fbpx

୫୩ ବର୍ଷ ପରେ ମଧ୍ୟ ଚନ୍ଦ୍ରପୃଷ୍ଠରେ ଅକ୍ଷୁଣ୍ଣ ରହିଛି ଆର୍ମଷ୍ଟ୍ରଙ୍ଗ ଓ ଆଲଡ୍ରିନ୍‌ଙ୍କ ପାଦଚିହ୍ନ, ଫଟୋ ଜାରି କଲା ନାସା

ନୂଆଦିଲ୍ଲୀ:  ଆମେରିକୀୟ ମହାକାଶଯାନ ଆପୋଲୋ-୧୧ରେ ଚନ୍ଦ୍ର ଅଭିଯାନ କରିଥିବା ମହାକାଶଚାରୀ ନିଲ୍‌ ଆର୍ମଷ୍ଟ୍ରଙ୍ଗ ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ୧୯୬୯ ଜୁଲାଇ ୨୦ରେ ଚନ୍ଦ୍ରପୃଷ୍ଠରେ ପଦଚାରଣ କରିଥିଲେ । ତେବେ ତାଙ୍କର ଏହି ଐତିହାସିକ ଉପଲବ୍ଧିର ଦୀର୍ଘ ୫୩ ବର୍ଷ ପରେ ମଧ୍ୟ ଚନ୍ଦ୍ରପୃଷ୍ଠରେ ତାଙ୍କ ପ ଦଚିହ୍ନ ଗୁଡ଼ିକ ସେମିତି ଅକ୍ଷୁଣ୍ଣ ରହିଛି । ନିକଟରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ପକ୍ଷରୁ ସେଇ ପଦଚିହ୍ନ ସମ୍ବଳିତ ଚନ୍ଦ୍ରପୃଷ୍ଠର ସଦ୍ୟ ଉତ୍ତୋଳିତ ଫଟୋ ପ୍ରକାଶ କରାଯାଇଛି।

‘ନାସା’ର ମହାକାଶଯାନ ‘ଲୁନାର ରିକନ୍ନାଇସାନ୍ସ ଅର୍ବିଟର’ ଦ୍ୱାରା ଉତ୍ତୋଳନ କରାଯାଇଥିବା ଏହି ଫଟୋ ସମୂହରେ ଆର୍ମଷ୍ଟ୍ରଙ୍ଗ ଓ ତାଙ୍କ ପରେ ସହଯାତ୍ରୀ ଏଡ୍ୱିନ୍‌ ଆଲଡ୍ରିନ୍‌ ମଧ୍ୟ ସେଠାରେ ବିଚରଣ କରିଥିବା ପଦଚିହ୍ନ ଗୁଡ଼ିକ ସ୍ପଷ୍ଟ ଭାବେ ଜଣାପଡୁଛି । ଏଥି ସହିତ ଆଉ ଏକ ବିଶେଷ ସ୍ମାରକୀ ମଧ୍ୟ ସେଠାରେ ଅକ୍ଷତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । ଆର୍ମଷ୍ଟ୍ରଙ୍ଗ ଓ ସାଥୀ ମହାକାଶଚାରୀ ସେଠାରୁ ମୃତ୍ତିକା ସଂଗ୍ରହ ପରେ ସାଙ୍ଗରେ ନେଇଥିବା ଏକ ଫଳକକୁ ସେଠାରେ ପୋତିଥିଲେ । ସେଥିରେ ଲେଖାଥିଲା, ‘ପୃଥିବୀରୁ ଆସିଥିବା ମାନବ ଏଠାରେ ୧୯୬୯ ଜୁଲାଇରେ ପ୍ରଥମେ ପାଦ ଥାପିଲେ । ସମଗ୍ର ମାନବଜାତିର ଶାନ୍ତି କାମନା କରି ଆମେ ଏଠାକୁ ଆସିଛୁ ।’ ଅଦ୍ୟାବଧି ଉକ୍ତ ଫଳକ ସମେତ ସେଥିରେ ଲେଖାଥିବା ବାର୍ତ୍ତା ମଧ୍ୟ ସେମିତି ଅକ୍ଷୁଣ୍ଣ ରହିଥିବା ଜଣାଯାଇଛି ।

ସୂଚନାଯୋଗ୍ୟ, ଚନ୍ଦ୍ରର ବାୟୁମଣ୍ଡଳ ନଥିବାରୁ ସେଠାରେ ଧୂଳିଝଡ଼ର ଆଶଙ୍କା ନାହିଁ । ସେହିପରି ସେଠାରେ ଜଳ ନଥିବାରୁ ଜଳୀୟବାଷ୍ପ ଜନିତ ବର୍ଷା କି ଜଳସ୍ରୋତର ଉପଦ୍ରବ ମଧ୍ୟ ନାହିଁ । ସୁତରାଂ ମହାକାଶଚାରୀଙ୍କ ପଦଚିହ୍ନ ସମେତ ଉକ୍ତ ସ୍ମାରକୀ ଫଳକ ଅକ୍ଷତ ରହିଛି ।

Get real time updates directly on you device, subscribe now.