟୀ ହୋଇଛି ।

ସେହିଭଳି ବଳାକ୍ରାର ନେଇ ୩୧,୬୭୭ ମାମଲା ରୁଜୁ ହୋଇଛି, ଯେଉଁଥିରେ ୩୧,୮୭୮ ପୀଡ଼ିତା ଥିଲେ । ଅର୍ଥାତ୍ ପ୍ରତି ଘଣ୍ଟାରେ ୩ ମହିଳାଙ୍କ ସହ ବଳାକ୍ରାର ହୋଇଥିଲା । ଏଥିରେ ୨୮,୮୪୦ ବୟସ୍କ ଏବଂ ୩,୦୩୮ ନାବାଳିକା ଥିଲେ । ସେହିପରି ବଳାକ୍ରାର ଉଦ୍ୟମ ମାମଲାରେ ୩,୮୦୦ ମାମଲା ରୁଜୁ ହୋଇଛି ।

୯୭% ପ୍ରତିଶତ ଅଭିଯୁକ୍ତ ପରିଚିତ ଲୋକ:

ବଳାତ୍କାରର ୯୭% ମାମଲାରେ ଅଭିଯୁକ୍ତ ପରିଚିତର ଲୋକ ହୋଇଥିବା ଜଣାପଡ଼ିଛି । ଗତ ବର୍ଷ ୩୧,୬୭୭ ମଧ୍ୟରୁ ୩୦,୫୭୧ ମାମଲାରେ ଅଭିଯୁକ୍ତ ପୀଡ଼ିତାଙ୍କ ପରିଚିତ । ଯେତେବେଳେକି ୨,୦୨୪ ମାମଲାରେ ପରିବାରର ହିଁ କେହି ସଦସ୍ୟ ଅଭିଯୁକ୍ତ । ସେହିଭଳି ୧୫,୧୯୬ ମାମଲାରେ ଅଭିଯୁକ୍ତଙ୍କ କେହି ପରିବାରିକ ବନ୍ଧୁ, ପଡ଼ୋଶୀ, କିମ୍ବା ସମ୍ପର୍କୀୟ ଥିଲେ । ଯେତେବେଳେକି ୧୨,୯୫୧ ମାମଲାରେ ଅନଲାଇନ ଫ୍ରଡ୍, ଲିଭ୍ ଇନ୍ ପାର୍ଟନର କିମ୍ବା ବିବାହର ପ୍ରତିଶ୍ରୁତି ଦେଇଥିବା ଅଭିଯୁକ୍ତ ଥିଲେ । ୧,୧୦୬ ମାମଲାରେ ଅଭିଯୁକ୍ତଙ୍କ ଚିହ୍ନଟ ହୋଇପାରିନାହିଁ ।

ରିପୋର୍ଟରେ ଆହୁରି ମଧ୍ୟ ରହିଛି:

ଗତ ବର୍ଷ ୩୧,୧୭୦ ମାମଲା ନାବାଳକଙ୍କ ବିରୋଧରେ ରୁଜୁ ହୋଇଥିଲା । ଏଥିରେ ୩୭,୪୪୪ ନାବାଳକଙ୍କୁ ଗିରଫ କରାଯାଇଥିଲା । ୭୬%ରୁ ଅଧିକ ମାମଲାରେ ନାବାଳକଙ୍କ ବୟସ ୧୬ ରୁ ୧୮ ବର୍ଷ ମଧ୍ୟରେ ରହିଥିଲା ।

ବୟସ୍କଙ୍କ ବିରୋଧରେ ଅପରାଧିକ ମାମଲାରେ ୨୬,୧୧୦ ରୁଜୁ ହୋଇଥିଲା ।

ଅନୁସୂଚିତ ଜାତିଙ୍କ ବିରୋଧରେ ୫୦,୯୦୦ ଏବଂ ଅନୁସୂଚିତ ଜନଜାତିର ଲୋକଙ୍କ ବିରୋଧଷର ଅପରାଧର ୮,୮୦୨ ମାମଲା ରୁଜୁ ହୋଇଛି ।

ଗତ ବର୍ଷ ସରକାରଙ୍କ ବିରୋଧରେ ଅପରାଧର ୫,୬୧୩ ମାମଲା ରୁଜୁ ହୋଇଥିଲା ।

ତେବେ ୨୦୨୧ ରେ ୫୮ ଲକ୍ଷରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.