fbpx

ବିକ୍ରମ ଲ୍ୟାଣ୍ଡର ଫଟୋ ଉଠାଇଲା ରୋଭର ପ୍ରଜ୍ଞାନ, ଦେଖନ୍ତୁ ଲ୍ୟାଣ୍ଡରର ସ୍ଥିତି କିଭଳି ରହିଛି…

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ‘ରୋଭର ପ୍ରଜ୍ଞାନ’ ଆଜି ‘ଲ୍ୟାଣ୍ଡର ବିକ୍ରମର’ ଫଟୋ ସେୟାର କରିଛି । ଯାହା ପ୍ରଥମେ ଏହାର ‘ନାଭିଗେସନ୍ କ୍ୟାମେରା’ ବ୍ୟବହାର କରି କ୍ଲିକ୍ କରିଛି । ଚିତ୍ରଟି ପ୍ରଥମ ଯାହା ଚନ୍ଦ୍ରରେ ଅବତରଣ କରିବା ପରେ ରୋଭର କ୍ଲିକ୍ କରିଛି । ବର୍ତ୍ତମାନ ପର୍ୟ୍ୟନ୍ତ ସମସ୍ତ ଫଟୋ ଏବଂ ଭିଡିଓ ବିକ୍ରମଙ୍କ ଦ୍ୱାରା କଏଦ ହୋଇଥିଲା । “ଏକ୍ସ” ଜରିଆରେ ଏହି ଫଟୋଗ୍ରାଫ୍ ସେୟାର କରି ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ଏହାକୁ “ମିଶନର ପ୍ରତିଛବି” ବୋଲି କହିଛି । ‘ରୋଭର୍‌’ରେ ଲାଗିଥିବା ‘ନେଭିଗେସନ୍‌ କ୍ୟାମେରା’ ଦ୍ୱାରା ଏହି ଫଟୋ ଆଜି ସକାଳ ୭.୩୫ ମିନିଟରେ ଉତ୍ତୋଳନ କରାଯାଇଛି ବୋଲି ସୂଚନା ମିଳିଛି । ରୋଭରରେ ଥିବା ନାଭକ୍ୟାମଗୁଡିକ ବେଙ୍ଗାଲୁରୁର ଇଲେକ୍ଟ୍ରୋ-ଅପ୍ଟିକ୍ସ ସିଷ୍ଟମ (ଖଋଙଝ) ଦ୍ୱାରା ଲାବୋରେଟୋରୀରେ ବିକଶିତ ହୋଇଛି ।

ସୂଚନା ଯୋଗ୍ୟ, ଚନ୍ଦ୍ରାୟନ-୩ ଚନ୍ଦ୍ରର ଦକ୍ଷିଣମେରୁ ଅଞ୍ଚଳରେ ୨୩ ଅଗଷ୍ଟ ୨୦୨୩ରେ ଅବତରଣ କରିଥିଲା । ଆଜି ଏହି ଘଟଣାକୁ ଏକ ସପ୍ତାହ ପୁରିଗଲାଣି । ଅର୍ଥାତ୍ ଚନ୍ଦ୍ରରେ ଅଧାଦିନ ଏହା ପୁରଣ କରିସାରିଲାଣି । ଚନ୍ଦ୍ରାୟନ-୩ ଏହି ତଥ୍ୟ ସଂଗ୍ରହ ମୋଟ ୧୪ ଦିନ ଯାଏଁ ଜାରି ରଖିବ ବୋଲି ସୂଚନା ରହିଛି । ସେପଟେ ଏହି ସମୟ ମଧ୍ୟରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ହାସଲ କରିଛନ୍ତି । ଏହି ସମସ୍ତ ସୂଚନା ଆଧାରରେ ଭବିଷ୍ୟତରେ ଚନ୍ଦ୍ରପୃଷ୍ଠରେ ମାନବ ବସତି ସ୍ଥାପନରେ ସହାୟତା ମିଳିଯିବ ।

ପ୍ରଥମେ ଚନ୍ଦ୍ରପୃଷ୍ଠରେ ବିଭିନ୍ନ ସ୍ଥାନର ବିଭିନ୍ନ ସ୍ଥରର ତାପମାତ୍ରାକୁ ମାପିଥିଲା ଚନ୍ଦ୍ରଯାନ-୩ । ଚନ୍ଦ୍ର ପୃଷ୍ଠର ୧୦ ସେଣ୍ଟିମିଟର ଗଭୀରତାରେ କେତେ ତାପମାତ୍ରା ରହିଛି ତାହା ବର୍ତ୍ତମାନ ରେକର୍ଡ ହୋଇପାରିଛି । ଏଥିରେ ୧୦ ରୁ ଆରମ୍ଭ କରି ୬୦ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ରେକର୍ଡ ହୋଇଛି ଯାହାକୁ ନେଇ ଏକ ଗ୍ରାଫ ମାଧ୍ୟମରେ ପ୍ରକାଶ କରିଥିଲା ଇସ୍ରୋ । ସେହିପରି ୨୯ ଅଗଷ୍ଟ ରାତିରେ ପ୍ରଜ୍ଞାନ ରୋଭର ଏହି ସୂଚନା ଦେଇଥିଲା ଯେ, ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅକ୍ସିଜେନ ରହିଛି । ଏହି କାମ ସେଥିରେ ଲାଗିଥିବା ଏଲଆଇବିଏସ୍ ପେଲୋଡ୍ କରିଦେଖାଇଛି । ଏହା ସହିତ ଚନ୍ଦ୍ରପୃଷ୍ଠରେ ବହୁ ମାତ୍ରାରେ ଆଲୁମିନିୟମ ମଧ୍ୟ ମିଳିଛି । ମାନବ ବସତି ନିର୍ମାଣରେ ଏହାର ବିଶେଷ ଉପଯୋଗ କରାଯାଇ ପାରିବ । ଏହା ବ୍ୟତିତ ଚନ୍ଦ୍ରପୃଷ୍ଠରୁ କ୍ୟାଲସିୟମ, ଲୁହା, କ୍ରୋମିୟମ, ଟାଇଟାନିୟମ, ମାଙ୍ଗାନିଜ, ସିଲିକନ ଆଦିର ସନ୍ଧାନ ମିଳିସାରିଛି ।

ଚନ୍ଦ୍ରପୃଷ୍ଠରେ ଅମ୍ଳଜାନ ମିଳିଯିବା ପରେ ଏବେ ହାଇଡ୍ରୋଜେନ ବା ଉଦଯାନର ସନ୍ଧାନ ଜାରି ରହିଛି । କାରଣ ଉଭୟ ମିଳିତ ହୋଇ ଜଳ ସୃଷ୍ଟି କରିପାରିବେ । ଅର୍ଥାତ୍ ଚନ୍ଦ୍ରରେ ମଣିଷ ବସତି ସ୍ଥାପନ କରିବା ଲାଗି ଏହି ଦୁଇ ରସାୟନର ଆବଶ୍ୟକତା ପଡିବ । ଏହା ହିଁ ଚନ୍ଦ୍ରରେ ଜୀବସତ୍ତାର ସ୍ଥାପନ କରିବ ।

Get real time updates directly on you device, subscribe now.